• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୭୦ ବର୍ଷ ବୟସରେ ଥକିନି ଶରୀର

  • ୭୦ ବର୍ଷ ବୟସରେ ୩ କି.ମିର କେନାଲ ତିଆରି କରୁଛନ୍ତି

ପାଟନା: ପୁରାଣରେ ଲିପିବଦ୍ଧରେ ରହିଛି ଭଗିରଥଙ୍କ ଗାଥା । ସହସ୍ର ବର୍ଷ ତପସ୍ୟା ପରେ ଦେବୀ ଗଙ୍ଗାଙ୍କୁ ତୁଷ୍ଟ କରି ସ୍ୱର୍ଗଲୋକରୁ ଭୂଲୋକକୁ ନେଇ ଆସିଥିଲେ ରାଜା ଭଗିରଥ । ସେଇଥିପାଇଁ ତ, ଗଙ୍ଗାର ଆଉ ଏକ ନାଁ ହେଉଛି ଭାଗିରଥି । ଆସନ୍ତୁ ଜାଣିବା ଆଉ ଜଣେ ଭଗିରଥଙ୍କ କଥା । ହେଲେ ଇଏ କୌଣସି ରାଜା ନୁହଁନ୍ତି, କି ସ୍ୱର୍ଗରୁ କୌଣସି ଦେବୀଙ୍କୁ ବି ମର୍ତ୍ତ୍ୟକୁ ଆଣିନାହାନ୍ତି । ଅଥଚ ଏହି ପରିଣତ ବୟସ୍କ ଗରିବ ଖଟିଖିଆ ଲୋକଟିକୁ ସମସ୍ତେ କହୁଛନ୍ତି, ବିହାରର ଭଗିରଥ ।

କାରଣ ଦୀର୍ଘ ୩୦ ବର୍ଷ ଧରି ଯେଉଁ ଇଚ୍ଛାଶକ୍ତି ଓ ପରିଶ୍ରମର ପରାକାଷ୍ଠା ଦେଖାଇଛନ୍ତି, ତାହା କୌଣସି ତପସ୍ୟାଠୁ କମ୍ ନୁହେଁ । କି ଯେଉଁ ଛୋଟ ନାଳଟିକୁ ନିଜ ଗାଁ ଯାଏଁ ଟାଣିଆଣିଛନ୍ତି, ତାହା ଏଠାକାର ଚାଷୀଙ୍କ ପାଇଁ ଗଙ୍ଗାନଦୀଠୁ ବି କମ୍ ନୁହେଁ । ବିହାର ଗୟା ଜିଲ୍ଲା ଲହଟୁଆ ଅଞ୍ଚଳର ପଛୁଆ ଗାଁ କୋଠଲିଆ ବିକାଶର ରଥ ପାଲଟିଛି । ଏଠି ପହଞ୍ଚିବା ତ ଦୂରର କଥା, ଚାଷ ପାଇଁ ପାଣି ବି ପହଞ୍ଚୁନଥିଲା । ଜଳକ୍ଳିଷ୍ଟ ଇଲାକାରେ ଲୋକମାନେ କେବଳ ବର୍ଷାଜଳ ଉପରେ ନିର୍ଭର କରି ଅଳ୍ପ କିଛି ଚାଷ କରୁଥିଲେ ହେଲେ ସେମାନଙ୍କ ପାଇଁ ଭଗିରଥ ସାଜିଲେ ଲୌଙ୍ଗି ଭୂଇୟାଁ । ବିନା କାହାର ସହଯୋଗରେ, ଏକାକି ଖୋଳିଦେଲେ ୩ କିଲୋମିଟର ଦୀର୍ଘ କେନାଲ୍ ଟିଏ । ପାହାଡ଼ ତଳ ନଦୀରୁ ଗାଁ ପୋଖରୀ ଯାଏଁ ପାଣି ଆଣିବାକୁ ତାଙ୍କୁ ଲାଗିଗଲା ଦୀର୍ଘ ୩୦ ବର୍ଷ ।

୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି, ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା । ଏବେବି ନିଇତି ସକାଳ ହେଲେ କୋଡ଼ି କୋଦାଳ ଧରି ବାହାରି ଯାଉଛନ୍ତି । ନିଜ କର୍ମସ୍ଥଳକୁ ନିଜ ଯୌବନକୁ ଜଳାଞ୍ଜଳି ଦେଇ ଗୋଟିଏ ୩ କିଲୋମିଟର ଲମ୍ବ କେନାଲ୍ ଖୋଳିବା କାମ ସେ ସମ୍ପୂର୍ଣ୍ଣ କରିବା ପରେ, ସେ ପରିଣତ ବୟସରେ ବି ଆଉ ଏକ କେନାଲ୍ ଖୋଳିବାର ସ୍ୱପ୍ନ ଦେଖୁଛନ୍ତି । ଖାଲି ଦେଖୁନାହାନ୍ତି, କାମ ବି ଆରମ୍ଭ କରିସାରିଛନ୍ତି ।

 

ଦଶରଥ ମାଂଝୀ, ବିହାରର ଆଉ ଜଣେ ଚର୍ଚ୍ଚିତ ଓ ପ୍ରଶଂସିତ ବ୍ୟକ୍ତିତ୍ୱ । ବିହାର ଗେହଲୌରର ଦଶରଥ ନିଜ ହାତରେ ଖୋଳିପକାଇଥିଲେ ବିରାଟ ପାହାଡ଼ । ଯାହାକି ତାଙ୍କୁ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ପରିଚିତ କରାଇଥିଲା ମାଉଣ୍ଟେନ୍ ମ୍ୟାନ୍ ଭାବରେ । ବର୍ଷ ବର୍ଷ ଧରି ରକ୍ତକୁ ଝାଳ କରି ବୁହାଇ ଦେଇଥିଲେ । ସେ ତାଙ୍କ ସଂଘର୍ଷ ଓ ସାଧନାର କାହାଣୀକୁ ନେଇ ବଲିଉଡ୍ ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି । ତେବେ ସେହି ବିହାର ଗୟାର ଲୌଙ୍ଗି ଭୂଇଆଁଙ୍କ କଥା ପ୍ରଚାର ହେବା ପରେ, ତାଙ୍କୁ ଅନେକେ କେନାଲ୍ ମ୍ୟାନ୍ ଓ ଦ୍ୱିତୀୟ ଦଶରଥ ମାଂଝୀ ବୋଲି ମଧ୍ୟ କହୁଛନ୍ତି । ଗତବର୍ଷ ପ୍ରଥମ କେନାଲ୍ ଖୋଳିବା ବେଳେ, ଲୌଙ୍ଗି କହିଥିଲେ ଯେ, ସେ ଜୀବନରେ ଆଉ କିଛି ଚାହାନ୍ତିନି, କେବଳ ଗୋଟିଏ ଟ୍ରାକ୍ଟର ବ୍ୟତୀତ । ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ପରେ ନିଜେ ଟୁଇଟ୍ କରି ତାଙ୍କୁ ଟ୍ରାକ୍ଟର ଦେବାକୁ ପ୍ରତିଶୃତି ଦେଇଥିଲେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଟ୍ରାକ୍ଟର ପାଇ ବେଶ୍ ଖୁସି ହୋଇଥିଲେ ଲୌଙ୍ଗି ।