• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆ ଅବକାରୀ ନୀତିକୁ ନେଇ ଅଡ଼ୁଆରେ ପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଉପରେ ଏକ ସଙ୍ଗୀନ ଆରୋପ ଆଣିଛନ୍ତି । ଏପଟେ ସିବିଆଇ ତାଙ୍କ ଘରେ ଘନଘନ ରେଡ୍‌ କରୁଥିବା ବେଳେ ଇଡି ମଧ୍ୟ ମନି ଲଣ୍ତରିଂ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି । ଏଣେ ଟୁଇଟ୍ ଜରିଆରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ବିଜେପି ଉପରେ ସଂଗୀନ ଆରୋପ ଲଗାଇଛନ୍ତି ।

ସିସୋଦିଆ ନିଜ ଟୁଇଟର ପେଜରେ ବିଜେପିକୁ ଟାର୍ଗେଟ କରି ଲେଖିଥିବାର ଦେଖିବାକୁ ମିଳିଛି । ଆପ୍ ଭାଙ୍ଗି ବିଜେପିରେ ଯୋଗଦେବାକୁ ଅଫର ଆସିଥିବା କହିଛନ୍ତି ସିସୋଦିଆ । ସେ କହିଛନ୍ତି ଯେ, 'ମୋ ପାଖକୁ ବିଜେପିର ବାର୍ତ୍ତା ଆସିଲା ଯେ ଆପ୍ ଭାଙ୍ଗି ବିଜେପିରେ ମିଶିଯାଅ, ସବୁ ସିବିଆଇ, ଇଡି କେସ୍ ଉଠିଯିବ'।

ତେବେ ଭ୍ରଷ୍ଟାଚାରୀଙ୍କ ପାଖରେ ମୁଣ୍ଡ ନୁଆଁଇବି ନାହିଁ ବୋଲି ଲେଖିଛନ୍ତି ସିସୋଦିଆ । ମୁଁ ରାଜପୁତ, ମହାରାଣା ପ୍ରତାପଙ୍କ ବଂଶଧର, ମୁଣ୍ଡ ନୁଆଁଇବି ନାହିଁ । ମୋ ବିରୋଧରେ ସମସ୍ତ ମାମଲା ମିଛ, ଯାହା କରିବା କଥା କର ବୋଲି କହିଛନ୍ତି ସିସୋଦିଆ ।

 

ତେବେ ସିସୋଦିଆ ନିଜକୁ ମହାରାଣା ପ୍ରତାପଙ୍କ ସହ ତୁଳନା କରିବା ଲଜ୍ଜାଜନକ ବୋଲି କହିଛନ୍ତି ବିଜେପି ନେତା ମନୋଜ ତିୱାରୀ । ସେ ଏନେଇ ପ୍ରଶ୍ନ କରିଛନ୍ତି ଯେ, ଯଦି ସିସୋଦିଆ ନିଜକୁ ମହାରାଣା ପ୍ରତାପଙ୍କ ସହ ତୁଳନା କରୁଛନ୍ତି, ତେବେ କଣ ମହାରାଣା ପ୍ରତାପ ଲୋକଙ୍କୁ ମଦ ପିଇବାକୁ କହୁଥିଲେ । ସେ ଆହୁରି କହିଛନ୍ତି ଯେ, ସିସୋଦିଆ ଦିଲ୍ଲୀର କୋଣ ଅନୁକୋଣରେ ମଦ ବିକ୍ରି କରୁଛନ୍ତି । ସେ କଦାପି ଦିଲ୍ଲୀର ମହିଳାଙ୍କ ଦୁଃଖ ବୁଝିପାରି ନାହାନ୍ତି । ମହାରାଣା ପ୍ରତାପ ସଦାବେଳେ ମହିଳାଙ୍କ ପାଇଁ ଅସ୍ତ୍ର ଉଠାଇଥିଲେ ।