• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଦ୍ୟାଳୟରେ ପାଠ ପଢା ସହ ଦିଆଯାଉଛି ଗୀତା ଓ କୋରାନ ସମ୍ପର୍କରେ ଜ୍ଞାନ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାର ପ୍ରୟାସ, ଏଭଳି ଲକ୍ଷ୍ୟ ନେଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ସୁରତର ଏକ ବିଦ୍ୟାଳୟର ଜଣେ ଶିକ୍ଷକ ।

କିଏ ଗୀତାରୁ ଜ୍ଞାନ ଆହରଣ କରୁଛି ତ ଆଉ କିଏ କୋରାନକୁ କଣ୍ଠସ୍ଥ କରୁଛି । ଛୋଟ ଛୋଟ ପିଲାଙ୍କ ମୁହଁରୁ ନିସୃତ ଗୀତା ଓ କୋରାନର ବାଣୀରେ ଗୁଞ୍ଜରିତ ହେଉଛି ଶ୍ରେଣୀଗୃହ । ଏ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟ ସୁରତର ଝାଖରଡା ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ । ପାଠ୍ୟକ୍ରମ ଶିକ୍ଷା ସହ ପିଲାମାନଙ୍କୁ ସଂସ୍କାର ଶିଖାଇବା ଏବଂ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ବୋଲି ପିଲାମାନଙ୍କୁ ବୁଝାଉଥିବା ଏହି ଶିକ୍ଷକ ହେଉଛନ୍ତି ଶାହା ମହମ୍ମଦ ଶୟଦ୍ ଇସମାଇଲ୍ । କେବଳ ଗୀତା କି କୋରାନ ନୁହେଁ, ଦେଶର ସମ୍ବିଧାନ ବିଷୟରେ ପଢାଇ ଦେଶ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ବୁଝାଉଛନ୍ତି ଶିକ୍ଷକ ।

କିଛି ଦିନ ପୂର୍ବେ ଗୁଜୁରାଟ ସରକାର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରେ ଭଗବତ ଗୀତା ପଢାଇବାକୁ ଘୋଷିତ କରିଥିଲେ । ତେବେ ଗୁଜୁରାଟର ଏହି ଗାଁରେ ଗତ ୧୨ ବର୍ଷ ହେଲା ପିଲାଙ୍କୁ ଭଗବତ ଗୀତା,କୋରାନ ସମ୍ବନ୍ଧରେ ପଢାଉଛନ୍ତି ଶିକ୍ଷକ ଶୟଦ୍ ଇସମାଇଲ୍ ।

ବିଦ୍ୟାଳୟରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ମୋଟ ୭୧ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ତେଣୁ ଏଭଳି ଶିକ୍ଷା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଧର୍ମଗତ ପାର୍ଥକ୍ୟ ଦୂର ହେବା ସହ ଭାଇଚାରା ସୃ୍ଷ୍ଟି ହୋଇପାରିବ ବୋଲି ଶିକ୍ଷକ ଶୟଦ୍ ଇସମାଏଲଙ୍କ ମତ ଦେଇଛନ୍ତି । କେବଳ ଏତିକି ନୁହେଁ ଭାଇଚାରା ବଢାଇବା ପାଇଁ ପିଲାମାନଙ୍କର ଭିନ୍ନ ଭିନ୍ନ ନାଁ ମଧ୍ୟ ରଖାଯାଇଛି । ଯେପରିକି ମ୍ୟାନ୍ଗୋ,ଆପଲ୍ ଇତ୍ୟାଦି ।

ପିଲାମାନଙ୍କୁ ଗୀତା ,ଭାଗବତ ଓ କୋରାନ ମାଧ୍ୟମରେ ଧର୍ମଗତ ଭେଦଭାବଠାରୁ ଦୂରେଇ ରଖିବା ପାଇଁ ଶିକ୍ଷକଙ୍କର ଏହି ନିଆରା ପ୍ରୟାସ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି ।