ବାଜିଲା ବିଗୁଲ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ।

ECI

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା, ମିଳିଲା ‘ୱାଇ ପ୍ଲସ୍’ ସିକ୍ୟୁରିଟି

ସୂଚନା ଅନୁସାରେ ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟ୍ ଗ୍ରହଣ ହେବ । ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ଭୋଟିଂ ହେବ । ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୩୦ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ନଭେମ୍ବର ୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ସେହିପରି ନଭେମ୍ବର ୨୩ରେ ଭୋଟ୍ ଗଣତି ହେବ ।

ସେହିପରି ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବରରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ଅକ୍ଟୋବର ୨୮ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୩୦ରେ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୩୦ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ନଭେମ୍ବର ୧ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ତେବେ ଝାଡ଼ଖଣ୍ଡରେ ମଧ୍ୟ ନଭେମ୍ବର ୨୩ରେ ଭୋଟ୍ ଗଣତି ହେବ ।

ସୂଚନା ଅନୁସାରେ ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ଏବଂ ଆସନ୍ତା ଜାନୁଆରି ୫ ତାରିଖରେ ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ୨୦୧୯ରେ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ତତ୍କାଳୀନ ଶିବସେନା ଏବଂ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି ସହ କଂଗ୍ରେସ ତ୍ରିକୋଣୀୟ ମେଣ୍ଟରେ ସରକାର ଗଠନ କରିଥିଲେ । ଏହି ମେଣ୍ଟର ନାମ ଥିଲା ‘ମହାବିକାଶ ଆଗାଡି ବା MVA। ଏହି ମେଣ୍ଟ ମୋଟ ୨୮୮ଟି ଆସନ ମଧ୍ୟରୁ ୧୫୪ଟି ଜିତିଥିଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ରେ ଏହି ମେଣ୍ଟ ସରକାରର ପତନ ହୋଇଥିଲା । ପରେ ଉଭୟ ଶିବସେନ ଓ ଏନସିପିରେ ବିଦ୍ରୋହ ଦେଖାଯାଇଥିଲା ଓ ଉଭୟ ଦଳ ଗୋଷ୍ଠୀରେ ବିଭାଜିତ ହୋଇଥିଲେ । ଦୁଇ ପାର୍ଟିର ବିଭାଜିତ ଗୋଷ୍ଠୀ ଏବେ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଛନ୍ତି । ସେହିଭଳି ଝାଡ଼ଖଣ୍ଡରେ ଜେଏମଏମ୍-କଂଗ୍ରେସର ମେଣ୍ଟ ସରକାର ରହିଛି ।

ଅଧିକ ପଢ଼ନ୍ତୁ: CBSEର ନୂଆ ନିୟମ; ଉପସ୍ଥାନ ୭୫%ରୁ କମିଲେ ବୋର୍ଡ ପରୀକ୍ଷା ମନା