ସିଦ୍ଦରମେୟାଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ, ମାମଲା ଚଳାଇବାକୁ ଅନୁମତି ଦେଲେ ରାଜ୍ୟପାଳ

ମହୀଶୁର ସହର ବିକାଶ କର୍ତ୍ତୃପକ୍ଷ ଅଞ୍ଚଳରେ ଥିବା ଜମି ଆବଣ୍ଟନରେ ହେରଫେର ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ତଦନ୍ତ ହେବ ।

Siddaramaiah

ବଢ଼ିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅଡ଼ୁଆ । ସିଦ୍ଦରମେୟାଙ୍କ ବିରୋଧରେ ଜମି ଦୁର୍ନୀତି ମାମଲା ଚଳାଇବାକୁ ଅନୁମତି ଦେଲେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ । ମହୀଶୁର ସହର ବିକାଶ କର୍ତ୍ତୃପକ୍ଷ ଅଞ୍ଚଳରେ ଥିବା ଜମି ଆବଣ୍ଟନରେ ହେରଫେର ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ତଦନ୍ତ ହେବ । ଦୁର୍ନୀତି ନିବାରଣ ଆଇନ ବଳରେ ହେବ କାର୍ଯ୍ୟାନୁଷ୍ଠାନ । ମହୀଶୁର ସହର ବିକାଶ ପ୍ରାଧିକରଣ ବା ମୁଦ୍ଦା ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମେତ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି ।

ତେବେ କ’ଣ ଏ ମୁଦ୍ଦା ମାମଲା । ମହୀଶୂର ସହରର ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୦୯ରେ ମହୀଶୂର ସହର ବିକାଶ ପ୍ରାଧିକରଣ ଏକ ନୂଆ ଯୋଜନା ଆଣିଥିଲା ଫିଫ୍ଟି ଫିଫ୍ଟି । ଏହି ଯୋଜନା ମାଧ୍ୟମରେ ସହର ବିକାଶ ଲାଗି ଯେଉଁମାନେ ଜମି ହରାଉଥିଲେ ସେମାନଙ୍କୁ ବିକଶିତ ସ୍ଥାନରେ ୫୦ ପ୍ରତିଶତ ପ୍ଲଟ୍ ଆବଣ୍ଟିତ କରାଯାଉଥିଲା । ତେବେ ୨୦୨୦ରେ ତତକାଳୀନ ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିଦେଇଥିଲେ ।

ତେବେ ଏହି ଯୋଜନା ବନ୍ଦ ହେବା ପରେ ମଧ୍ୟ ମହୀଶୂର ସହର ବିକାଶ ପ୍ରାଧିକରଣ ଏହାକୁ ଜାରି ରଖିବା ସହ ଜମି ଅଧିଗ୍ରହଣ ଏବଂ ଆବଣ୍ଟନ ଜାରି ରଖିଥିଲେ । ଆଉ ୨୦୨୧ରେ ସିଦ୍ଦରମେୟାଙ୍କ ପତ୍ନୀ ଏହି ଯୋଜନାରେ ଲାଭବାନ ହୋଇଥିବା ଅଭିଯୋଗ ହୋଇଛି । ସିଦ୍ଦରମେୟାଙ୍କ ପତ୍ନୀଙ୍କୁ ୧୪ଟି ମହଙ୍ଗା ପ୍ଲଟ୍ ଆବଣ୍ଟିତ କରାଯାଇଥିବା ଅଭିଯୋଗ ହୋଇଛି ।