ଅସଲି ଟଙ୍କା ନେଇ ବିମାନରେ ଭଙ୍ଗା ସିଟ୍ ଦେଉଛି ଏୟାର ଇଣ୍ଡିଆ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ । କେନ୍ଦ୍ର ମନ୍ତ୍ରୀ ଖରାପ ବିମାନ ସେବା ପାଇଁ ଏୟାର ଇଣ୍ଡିଆ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶନିବାର ଦିନ ଏୟାର ଇଣ୍ଡିଆର ବିମାନ ମାଧ୍ୟମରେ ଭୋପାଳରୁ ଦିଲ୍ଲୀ ବିମାନରେ ଯାତ୍ରା କରିଥିଲେ । ସେ ବିମାନ ଯୋଗେ ଭୋପାଲରୁ ଦିଲ୍ଲୀ ଯାତ୍ରା କରିବା ସମୟର ତିକ୍ତ ଅନୁଭୂତିକୁ ବର୍ଣ୍ଣନାକରି ସୋସିଆଲ ମିଡ଼ିଆ 'ଏକ୍ସ'ରେ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି ।
Also Read
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା । ସେ ନିଜ ଏକ୍ସରେ ଲେଖିଛନ୍ତି, 'ପୁସାରେ କୃଷକ ମେଳା ଉଦଘାଟନ, କୁରୁକ୍ଷେତ୍ରରେ ବୈଠକ, ଚଣ୍ଡୀଗଡରେ କୃଷକ ସଂଗଠନର ପ୍ରତିନିଧିଙ୍କ ସହିତ ଚର୍ଚ୍ଚା କରିବା ପାଇଁ ଆଜି ମୋତେ ଭୋପାଳରୁ ଦିଲ୍ଲୀ ଯିବାର ଥିଲା । ମୁଁ ଏୟାର ଇଣ୍ଡିଆ ବିମାନ ଏଆଇ ୪୩୬ରେ ଟିକେଟ କାଟିଥିଲି । ମୋତେ ସିଟ୍ ନଂ ୮ ସି ମିଳିଥିଲା । ମୁଁ ସିଟରେ ବସିବା ବେଳେ ସିଟ୍ ଭାଙ୍ଗିଥିଲା ଏବଂ ଭିତରକୁ ପଶିଯାଇଥିଲା । ଏଥିରେ ବସିବା ଯନ୍ତ୍ରଣାଦାୟକ ରହିଥିଲା । ତଥାପି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍ରେ ବସି ଯାତ୍ରା କରିଥିଲେ । ମୋର ସହଯାତ୍ରୀମାନେ ମୋତେ ସିଟ୍ ପରିବର୍ତ୍ତନ କରି ଏକ ଭଲ ସିଟ୍ରେ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ ମୁଁ ମୋର ଆରାମ ପାଇଁ ଅନ୍ୟ ବନ୍ଧୁଙ୍କୁ କାହିଁକି କଷ୍ଟ ଦେବି? ତେଣୁ, ମୁଁ ନିଷ୍ପତ୍ତି ନେଇଥିଲି ମୁଁ ସେହି ସିଟରେ ଯାତ୍ରା କରିବି ।'
ଏହାକୁ ନେଇ ମନ୍ତ୍ରୀ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ କର୍ମଚାରୀ କହିଥିଲେ ଭଙ୍ଗା ସିଟ୍ ବାବଦରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ବିମାନରେ ଏମିତି ଅନେକ ଭଙ୍ଗା ସିଟ୍ ଥିବା ନେଇ ବିମାନ କର୍ମଚାରୀ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ବୋଲି କ୍ଷୋଭର ସହ ନିଜ ପୋଷ୍ଟରେ ଲେଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ଫଟୋ ପୋଷ୍ଟ କରି ଏୟାର ଇଣ୍ଡିଆଙ୍କୁ ଟ୍ୟାଗ୍ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଟାଟା ଗ୍ରୁପ ହାତକୁ ଏୟାର ଇଣ୍ଡିଆ ଯିବା ପରେ ବିମାନ ସେବାରେ ଉନ୍ନତି ହେବା ନେଇ ଧାରଣା ଏକ ଭ୍ରମ ଥିଲା । ଏହାସହ କେନ୍ଦ୍ରମନ୍ତ୍ରୀ ଏୟାର ଇଣ୍ଡିଆକୁ 'ଚିଟର୍' କହିବା ସହ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ତେବେ ଏୟାର ଇଣ୍ଡିଆ କହିଛି ଏହି ଘଟଣାର ତଦନ୍ତ କରାଯାଉଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି ।