• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିଣତ ବୟସରେ ଅଲୋଡ଼ା ହୋଇଗଲେ ବୃଦ୍ଧ ଚାଷୀ । ପୁଅ, ବୋହୂ, ଝିଅ, ନାତି, ନାତୁଣୀ କେହି ବି ପଚାରିଲେନି । କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇଥିଲେ ସୁଦ୍ଧା ସମସ୍ତେ ପର କରିଦେଲେ । ଶେଷ ସମୟରେ ଘରେ ପରିବାର ଲୋକଙ୍କ ଗହଣରେ ନୁହେଁ, ବୃଦ୍ଧାଶ୍ରମରେ ତାଙ୍କର ସମୟ ବିତୁଥିଲା ।

ଶେଷରେ ବିରକ୍ତ ହୋଇ ନାଥୁ ସିଂ(Nathu Singh ) ନାମକ ବୃଦ୍ଧ ଚାଷୀ ଜଣକ ନିଜର ୧.୫ କୋଟିରେ ସମ୍ପତ୍ତି ରାଜ୍ୟ ସରକାର(Uttar Pradesh government)ଙ୍କ ନାମରେ ଲେଖି ଦେଇଛନ୍ତି । କେବଳ ଏତିକି ନୁହେଁ ମୃତ୍ୟୁ ପରେ ପରୀକ୍ଷାନୀରିକ୍ଷା ପାଇଁ ଡାକ୍ତରଖାନାକୁ ତାଙ୍କ ଶରୀରକୁ ଦାନ କରିଦେଇଛନ୍ତି । ଏହାସହ ତାଙ୍କର ଅନ୍ତିମ ସଂସ୍କାର ସମୟରେ ପୁଅ କି ଝିଅ କେହି ଉପସ୍ଥିତ ରହିବେ ନାହିଁ ବୋଲି ୱିଲରେ ସ୍ପଷ୍ଟ ଭାବରେ ଲେଖି ଦେଇଛନ୍ତି ।

 

ମୁଜାଫରନଗର(Muzaffarnagar)ର ୮୫ ବର୍ଷ ବୟସ୍କ ବୃଦ୍ଧ କୃଷକ ନାଥୁ ସିଂ । ତାଙ୍କ ନାମରେ ଥିବା ଜମି ଓ ଘରର ମୂଲ୍ୟ ପ୍ରାୟ ଦେଢ଼ କୋଟି । ଗୋଟିଏ ବୋଲି ପୁଅ ଓ ଚାରି ଝିଅ । ପୁଅ ସାହାରରନପୁରରେ ଶିକ୍ଷକ ଭାବରେ କାମ କରନ୍ତି । ସମସ୍ତ ପାଞ୍ଚ ସନ୍ତାନ ବିବାହିତ । ସ୍ତ୍ରୀଙ୍କ ମୃତ୍ୟୁ ପରେ ବୃଦ୍ଧ ଜଣକ ଏକୁଟିଆ ରହୁଥିଲେ । କେହି ଘରେ ରହୁନଥିବାରୁ ତାଙ୍କୁ ସବୁବେଳେ ଏକା ଏକା ଲାଗୁଥିଲା । ଫଳରେ ପ୍ରାୟ ସାତ ମାସ ପୂର୍ବରୁ ସେ ନିଜ ଗାଁରେ ଥିବା ଏକ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ ।

ହେଲେ ଦୁଃଖର କଥା ଏତେ ମାସ ବିତି ଯାଇଥିଲେ ସୁଦ୍ଧା ପୁଅ କି ଝିଅ କେହି ତାଙ୍କୁ ଦେଖିବା ପାଇଁ ଆସିନଥିଲେ । ସବୁ ଦିନ ସେ ପୁଅ, ଝିଅ ଆସିବେ ବୋଲି ଚାହିଁ ରହୁଥିଲେ । ହେଲେ ଦୁଃଖର କଥା ବୁଢ଼ା ବାପାଟା ପାଇଁ କାହା ପାଖରେ ସମୟ ନଥିଲେ । ଏକଥାରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା ।

ତେଣୁ ସେ ଏପରି ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଥିଲେ । ନିଜର ସମସ୍ତ ସମ୍ପତ୍ତି ସରକାରଙ୍କ ନାମରେ କରିବା ପରେ ସେ କହିଛନ୍ତି, ମୁଁ ଚାହୁଁନି ମୋ ପିଲାମାନେ ମୋ ସମ୍ପତ୍ତିର ଉତ୍ତରାଧିକାରୀ ହୁଅନ୍ତୁ । ବୟସର ଅପରାହ୍ନରେ ପୁଅବୋହୂ, ନାତିନାତୁଣୀଙ୍କ ସହ ରହିବା କଥା । ହେଲେ ମୋତେ ଘଡ଼ିଏ ଦେଖି ଆସିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ ।

ତେଣୁ ସେ ସବୁ ସମ୍ପତ୍ତି ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ହସ୍ତାନ୍ତର କରିବାକୁ ଏକ ଆବେଦନପତ୍ର ଦାଖଲ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ସରକାର ଟଙ୍କା ଓ ତାଙ୍କ ଜମିରେ ବିଦ୍ୟାଳୟ କିମ୍ବା ଡାକ୍ତରଖାନା ଖୋଲିବା ପାଇଁ ନିବେଦନ କରିଛନ୍ତି ।