ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ପରିସ୍ରା କଲେ ବୋଲି କ୍ଷତି ସହିବାକୁ ପଡ଼ିଲା ୬୦୦୦ ଟଙ୍କା..!

ସାମାନ୍ୟ ଟଏଲେଟ୍‌ ବ୍ୟବହାର କଲେ ବୋଲି କ’ଣ ୬୦୦୦ ଟଙ୍କା ଖର୍ଚ୍ଚ ହେବ ? ଆଜ୍ଞ ହଁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଉ ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି ।

Vande Bharat Express

ଟ୍ରେନ୍ ଯାତ୍ରୀଙ୍କ ସାମାନ୍ୟ ଭୁଲ ପାଇଁ ୬୦୦୦ ଗୋଲ । ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କ ସାମାନ୍ୟ ଭୁଲ ପାଇଁ ତାଙ୍କୁ ୬୦୦୦ ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଆଉ ସେହି ଭୁଲ୍ ଶୁଣିଲେ ଆପଣ ବି ହସିବେ ଆଉ ଚିନ୍ତାରେ ବି ପଡ଼ିବେ । ସେହି ଭୁଲଟି ହେଲା, ବ୍ୟକ୍ତି ଜଣକ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଥିବା ଟଏଲେଟ୍‌ ବ୍ୟବହାର କରିଥିଲେ । ଆପଣ ଭାବୁଥିବେ ସାମାନ୍ୟ ଟଏଲେଟ୍‌ ବ୍ୟବହାର କଲେ ବୋଲି କ’ଣ ୬୦୦୦ ଟଙ୍କା ଖର୍ଚ୍ଚ ହେବ ? ଆଜ୍ଞ ହଁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଉ ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି ।

ପୁରା କାହାଣୀଟି ହେଲା...

ଅବଦୁଲ କାଦିର ନାମକ ଜଣେ ବ୍ୟକ୍ତି ପତ୍ନୀ ଓ ପୁଅକୁ ନେଇ ହାଇଦ୍ରାବାଦରୁ ମଧ୍ୟ ପ୍ରଦେଶର ସିଙ୍ଗ୍ରାଉଲି ନିଜ ଘରକୁ ଯାଉଥିଲେ। ଭୋପାଳ ଷ୍ଟେସନରେ ପହଞ୍ଚିବା ପରେ ସିଙ୍ଗ୍ରାଉଲି ଟ୍ରେନକୁ ଅପେକ୍ଷା କରିଥିଲେ । ସେ ସନ୍ଧ୍ୟା ୫.୩୦ ସୁଦ୍ଧା ଭୋପାଲ ଷ୍ଟେସନ୍‌ରେ ପହଞ୍ଚି ସାରିଥିଲେ । ଏହାପରେ ସିଙ୍ଗ୍ରାଉଲିକୁ ତାଙ୍କର ଟ୍ରେନ୍‌ ଥିଲା ରାତି ୮.୫୫ରେ । ସେମାନେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ଅବଦୁଲ କାଦିରଙ୍କୁ ଖୁବ୍ ଜୋରରେ ପରିସ୍ରା ଲାଗିଥିଲା । ସେ ପାଖାପାଖି କିଛି ଶୌଚାଳୟ ପାଇନଥିଲେ । ତେଣୁ ସେ ଷ୍ଟେସନରେ ଛିଡ଼ା ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଚଢ଼ି ଯାଇଥିଲେ ଆଉ ତାର ପରିସ୍ରାଗାର ବ୍ୟବହାର କରିଥିଲେ । 

ଦୁର୍ଭାଗ୍ୟବଶତଃ ଠିକ୍‌ ଏହି ସମୟରେ ଟ୍ରେନ୍ ଗଡ଼ିବାକୁ ଆରମ୍ଭ ହୋଇଥିଲା । ଯାହାଫଳରେ ଟ୍ରେନ୍‌ର ସବୁ ଡୋର୍‌ ଅଟୋମେଟିକ୍‌ ବନ୍ଦ ହୋଇଯାଇଥିଲା । ତେଣୁ ସେ ଆଉ ଟ୍ରେନ୍‌ରୁ ବାହାରି ପାରିନଥିଲେ । ଖାଲି ସେତିକି ନୁହେଁ ଏହି ସମୟରେ ଅବଦୁଲ ତିନିଜଣ ଟିକେଟ୍ ସଂଗ୍ରହକାରୀ ବା ଟିଟିଇ ଏବଂ ବିଭିନ୍ନ କୋଚରେ ଉପସ୍ଥିତ ଥିବା ୪ ଜଣ ପୋଲିସ କର୍ମଚାରୀଙ୍କଠାରୁ ସାହାଯ୍ୟ ମାଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡ୍ରାଇଭରଙ୍କ ବିନା ଅନ୍ୟ କେହି ଡୋର ଖୋଲିପାରିବେ ନାହିଁ ବୋଲି ସେମାନେ କହିଥିଲେ। ଅବଦୁଲ ଏହାପରେ ଡ୍ରାଇଭରଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ତେବେ ଏହାପରଠୁ କାହାଣିରେ ଆସିଲା ଟ୍ୱିଷ୍ଟ । ବ୍ୟକ୍ତି ଜଣଙ୍କ ଯେଉଁ ଟିଟିଇ ହାବୁଡ଼ରେ ପଡ଼ିଥିଲେ ସେମାନେ ତାଙ୍କ ଠାରୁ ଫାଇନ୍‌ ଆଦାୟ କଲେ । କାରଣ ଅବଦୁଲ ବିନା ଟିକେଟରେ ବନ୍ଦେ ଭାରତ ଏକ୍ସପ୍ରେସରେ ଚଢ଼ିଥିଲେ । ଆଉ ଯାତ୍ରା ବି କଲେ । ତେଣୁ ତାଙ୍କୁ ୧,୦୨୦ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା। ଏହା ପରେ ଉଜ୍ଜୈନରେ ଟ୍ରେନ ଅଟକିବା ପରେ ଅବଦୁଲ ଓହ୍ଲାଇପଡ଼ିଥିଲେ । ସେଠାରୁ ପୁଣି ସେ ଭୋପାଳକୁ ଅଭିମୁଖେ ବାହାରିଥିଲେ । ତାହା ପୁଣି ବସ୍‌ ଯୋଗେ । କାରଣ ଭୋପାଲ ଷ୍ଟେସନ୍‌ରେ ତାଙ୍କର ପରିବାର ତାଙ୍କୁ ଅପେକ୍ଷା କରିଥିଲେ । ସେ ଯେଉଁ ବସ୍‌ରେ ଆସିଲେ ତାର ଟିକେଟ ଦାମ୍‌ ଥିଲା ୭୫୦ ଟଙ୍କା ।

ଅନ୍ୟପଟେ ଯେଉଁ ଟ୍ରେନ୍‌ରେ ସିଙ୍ଗ୍ରାଉଲି ଯିବା ପାଇଁ ପୁରା ପରିବାର ଅପେକ୍ଷା କରିଥିଲେ ସେହି ଟ୍ରେନ୍‌ ମଧ୍ୟ ମିସ୍‌ ହେଲା । ସେହି ଟ୍ରେନ୍ ଟିକେଟ୍‌ର ମୋଟ ମୂଲ୍ୟ ଥିଲା ୪୦୦୦ ଟଙ୍କା । ଏହିଭଳି ଭାବେ ଅବଦୁଲଙ୍କ ସାମାନ୍ୟ ଭୁଲ ପାଇଁ ପୁରା ପରିବାର ହଇରାଣ ହେବା ସହ ପାଖାପାଖି ୬୦୦୦ ଟଙ୍କା କ୍ଷତି ସହିଲେ । ତେବେ ଭୋପାଲରେ ଅବଦୁଲ ପହଞ୍ଚିବା ପରେ ପରିବାର ସହ ଅନ୍ୟ ଏକ ଗାଡ଼ିରେ ନିଜ ଘରକୁ ଫେରିଛନ୍ତି ।

ଏହି ପୁରା ଘଟଣାକୁ ନେଇ ଅବଦୁଲ ବନ୍ଦେ ଭାରତର ଏମର୍ଜେନ୍ସି ସୁବିଧା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯଦି ଏକ୍ସପ୍ରେସରେ ସୁବିଧା ରହିଥାନ୍ତା, ତେବେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ବୋଲି ସେ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଭୋପାଲ ରେଲୱେ ଡିଭିଜନର ଜନ ସମ୍ପର୍କ ଅଫିସର୍ କହିଛନ୍ତି ଯେ, "ବନ୍ଦେ ଭାରତ ଏକ୍ସପ୍ରେସରେ ସର୍ବଦା ଟ୍ରେନ ଛାଡ଼ିବା ପୂର୍ବରୁ ଘୋଷଣା କରାଯାଏ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡୋର ଲକ୍ ସିଷ୍ଟମକୁ ଏପରି କରାଯାଇଛି । ଟ୍ରେନ କେବଳ ଉପରିସ୍ଥ ଅଧିକାରୀଙ୍କ ସୂଚନା ପାଇବା ପରେ ଯାଇ ଅଟକିବ।"