• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଆ ବିଚ୍‌ରେ ଅସମ୍ଭାଳ ଭିଡ଼ । ଯୁଆଡ଼େ ଦେଖିବ ଲୋକ ଗହଳି । କେଉଁଠି ଟିକିଏ ଫାଙ୍କା ଜାଗା ନାହିଁ । ରାସ୍ତା ପାରି କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । କରୋନା କଟକଣାକୁ ଫୁ କରି ଉଡ଼ାଇ ଦେଲେ ପର୍ଯ୍ୟଟକ । ଗୋଆରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ରାଜ୍ୟର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି । ଏପରି ଏକ ଭିଡ଼ର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । @Herman_Gomes ନାମକ ଜଣେ ୟୁଜର ଟ୍ୱିଟରରେ ଏହି ଭିଡିଓ ସେୟାର କରିବା ସହ 'କରୋନା ଲହରୀକୁ ରାଜକୀୟ ସ୍ୱାଗତ ବୋଲି ଲେଖିଛନ୍ତି ।

ପୁରୁଣା ବର୍ଷକୁ ବିଦାୟ ଦେବାକୁ ତଥା ନୂଆ ବର୍ଷକୁ ସ୍ୱାଗତ କରିବାକୁ ଡିସେମ୍ବର ୨୫ ପର ଠାରୁ ଗୋଆରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ କରିବାକୁ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟକ ଲୋକ ସେଠାକୁ ଆସିଥିଲେ । ଖୁସି ମନାଇବା ପାଇଁ ସରକାରଙ୍କ କରୋନା କଟକଣାକୁ ଫୁ’ କରି ଉଡାଇ ଦେଲେ ପର୍ଯ୍ୟଟକ। ଭିଡିଓରେ ହଜାର ହଜାର ଲୋକ ଉତ୍ତର ଗୋଆର ବାଗା ବିଚ୍ ନିକଟରେ ଏକ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି ।

ଭିଡ ଭିତରେ ସୋରିଷ ଗୋଟାଏ ପକାଇଲେ ବି ଗଳି ପାରିବନି ପରି ଲାଗୁଛି । ବିଚ୍‌ରେ ଏତେ ଭିଡ଼ ଜମିଥିଲା ଯେ ଗାଡି ଚଳାଇବା ମୁସ୍କିଲ ହୋଇ ପଡ଼ିଥିଲା । ପ୍ରାୟ୨ କିଲୋମିଟର ଯାଏ ରାସ୍ତାରେ ଲାଇନରେ ଲାଗିଥିଲା ଗାଡ଼ି । ଆଉ ପାଖରେ ଜମିଥିଲା ପର୍ଯ୍ୟଟକଙ୍କ ଭିଡ଼ । ଛିଡ଼ା ହେବା ପାଇଁ କେଉଁଠି ଟିକିଏ ହେଲେ ଜାଗା ନଥିଲା ।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ରବିବାର ଦିନ ଗୋଆରେ ୩୮୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମଣ ହାର ୧୦ ପ୍ରତିଶତ ଅତିକ୍ରମ କରିଛି । ଖ୍ରୀଷ୍ଟମାସ ଠାରୁ ଆରମ୍ଭ କରି ନୂତନ ବର୍ଷ ପାଳନ ପର୍ଯ୍ୟନ୍ତ ଗୋଆରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଏହାର କାରଣ ବୋଲି ଅଧିକାରୀ କହିଛନ୍ତି ।