ସାରା ଦେଶରେ ଆଜି ଧର୍ମକୁ ନେଇ ବିଦ୍ୱେଷ ବଢୁଥିବାବେଳେ ସେ ହେଉଛନ୍ତି ଜଣେ ବ୍ୟତିକ୍ରମ । ଜାତି, ଧର୍ମର ସଂକୀର୍ଣ୍ଣତାରୁ ସେ ଥିଲେ ବହୁତ ଊର୍ଦ୍ଧ୍ୱରେ । ଦେଶପ୍ରେମ, ନ୍ୟାୟ, ଭଲପାଇବା ଉପରେ ଏ ସଂକୀର୍ଣ୍ଣ ମାନସିକତା ଯେ ପ୍ରଭାବ ପକାଇ ପାରେନି, ଏହାର ଉଦାହରଣ ସେ ରଖି ଯାଇଛନ୍ତି । ସେ ହେଉଛନ୍ତି ମୋହମ୍ମଦ ହିଦାୟତୁଲ୍ଲାହ । ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।
୧୯୬୮ରେ ସେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ । ସେ ବି ପ୍ରଥମ ବିଚାରପତି ଥିଲେ ଯିଏ କି ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ । ଦେଶରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନ ବିଚାରପତିଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟପ୍ରତି ଦାୟିତ୍ୱ ଦିଆଯାଇଥିଲା । ୧୯୬୯ ଜୁଲାଇ ୨୦ରେ ସେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ଭିଭି ଗିରି ବିଧିବଦ୍ଧ ଯାଏ ନିର୍ବାଚିତ ହେବା ଯାଏ ସେ ଏହି ପଦବୀରେ ଥିଲେ । ଏଥିପାଇଁ ସଂସଦରେ ଏକ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା । କାରଣ ଏହା ପୂର୍ବରୁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଉଭୟଙ୍କ ଅନୁପସ୍ଥିତିରେ ସିଜେଆଇଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରିବାର ବ୍ୟବସ୍ଥା ନ ଥିଲା । ଏହା ବ୍ୟତୀତ ସେ ୧୯୭୯ରୁ ୧୯୮୪ ଉପରାଷ୍ଟ୍ରପତି ମଧ୍ୟ ରହିଥିଲେ ।
ଯୌବନାବସ୍ଥାରେ ମୋହମ୍ମଦ ହିଦାୟତୁଲ୍ଲାହ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେ ୪୩ ବର୍ଷ ଯାଏ ବିବାହ କରି ନ ଥିଲେ । ହେଲେ ପରେ ଜଣେ ହିନ୍ଦୁ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ୫ ବର୍ଷ ସମ୍ପର୍କରେ ରହିବା ପରେ ସେ ପ୍ରତିଜ୍ଞା ଭାଙ୍ଗି ୪୩ ବର୍ଷ ବୟସରେ ବିବାହ କରିଥିଲେ । କୁହାଯାଏ, ସେ ଯାହାକୁ ବିବାହ କରିଥିଲେ ସେ ନାଗପୁରରେ ଜଣେ ଆଇନର ଛାତ୍ରୀ ଥିଲେ । ସେ ସମୟରେ ମୋହମ୍ମଦ ହିଦାୟତୁଲ୍ଲାହ ଆଇନ ପ୍ରଫେସର ଥିଲେ । ପ୍ରଫେସର ଥିବାବେଳେ ମୋହମ୍ମଦ ହିଦାୟତୁଲ୍ଲାହ ଖୁବ ମଜାଳିଆ ଅନ୍ଦାଜରେ ପାଠ ପଢାଉଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓ ମୋହମ୍ମଦ ହିଦାୟତୁଲ୍ଲାହଙ୍କର ଛାତ୍ର ଥିଲେ ।
୧୯୪୮ରେ ମୋହମ୍ମଦ ହିଦାୟତୁଲ୍ଲାହ ହାଇକୋର୍ଟର ଜଜ ହୋଇଥିଲେ । ସେହି ସମୟରେ ବିବାହ କରିଥିଲେ ପୁଷ୍ପା ଶାହଙ୍କୁ । ଏକ ସଂସ୍କାରୀ ପରିବାରରୁ ଆସିଥିଲେ ଆଇନ ଛାତ୍ରୀ ଥିବା ପୁଷ୍ପା । ସ୍ୱାଧୀନତା ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାର ବର୍ଷକ ପରେ ସେମାନେ ବିବାହ କରିଥିଲେ । ଯେହେତୁ ଉଭୟ ଭିନ୍ନ ଧର୍ମରୁ ଆସିଥିଲେ ତେଣୁ ପରିବାର ଲୋକଙ୍କୁ ମନେଇବା ପାଇଁ ସମୟ ଲାଗିଥିବ ନିଶ୍ଚୟ । ସେତେବେଳେ ଉଭୟଙ୍କର ଏହି ବିବାହକୁ ନେଇ ନାଗପୁରରେ ଖୁବ ଚର୍ଚ୍ଚା ହୋଇଥିଲା । କାରଣ ମୋହମ୍ମଦ ହିଦାୟତୁଲ୍ଲାହ ସେତେବେଳେ ହାଇକୋର୍ଟ ଜଜ ପଦବୀରେ ଥିଲେ ।
ଯାହା ବି ହେଉ, ହିଦାୟତୁଲ୍ଲାହ ମୁସଲିମ ସଂପ୍ରଦାୟର ହେଲେ ମଧ୍ୟ ତାଙ୍କର କାର୍ଯ୍ୟଶୈଳୀ ଧର୍ମନିରପେକ୍ଷ ମୂଲ୍ୟବୋଧ ଉପରେ ଆଧାରିତ ଥିଲା । ତାଙ୍କର ଜୀବନ ଏବଂ କାର୍ଯ୍ୟ ଉପରେ ଭାରତର ସଂସ୍କୃତି ଓ ପରମ୍ପରାର ଖୁବ ପ୍ରଭାବ ପଡିଥିଲା । ହିନ୍ଦୁ ଧର୍ମ ଏବଂ ହିନ୍ଦୁ ନୀତିରିତି ଓ ଆଦର୍ଶକୁ ସେ ଭଲ ଭାବେ ବୁଝିଥିଲେ ଏବଂ ସମ୍ମାନ କରୁଥିଲେ । ଯେହେତୁ ତାଙ୍କର ପତ୍ନୀ ପୁଷ୍ପା ଶାହଙ୍କର ହିନ୍ଦୁ ଧର୍ମ ଉପରେ ଗଭୀର ଜ୍ଞାନ ଥିଲା ଏବଂ ସେ ଏହାକୁ ଖୁବ ନିଷ୍ଠାର ସହ ପାଳନ କରୁଥିଲେ ତେଣୁ ଏହାର ପ୍ରଭାବ ମଧ୍ୟ ହିଦାୟତୁଲ୍ଲାହଙ୍କ ଉପରେ ପଡିଥିଲା । ବିବାହ ପରେ ତାଙ୍କ ଘରେ ଉଭୟ ହିନ୍ଦୁ ଓ ମୁସଲିମ ପର୍ବ ଓ ପରମ୍ପରା ସବୁ ନିଷ୍ଠାର ସହ ପାଳନ କରାଯାଉଥିଲା ।
ହିଦାୟତୁଲ୍ଲାହ ହିନ୍ଦୁ ଧର୍ମଗ୍ରନ୍ଥ ଗୀତା, ବେଦ, ଓ ଉପନିଷଦ ପଢୁଥିଲେ । ସେ ସବୁବେଳେ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ । ତେବେ କୁହାଯାଏ ହିଦାୟତୁଲ୍ଲାହ ହିନ୍ଦୁ ଧର୍ମ ପ୍ରତି ଖୁବ ପ୍ରଭାବିତ ହୋଇଥିଲେ । ତାଙ୍କ ଜୀବନରେ ହିନ୍ଦୁତ୍ୱର ଅନୁଭବ କେବଳ ଏକ ଧାର୍ମିକ ସତ୍ତା ଭାବରେ ନଥିଲା । ଏକ ସାଂସ୍କୃତିକ ଏବଂ ସଭ୍ୟତା ଭାବେ ତାଙ୍କ ଜୀବନକୁ ପ୍ରଭାବିତ କରିଥିଲା । ତାଙ୍କ ପରିବାର ଲୋକେ ବି ତାଙ୍କ ଇଚ୍ଛାକୁ ସମ୍ମାନ ଦେଉଥିଲେ । ସେଥିପାଇଁ ୧୯୯୨ ସେପ୍ଟେମ୍ବର ୧୮ ତାରିଖରେ ତାଙ୍କର ଦେହାନ୍ତ ପରେ ତାଙ୍କ ଅନ୍ତିମ ଇଚ୍ଛାକୁ ପରିବାର ଏବଂ ବନ୍ଧୁ ପରିଜନ ସମ୍ମାନ ଦେଇଥିଲେ । ଏହାକୁ ନେଇ ସମସ୍ତେ ସକରାତ୍ମକ ଦୃଷ୍ଟିରେ ଦେଖୁଥିଲେ । ହିଦାୟତୁଲ୍ଲାହ ତାଙ୍କ ଜୀବନୀକୁ ନେଇ ‘ମାଇ ଓନ୍ ବାସବେଲ’ ଲେଖିଥିଲେ ।