/odishatv-khabar/media/post_attachments/uploadimage/library/16_9/16_9_0/Naxal_1737966361.jpg)
Naxal
ମାଓବାଦୀଙ୍କ ବର୍ବର କାଣ୍ଡ। ଘରେ ପଶି ଜଣେ ଯୁବକଙ୍କୁ ହାଣି ଦେଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କେସାମୁଣ୍ଡି ଗାଁରେ ଏହି ଘଟଣା ଘଟିଛି। ପୁଲିସ ଇନଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ମୃତକ ଜଣଙ୍କ ହେଲେ ଭାଦୁ ସୋଧି(୪୧)।
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ କେସାମୁଣ୍ଡି ଗାଁରେ ପହଞ୍ଚିଥିଲେ। ଭାଦୁ , ଭାଦୁ ବୋଲି ବଡ଼ ପାଟିରେ ଡାକିଥିଲେ। ଭାଦୁ କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।
ପରିବାର ସଦସ୍ୟ ନକ୍ସଲଙ୍କୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଏହି ସମୟରେ ନକ୍ସଲମାନେ ଭାଦୁଙ୍କୁ ଘରୁ ଟାଣି ଆଣି କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପରିବାର ଲୋକେ ସେଠାରେ ଉପସ୍ଥିତ ରହି ସବୁ ଦେଖୁଥିଲେ, ହେଲେ ନକ୍ସଲ ଭୟରେ କିଛି କହୁନଥିଲେ। ପରେ ନକ୍ସଲମାନେ ସେଠାରୁ ପଳାଇଯାଇଥିଲେ।
ନକ୍ସଲମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ। ପୁଲିସ ସହ ମିଶି ମାଓ ବିରୋଧୀ କାର୍ଯ୍ୟକଳାପ କରୁଥିବାରୁ ତାକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି।
ତେବେ ଗତ କିଛିଦିନ ହେବ ପୋଲିସର ଏନକାଉଣ୍ଟରରେ ଅନେକ ମାଓବାଦୀ ନିହତ ହେବା ପରେ ଏବେ ମାଓ ସଙ୍ଗଠନ ରକ୍ତମୁଖା ହୋଇ ପଡିଛି। ନିରୀହ ଲୋକଙ୍କୁ ପୋଲିସ ଇନଫର୍ମର କହି ହତ୍ୟା କରି ଆତଙ୍କ ଖେଳାଉଛି। ତେବେ ଏହି ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।
ସୂଚନାଯୋଗ୍ୟ, ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ – ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)