• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଶିଶୁ ଯୌନ ଉତ୍ପୀଡ଼ନ ଅପରାଧ ପାଇଁ କେବଳ ସ୍କିନ ଟୁ ସ୍କିନ୍ ବା ପୀଡ଼ିତା ଓ ଅଭିଯୁକ୍ତ ମଧ୍ୟରେ ସିଧାସଳଖ ଚର୍ମଗତ ସଂପର୍କ ଜରୁରୀ ନୁହେଁ । ଏଠି ଅପରାଧୀର ଉଦ୍ଦେଶ୍ୟ ହିଁ ଗୁରୁତ୍ୱପୂର୍ଣ୍ଣ । ସିଧାସଳଖ ସ୍ପର୍ଶ ନ କରି ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଯଦି ଶିଶୁର ସମ୍ବେଦନଶୀଳ ଅଙ୍ଗକୁ ପୋଷାକ ଉପରୁ ସ୍ପର୍ଶ କଲେ, ତାକୁ ମଧ୍ୟ ଯୌନ ଉତ୍ପୀଡ଼ନ ବୋଲି ଗ୍ରହଣ କରାଯିବ ।

ଏପରି ନହେଲେ ପିଲାମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ହୋଇଥିବା POCSO ଆକ୍ଟର ଉଦ୍ଦେଶ୍ୟ ସାଧନ ହୋଇପାରିବ ନାହିଁ । ଆଉ ତା ବିରୋଧରେ ପୋକ୍ସୋ ମାମଲା ରୁଜୁ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏ ସଂପର୍କିତ ଏକ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଯଦି ସ୍କିନ୍ ଟୁ ସ୍କିନ୍ ସ୍ପର୍ଶକୁ ଜରୁରୀ ବୋଲି ଗ୍ରହଣ କରାଯିବ, ତେବେ ଜଣେ ସର୍ଜିକାଲ ଗ୍ଲୋବ୍ସ ପିନ୍ଧି ଅପରାଧ କରି ଖସି ଯାଇପାରିବ । ଏହା ଦ୍ୱାରା ପୋକ୍ସୋ ଆକ୍ଟର ମୂଳ ଉଦ୍ଦେଶ୍ୟ ସାଧିତ ହେବନାହିଁ । ଆଇନର ଗଳାବାଟରେ ଅଭିଯୁକ୍ତକୁ ଖସିଯିବାକୁ ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଏକ ପୋକ୍ସୋ ମାମଲାରେ ବମ୍ବେ ହାଇକୋର୍ଟ କହିଥିଲେ, ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ ହୋଇନଥିଲେ ପୋକ୍ସୋ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଏପରି ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । ଚର୍ମରୁ ଚର୍ମ ସମ୍ପର୍କ ନକରି ନାବାଳିକାର ବ୍ୟକ୍ତିଗତ ଅଂଶକୁ ସ୍ପର୍ଶ କରିବା POCSO ଅଧିନିୟମ ଅଧୀନରେ ଆସୁନାହିଁ ବୋଲି କହିଥିଲେ ହାଇକୋର୍ଟ । ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ ।

ହାଇକୋର୍ଟର ଏହି ନିଷ୍ପତ୍ତି ବଦଳାଇ ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ବମ୍ବେ ହାଇକୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । POCSO ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।