‘ଏବେ ଦରକାର ଅନ୍ତିମ ପ୍ରହାର, ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଭାରତ’

ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ ।

Amit Shah

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା । ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ପୁଣି ଏ ଟାର୍ଗେଟ୍‌କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।

ଅପରପକ୍ଷେ ରାଜ୍ୟରେ ମାଓମୁକ୍ତ ଅପରେସନକୁ ତୀବ୍ର କରିବାକୁ ଓଡ଼ିଶା ପକ୍ଷରୁ ୧୨ କଂପାନୀ CAPF ଓ ହେଲିକପ୍ଟର ମଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ । ନୂଆଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ଏମିତି ଢଙ୍ଗରେ ଦେଶକୁ ମାଓ ସମସ୍ୟାରୁ ମୁକ୍ତି ଦେବାର ମନ୍ତ୍ର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।

କହିଛନ୍ତି ବାମପନ୍ଥୀ ଉଗ୍ରବାଦ ଏବେ ଶେଷ ଚରଣରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ମାଓ ସମସ୍ୟାର ମୂଳୋତ୍ପାଟନ ଦିଗରେ କେବଳ ଯାହା ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି । ଛତିଶଗଡ଼ ଉଦାହରଣ ରଖି କହିଥିଲେ, ରଣନୀତି ମୁତାବକ ଜାନୁଆରୀରୁ ଏଯାଏଁ ସେଠି ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି, ୮୦୧ ନକ୍ସଲ ଗିରଫ ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି ।

ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ଖସିଆସିଛି । ତେଣୁ ଫାଇନାଲ୍ ପୁସ୍ ଦେଇ ଏବେ ଏହାକୁ ଶେଷ କରିବାକୁ ପଡ଼ିବ । ଆଇଡୋଲୋଜି ନାଁରେ ଆଉ ହତ୍ୟା ହେବନାହିଁ ବୋଲି ସଂକଳ୍ପ ନେବାକୁ ପଡ଼ିବ ବୋଲି କହି ନକ୍ସଲମାନଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଶାହ ।

ସେହିପରି ମାଓ ଉପଦ୍ରୁତ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବି ଜୋର ଦେଇଛନ୍ତି । ଏଥିସହ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମାସକୁ ଥରେ ଲେଖାଏଁ ଏବଂ ଡିଜିପିମାନେ ପ୍ରତି ୧୫ ଦିନରେ ଥରେ ନକ୍ସଲ ମୁକାବିଲା ସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଜିଲ୍ଲାସ୍ତରରେ ଡିଜିପିମାନେ ମାସକୁ ଥରେ ପ୍ରଭାବିତ ଅଞ୍ଚଳକୁ ଯାଇ ରାତ୍ରିଯାପନ କରିବାକୁ ବି ପରାମର୍ଶ ଦେଇଛନ୍ତି ।

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣାର ମାତ୍ର ୩ଦିନ ପରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା, ଛତିଶଗଡ଼ ସମେତ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ମାଓ ଅପରେସନକୁ ତୀବ୍ର କରିବାକୁ କେନ୍ଦ୍ର ପାଖରେ ୧୨ କଂପାନୀ ସିଏପିଏଫ୍ ଓ ହେଲିକପ୍ଟର ପାଇଁ ଦାବି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଯଦିଓ ରାଜ୍ୟରେ ସେଭଳି ମାଓପ୍ରଭାବ ନାହିଁ, ପଡ଼ୋଶୀ ଛତିଶଗଡ଼ରେ ନକ୍ସଲ ଅପରେସନ ଯୋଗୁଁ ସେଠାକାର ନକ୍ସଲ ଓଡ଼ିଶାକୁ ପଶି ଆସିବାର ଆଶଙ୍କା ରହିଛି । ସେ ଦୃଷ୍ଟିରୁ ସେମାନଙ୍କ ମୁକାବିଲା ପାଇଁ ଫୋର୍ସ ସାଙ୍ଗକୁ ବିକାଶମୂଳକ କାମ ପାଇଁ ସହଯୋଗ ଚାହିଁଛି ଓଡ଼ିଶା । ଦେଶରେ ନକ୍ସଲ ବିରୋଧୀ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ଥିବା ବେଳେ ପ୍ରଭାବିତ ଅଞ୍ଚଳସବୁ କେବେ ବିକାଶର ମୁଖ୍ୟ ଧାରାକୁ ଫେରୁଛନ୍ତି ଏବେ ତା ଉପରେ ନଜର ।