ଅପରେସନ୍‌ କରିଦେଲେ ନକଲି ଡାକ୍ତର; ଚାଲିଗଲା ରୋଗୀର ଜୀବନ, ୪ ଗିରଫ

ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଜଣେ ରୋଗୀ ୨୦୨୨ରେ ଗାଲ୍ ବ୍ଲାଡର ଚିକିତ୍ସା ପାଇଁ ସେହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍‌ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ କୁହାଯିବା ସହ ସର୍ଜନଙ୍କ ନାଁ ମଧ୍ୟ କ୍ଲିନିକ୍‌ ପକ୍ଷରୁ କୁହାଯାଇଥିଲା ।

ନକଲି ଡାକ୍ତର ନେଇଗଲା ଜୀବନ

ଅସ୍ତ୍ରୋପଚାର କରିଦେଲେ ନକଲି ଡାକ୍ତର । ଚାଲିଗଲା ରୋଗୀଙ୍କ ଜୀବନ । ଘଟଣାରେ ୪ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ହସ୍ପିଟାଲକୁ ନେଇ ଆହୁରି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏପରି ଏକ ସମ୍ବେଦନଶୀଳ ଘଟଣା ରାଜଧାନୀ ଦିଲ୍ଲୀ ସ୍ଥିତ ପୋସଗ୍ରେଟର କୈଳାସ ଅଞ୍ଚଳରୁ ଆସିଛି । ଏକ କ୍ଲିନିକରେ ଅସ୍ତ୍ରୋପଚାର କରିଥିବା ରୋଗୀଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ୪ଜଣଙ୍କ ମଧ୍ୟରେ ଦୁଇ ଡାକ୍ତର, ଜଣେ ମହିଳା ସର୍ଜନ ଓ ଜଣେ ଲାବୋରେଟୋରୀ ଟେକ୍ନିସିଆନ ରହିଛନ୍ତି । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଡାକ୍ତର ନୀରଜ ଅଗ୍ରୱାଲ, ତାଙ୍କ ପତ୍ନୀ ପୂଜା ଅଗ୍ରୱାଲ ଏବଂ ଡାକ୍ତର ଜସପ୍ରୀତ ସିଂଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ ।

ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଜଣେ ରୋଗୀ ୨୦୨୨ରେ ଗାଲ୍ ବ୍ଲାଡର ଚିକିତ୍ସା ପାଇଁ ସେହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍‌ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ କୁହାଯିବା ସହ ସର୍ଜନଙ୍କ ନାଁ ମଧ୍ୟ କ୍ଲିନିକ୍‌ ପକ୍ଷରୁ କୁହାଯାଇଥିଲା । ହେଲେ ପରେ ହଠାତ୍‌ ଡାକ୍ତର ଜସପ୍ରୀତ ଏବଂ ପୂଜା ଅଗ୍ରୱାଲ ଅପରେସନ୍‌ କରିଥିଲେ ।

ଅପରେସନ୍‌ ସରିବା ପରେ ଓଟିରୁ ରୋଗୀ ଜଣଙ୍କୁ ସିଫ୍ଟ କରାଯାଇଥିଲା । ହେଲେ ରୋଗୀ ଜଣକ ବହୁ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସେହିପରି ପୂର୍ବରୁ ମଧ୍ୟ କ୍ଲିନିକ୍‌ ନାଁରେ ଅଭିଯୋଗ ଆସିଛି । ମେଡିକାଲ ପ୍ରୋଟୋକଲ ଅନୁସରଣ ନକରି ଏକାଧିକ ରୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅସ୍ତ୍ରୋପଚାର କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୬ ପରଠାରୁ ସମ୍ପୃକ୍ତ କ୍ଲିନିକ୍‌ ନାଁରେ ୯ଟି ଅଭିଯୋଗ ଆସିଛି ।