• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମର ଚଢ଼ଉ । କୋଲକାତାର କଂପାନିରେ ସତ୍ୟେନ୍ଦ୍ରଙ୍କ ଅର୍ଥ ନିବେଶକୁ ନେଇ ହୋଇଥିବା କାରବାର ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି । ଏହି ବେଆଇନ ଅର୍ଥ କାରବାରକୁ ନେଇ କିଛିଦିନ ପୂର୍ବରୁ ସତ୍ୟେନ୍ଦ୍ରଙ୍କୁ ଇଡି ଗିରଫ କରିଛି ।

ଇଡିର ସୂଚନା ଅନୁସାରେ, ବେନାମୀ କଂପାନି ନାଁରେ ସତ୍ୟେନ୍ଦ୍ର ୧୬ କୋଟି ଟଙ୍କା ଦେଣନେଣ କରିଛନ୍ତି । ମୋଟ୍ ୮ ଥରରେ ଏହି ୧୬ କୋଟି ଟଙ୍କା ଦେଣନେଣ ହୋଇଥିବାବେଳେ ଶେଷ ତିନି ଥରରେ ୪.୬ କୋଟି ଟଙ୍କାର ଟ୍ରାଞ୍ଜାକସନ ହୋଇଛି । ୨୦୧୫-୧୬ରେ ସତ୍ୟେନ୍ଦ୍ର ଦିଲ୍ଲୀର ଆପ୍ ସରକାରରେ ମନ୍ତ୍ରୀ ଥିବାବେଳେ ଏହିସବୁ ଦେଣନେଣ ହୋଇଥିଲା ବୋଲି ଇଡି ଦର୍ଶାଇଛି ।

ସୂଚନାଯୋଗ୍ୟ ମେ ୩୧ ତାରିଖରେ ଘନ ଘନ ଜେରା ପରେ ବନ୍ଧା ହୋଇଥିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ୪କୋଟି ୮୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ବା ମନି ଲଣ୍ଡରିଂ ଅଭିଯୋଗରେ ସିବିଆଇ ତାଙ୍କ ନାଁରେ ୨୦୧୭ରେ ମାମଲା ରୁଜୁ କରିଥିଲା । ସତ୍ୟେନ୍ଦ୍ର ଜୈନ ନିଜେ ପ୍ରତିଷ୍ଠା କରିଥିବା କିଛି କମ୍ପାନୀକୁ ବିପୁଳ ପରିମାଣର ଟଙ୍କା ପଠାଇ ତାକୁ ହଡ଼ପ କରିନେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ମଧ୍ୟ ଏହି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଡାକି ପଚରାଉଚରା କରିଥିଲା ଇଡି ।

ସତ୍ୟେନ୍ଦ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗ

୨୦୧୫-୧୬ ମସିହାରେ ଦିଲ୍ଲୀରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଭାବେ କାମ କରୁଥାନ୍ତି ସତ୍ୟେନ୍ଦ୍ର । ତାଙ୍କ ଦ୍ୱାରା ପ୍ରତିଷ୍ଠିତ କିଛି କମ୍ପାନୀକୁ ଛଦ୍ମ କମ୍ପାନୀ ମାନଙ୍କ ଠାରୁ ଟଙ୍କା ପଠାଯାଇଥିଲା । ପରେ ଏହି ଟଙ୍କାକୁ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଂଚଳରେ ଜାଗା କିଣିବା କିମ୍ବା ଋଣ ଶୁଝିବା ପାଇଁ ବ୍ୟବହାର କରାଯାଇଥିଲା । ଏନେଇ ଏକ ମାମଲା ରୁଜୁ କରିଥିଲା ସିବିଆଇ । ସତୈନ୍ଦ୍ରଙ୍କ ଚାରିଟି କମ୍ପାନୀକୁ ବିପୁଳ ପରିମାଣରେ ଟଙ୍କା ଆସିଥିଲେ ବି, କେଉଁ ସୂତ୍ରରୁ ଏତେ ପରିମାଣରେ ଟଙ୍କା ଆସିଥିଲା ସେନେଇ ସତ୍ୟେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

କେବଳ ଏତିକି ନୁହେଁ, ସତ୍ୟେନ୍ଦ୍ର ନିଜ ପତ୍ନୀଙ୍କ ବିଭିନ୍ନ କଂପାନୀରେ ଏକ ତୃତୀୟାଂଶ ଅଂଶୀଦାର ଥିଲେ । ଏହି କମ୍ପାନୀଗୁଡିକ ଉପରେ ସତୈନ୍ଦ୍ରଙ୍କ ପୂରା କର୍ତ୍ତୃତ୍ତ୍ୱ ଥିଲା । ତାଙ୍କ ନିର୍ଦ୍ଦେଶରେ ହିଁ କମ୍ପାନୀ ଗୁଡିକ ପରିଚାଳିତ ହେଉଥିଲା । ଏଥିସହ ପୁଞ୍ଜିନିବେଶ ନାଁରେ ବେନାମୀ କମ୍ପାନୀରେ ଟଙ୍କା ରଖାଯାଉଥିଲା । ଏଭଳି କିଛି ପ୍ରମାଣ ମିଳିବା ପରେ, ସିବିଆଇ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ପଚାରାଉଚରା ପାଇଁ ଡକାଯାଉଥିଲା । ୨୦୧୦ରୁ ୨୦୧୨ ମଧ୍ୟରେ ୧୧କୋଟି ୭୮ ଲକ୍ଷ ଟଙ୍କା ମନି ଲଣ୍ଡରିଂ କରିଥିବା ମଧ୍ୟ ସତ୍ୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ରହିଛି ।