କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜୁନ୍‌ ୨୫ରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’

ଜୁନ୍‌ ୨୫କୁ ଦେଶର ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Samvidhaan Hatya Diwas

ଜୁନ୍‌ ୨୫କୁ ଦେଶର ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏ ସର୍ମ୍ପକରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ବିଜ୍ଞପ୍ତିକୁ ସେୟାର କରିଛନ୍ତି । ସୂଚନା ଅନୁସାରେ ୧୯୭୫ ମସିହା ଜୁନ୍‌ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୨୬ ଜୁନ୍‌ରେ ରେଡିଓ ମାଧ୍ୟମରେ ଇମରଜେନ୍ସି ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ ।

ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ବିଜ୍ଞପ୍ତି ସେୟାର କରି ଲେଖିଛନ୍ତି ଯେ, ‘ ୧୯୭୫ ମସିହା ଜୁନ୍‌ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ଏକଛତ୍ରବାଦୀ ମାନସିକତା ପ୍ରଦର୍ଶନ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାସହ ଲକ୍ଷ ଲକ୍ଷ ଲୋକଙ୍କୁ ବିନା କାରଣରେ ଜେଲରେ ଭର୍ତ୍ତି କରିଦେଇଥିଲେ । ଏମିତି କି ସ୍ୱରକୁ ମଧ୍ୟ ଦମନ କରିଦେଇଥିଲେ । ୧୯୭୫ ମସିହାରେ ଜରୁରୀ ପରିସ୍ଥିତି ସମୟରେ ଯେଉଁମାନେ ଅମାନୁଷିକ ଯନ୍ତ୍ରଣା ଭୋଗିଥିଲେ, ସେମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୨୫ ଜୁନ୍‌କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତି ଭାରତ ଇତିହାସରେ ଏକ ବିବାଦୀୟ ଘଟଣା । ରାଜନୈତିକ ଅସ୍ଥିରତା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥିଲା ବୋଲି କୁହାଯାଏ । ଜରୁରୀକାଳୀନ ସମୟରେ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଗଣମାଧ୍ୟମରେ ସ୍ୱର ଦମନ କରିବା ସହ ନାଗରିକଙ୍କ ସ୍ୱାଧୀନତା ମଧ୍ୟ ସୀମିତ କରାଯାଇଥିଲା ।

ଜରୁରୀକାଳୀନ ପରିସ୍ଥିତିରେ ବିରୋଧି ଦଳର ବଡ଼ ନେତା ଜେଲରେ ଥିଲେ । କିନ୍ତୁ ସେମାନେ ଏକତା ଦେଖାଇଥିଲେ । ବହୁ ବିରୋଧୀଦଳ ନେତା ରାସ୍ତାକୁ ଓହ୍ଲାଇଥିଲେ ଏବଂ ରାଷ୍ଟ୍ରପତି ଭବନକୁ ମଧ୍ୟ ଘେରିଥିଲେ । ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ତେବେ ଜରୁରୀକାଳୀନ ପରିସ୍ଥିତି ହଟିବା ପରେ ୧୯୭୭ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେତେବେଳେ ଇନ୍ଦିରା ଗାନ୍ଧୀ ନିଜେ ରାୟବରେଲିରୁ ମଧ୍ୟ ନିର୍ବାଚନ ହାରିଯାଇଥିଲେ ।