• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧୋଲପୁର : ବାଜା ବଜାଇ ବାହାରିଲା ମାଙ୍କଡ଼ର ଶବଯାତ୍ରା । ଯୋଗ ଦେଲେ ସହରବାସୀ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ କରେଣ୍ଟ୍ ଲାଗି ଏକ ମାଙ୍କଡ଼ର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଅଞ୍ଚଳର ଲୋକମାନେ ବ୍ୟାଣ୍ଡବାଜା ସହିତ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଛନ୍ତି । ସନାତନ ଧର୍ମ ଅନୁସାରେ ମୃତ ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଛି । ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ ବୋଲି ବିବେଚନା କରାଯାଏ । ହେଲେ ଏହି ଦିନ ମାଙ୍କଡ଼ର ମୃତ୍ୟୁ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା । ମୃତ ମାଙ୍କଡ଼ର ଶବଯାତ୍ରା କରି ଅନ୍ତିମ ସଂସ୍କାର କରିବା ପାଇଁ ଲୋକେ ଚିନ୍ତା କରିଥିଲେ ।

ଧୋଲପୁରର ବରୀ ସହରର ପୁରୁଣା ବଜାରରେ ଏପରି ଦୃଶ୍ୟ ଦେଖିବା ପାଇଁ ମଳିଛି । ପଶୁପ୍ରେମୀ ରାମକୁମାର ଚୌଧରୀ ଏବଂ ସ୍ଥାନୀୟ ଲୋକମାନେ ପରମ୍ପରା ଅନୁସାରେ ମାଙ୍କଡ଼ର ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ । ମୃତ ମାଙ୍କଡ଼କୁ ପ୍ରଥମେ ଗାଧୋଇ ଦିଆଗଲା, ଆଉ ତା’ପରେ ନୂଆ ପୋଷାକ ପିନ୍ଧାଇ ଦିଆଯାଇଥିଲା । ଆଉ ତା’ପରେ ମାଙ୍କଡ଼ର ଶବକୁ ଏକ ଠେଲା ଗାଡ଼ିରେ ରଖି ବ୍ୟାଣ୍ଡବାଜା ସହ ଅନ୍ତିମ ସଂସ୍କାର କରାଯାଇଥିଲା । ପରିଶେଷରେ ମୃତ ମାଙ୍କଡ଼କୁ ହିନ୍ଦୁ ରୀତିନୀତି ଅନୁଯାୟୀ ପୋତି ଦିଆଯାଇଥିଲା । ଏହି ଅବସରରେ ଉପସ୍ଥିତ ଲୋକମାନେ ହନୁମାନଙ୍କ ଆରତୀ ସହିତ ମାଙ୍କଡ଼ର ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଏହାସହ ଦୁଇ ମିନିଟର ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା।

ପଶୁପ୍ରେମୀ ରାମକୁମାର ଚୌଧୁରୀ କହିଛନ୍ତି, ପୁରୁଣା ବଜାରରେ ମାଙ୍କଡ଼ମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଏହି ସମୟରେ ଏକ ମାଙ୍କଡ଼ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା ।

ଏହାପୂର୍ବରୁ ବରୀ ସହରର ଏକ ଟାୱାର ନିକଟରେ ମଙ୍ଗଳବାର ଦିନ ଏକ ମାଙ୍କଡ଼କୁ କୁକୁରମାନ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲା । ସ୍ଥାନୀୟ ଲୋକ ଆହତ ମାଙ୍କଡ଼କୁ ପ୍ରାଣୀ ଚିକିତ୍ସକ ଠାରେ ଚିକିତ୍ସା କରିଥିଲେ, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।