ଆକ୍ସନ୍‌ ପରେ ରିଆକ୍ସନ ! ସିଂଘମ ୱାଙ୍ଖଡ଼େଙ୍କୁ ଟାର୍ଗେଟ୍, ନବାବ ମଲ୍ଲିକ୍‌ କହିଲେ ସେ ହିନ୍ଦୁ ନୁହେଁ ମୁସ୍‌ଲିମ୍‌

କିଙ୍ଗ ଖାନ୍ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ଉପରେ ଆକ୍ସନ ନେଇ ନିଜ ପାଇଁ ବିପଦ ଡାକିଲେ କି ଏନ୍‌ସିବି ଜୋନାଲ ଡିରେକ୍ଟର ସମୀର ଓ୍ୱାଙ୍ଖଡେ ? କାରଣ, ସମୀରଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ ।

Sameer Wankhede

News Summary

ଆର୍ୟନଙ୍କ ଉପରେ ଆକ୍ସନ ପରେ ରିଆକ୍ସନ !

ସମୀରଙ୍କ ବିରୋଧରେ ୨୫କୋଟିର ଡିଲ୍ ଅଭିଯୋଗ ।

୮ କୋଟି ଟଙ୍କା ପାଇଥାନ୍ତେ ସମୀର ?

ମୁମ୍ବାଇ: କିଙ୍ଗ ଖାନ୍ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ଉପରେ ଆକ୍ସନ ନେଇ ନିଜ ପାଇଁ ବିପଦ ଡାକିଲେ କି ଏନ୍‌ସିବି ଜୋନାଲ ଡିରେକ୍ଟର ସମୀର ଓ୍ୱାଙ୍ଖଡେ ? କାରଣ, ସମୀରଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ । ଅଭିଯୋଗ ହେଉଛି, ଆର୍ୟନଙ୍କୁ ଛାଡ଼ି ଦେବା ପାଇଁ ୨୫ କୋଟିର ଡିଲ୍ ହୋଇଥିଲା, ଯେଉଁଥିରୁ ୮ କୋଟି ଟଙ୍କା ପାଇଥାନ୍ତେ ସମୀର । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଟାର୍ଗେଟ କରାଯାଉଥିବା ନେଇ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସମୀର ।

ଆର୍ୟନ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆକ୍ସନ ପରେ ରିଆକ୍ସନ ! ଅଡୁଆରେ ଏନ୍‌ସିବିର ସିଙ୍ଘମ୍ ସମୀର ଓ୍ୱାଙ୍ଖେଡେ । ଆରମ୍ଭ ହେଲା ଭିଜିଲାନ୍ସ ତଦନ୍ତ । କ୍ରୁଜ୍ ରେଭ୍ ପାର୍ଟିରେ ରେଡ୍ ଓ ବଲିଉଡ୍ ବାଦଶାହା ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିବା ବୋଧ ହୁଏ ମହଙ୍ଗା ପଡିଛି ଏନ୍‌ସିବିର ଏହି ଟାଣୁଆ ତଦନ୍ତକାରୀ ଅଧିକାରୀଙ୍କୁ । କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଥମେ ମାଳ ମାଳ ପ୍ରଶଂସା ଆଉ ଏବେ ଭିଜିଲାନ୍ସ ତଦନ୍ତ । ଅଭିଯୋଗ ହେଉଛି, ଆର୍ୟନଙ୍କୁ ମୁକ୍ତ କରିବାକୁ ହୋଇଥିଲା ୨୫ କୋଟିର ଡିଲ୍ ଯେଉଁଥିରୁ ସମୀରଙ୍କ ଭାଗ ଥିଲା ୮ କୋଟି ଟଙ୍କା ।

ମୁମ୍ବାଇ ଏନ୍‌ସିବିର ଜୋନାଲ ଡିରେକ୍ଟର ତଥା ହାଇପ୍ରୋଫାଇଲ୍ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଥିବା ସମୀର ୱାଙ୍ଖଡେଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାମଲାର ସାକ୍ଷୀ ପ୍ରଭାକର ସେଲ୍ । କୋର୍ଟରେ ସତ୍ୟପାଠ ଦାଖଲ କରି ପ୍ରଭାକର କହିଛନ୍ତି, କିରଣ ଗୋସାଭୀ ଏବଂ ସାମ୍ ଡିସୁଜା ନାମକ ଦୁଇ ଜଣ ବ୍ୟକ୍ତି କାରରେ ଶାହାରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ସହ ଏହି ଡିଲ୍ କରିଥିବା ସେ ନିଜେ ଦେଖିଛନ୍ତି । କିରଣ ଗୋସାଭୀ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଆର୍ୟନ ଗିରଫ ହୋଇ ଏନ୍‌ସିବି ହେପାଜତରେ ଥିବା ବେଳେ ତାଙ୍କ ସହ ସେଲ୍ଫି ନେଇଥିଲେ ଏବଂ ସେହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସେପଟେ ତାଙ୍କ ବିରୋଧରେ ଆସିଥିବା ଲାଂଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମୀର । କୋର୍ଟରେ ସତ୍ୟପାଠ ଜରିଆରେ କହିଛନ୍ତି, ତାଙ୍କୁ ଓ ତାଙ୍କ ପରିବାରକୁ ଟାର୍ଗେଟ୍ କରାଯାଉଛି । ଏଥିସହ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖି ତାଙ୍କୁ ଫସାଇବା ଲାଗି ଷଡ଼ଯନ୍ତ୍ର ହେଉଥିବା ଆଶଙ୍କା କରିଛନ୍ତି ସମୀର । ଆଉ ଅନୁରୋଧ କରିଛନ୍ତି, ତାଙ୍କୁ ଗିରଫ କରାନଯାଉ ।

ଏସବୁ ଭିତରେ ସାମ୍ନାକୁ ଆସିଛି ସମୀର ୱାଙ୍ଖେଡେଙ୍କ ବାର୍ଥ ସାର୍ଟିଫିକେଟ୍ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ୱାବ ମଲ୍ଲିକ କହିଛନ୍ତି, ଜାଲ୍ ପ୍ରମାଣପତ୍ର ତିଆରି କରି ସରକାରୀ ଚାକିରି ପାଇଛନ୍ତି ସମୀର । ଖାଲି ସେତିକି ନୁହେଁ, ଟ୍ୱିଟରରେ ଫଟୋ ସେୟାର କରି ସମୀର ଦୁଇ ଦୁଇଟି ବିବାହ କରିଥିବା ବି ଦର୍ଶାଇଛନ୍ତି । ନୱାବଙ୍କୁ ଜବାବରେ ସମୀର କହିଛନ୍ତି, ତାଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍ କରାଯାଉଛି । ସୂଚନାଯୋଗ୍ୟ, ଗତ ଅକ୍ଟୋବର ୮ ତାରିଖରୁ ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି ଆର୍ୟନ । ଆସନ୍ତା ୩୦ ତାରିଖରେ ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।