• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ, ଆକ୍ଷେପ-ପ୍ରତି ଆକ୍ଷେପ । ନିଜ ନିଜ ସମର୍ଥିତ ବିଧାୟକଙ୍କୁ ମଞ୍ଚରେ ବସାଇ ପରସ୍ପରକୁ ଚ୍ୟାଲେଞ୍ଜ କରିଛନ୍ତି କରିଛନ୍ତି ଶରଦ ଓ ଅଜିତ ପାୱାର । ମୁହାଁମୁହିଁ ହୋଇଛନ୍ତି ଦାଦା - ପୁତୁରା । ଅଜିତଙ୍କ କ୍ୟାଂପରେ ୨୯ ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ଶରଦଙ୍କ ପାଖରେ ଥିଲେ ୧୩ ଜଣ । ସେପଟେ ଦଳର ନାଁ ଓ ଚିହ୍ନ ମାମଲା ପହଞ୍ଚିଛି ନିର୍ବାଚନ କମିଶନଙ୍କ ନିକଟରେ ।

ପାୱାର Vs ପାୱାର..ଦାଦା ବନାମ୍ ପୁତୁରା ଲଢ଼େଇ ଜୋରଦାର । ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିବା ପରେ ଆଜି ବସିଛି ଏନସିପିର ବୈଠକ। ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ପାର୍ଟି ଅଫିସରେ ମିଟିଂ ଆଉ ଆରପଟେ ଅଜିତ ପାୱାରଙ୍କ ଅଧ୍ୟକ୍ଷତାରେ ବାନ୍ଦ୍ରାର ନୂଆ ଅଫିସରେ ଶକ୍ତି ପ୍ରଦର୍ଶନ ।

ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ୮୩ ବର୍ଷ ହେବା ପରେ ବି କାହିଁକି ସେ ରାଜନୀତିରୁ ସନ୍ନ୍ୟାସ ନେଉନାହାନ୍ତି ବୋଲି କହି କଟ୍ଟାକ୍ଷ କରିଛନ୍ତି । ତା’ସହିତ ପ୍ରଥମ ଥର ପାଇଁ ନିଜ ଅଭିଳାଷାକୁ ବି ଜାହିର କରିଛନ୍ତି ଅଜିତ । ସେ ଦିନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଆଉ ରାଜ୍ୟର ବିକାଶ କରିବେ । ଖାଲି ସେତିକି ନୁହେଁ ୨୪ରେ କେବଳ ମୋଦି ହିଁ ବିକଳ୍ପ କହି, ଏନଡିଏରେ ସାମିଲ ନେଇ ସବୁ କଳ୍ପନାଜଳ୍ପନାକୁ ଦୂର କରିଛନ୍ତି ।

ଆରପଟେ ଶରଦ ପାୱାର ବି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ୱାଇ.ବି. ଚୌହାନ ସେଣ୍ଟରରେ ଶରଦଙ୍କ ସମର୍ଥନରେ ବାହାରିଥିଲେ ୧୩ ବିଧାୟକ, ୫ ସାଂସଦଙ୍କ ସମେତ ୩ଜଣ ଏମଏଲସି । ଅଜିତ ପାୱାରଙ୍କୁ ସମାଲୋଚନା କରିବା ଅପେକ୍ଷା ଅଧିକ ଆଟାକ୍ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଥିଲେ । ଆଜିର ବୈଠକକୁ ଲିଡ୍ କରିଥିଲେ ଶରଦଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ । ସେ ଇଡିକୁ ଡରୁ ନାହାନ୍ତି, ତେଣୁ ବାପାଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି କହିବା ସହ ଏ ଲଢ଼େଇ ବିଜେପି ବିରୋଧରେ ବୋଲି କହି କହିଛନ୍ତି ।

ସେପଟେ ଏନସିପିର ଏହି ବିଭାଜନ ମାମଲା ଏବେ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି । ଅଜିତଙ୍କ ସମେତ ୯ ଜଣଙ୍କ ବିଧାୟକ ପଦକୁ ରଦ୍ଦ ପାଇଁ ଇସି ଓ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କ ନିକଟରେ ନିବେଦନ କରିଛନ୍ତି ଶରଦ। ସେହିପରି NCPର ନାଁ ଓ ଚିହ୍ନ ତାଙ୍କୁ ଦିଆଯାଉ ବୋଲି ଆବେଦନ କରିଛନ୍ତି ଅଜିତ। ନିଜ ନିଜ କ୍ୟାମ୍ପର ବିଧାୟକଙ୍କ ସମର୍ଥନ ପାଇଁ ସତ୍ୟପାଠ ସ୍ୱାକ୍ଷର କରାଉଛନ୍ତି ଦୁଇ ଗୋଷ୍ଠୀ ।

ମହାରାଷ୍ଟ୍ରର ମୋଟ ୨୮୮ ବିଧାନସଭା ଆସନରୁ ୫୩ଟିରେ ଏନସିପି ବିଧାୟକ ରହିଛନ୍ତି । ଅଜିତଙ୍କ ସମେତ ୨୯ ଜଣ ଆଜିର ବୈଠକରେ ଉପସ୍ଥିତ ଥିଲେ। ଦଳ ବିରୋଧୀ ନିୟମ ଅନୁସାରେ ଅଜିତଙ୍କୁ ଆବଶ୍ୟକ ଦୁଇ ତୃତୀୟାଂଶ ଅର୍ଥାତ ୩୬ ବିଧାୟକଙ୍କ ସମର୍ଥନ। କିଛି ବିଧାୟକ ଆଜି ଉଭୟ କ୍ୟାଂପ୍ ବୈଠକରେ ଯୋଗ ଦେଇଥିଲେ । ଆଉ ୯ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ । ତେଣୁ ଏମାନଙ୍କ ଆଭିମୁଖ୍ୟ ଉପରେ ଏବେ ଶରଦ ଓ ଅଜିତଙ୍କ ଭାଗ୍ୟ ନିର୍ଭର କରୁଛି ।