Advertisment

Maharashtra and Jharkhand Elections 2024: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ?

ମହାବିକାଶ ଅଘାଡ଼ି ଦଳର ଭୋଟରଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି। ଯୁବକଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ବେକାରୀ ଭତ୍ତା। ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା। କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼। ନିୟମିତ ଋଣ ପରିଶୋଧ ଉପରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।

ଅଦ୍ୟତନ ହୋଇଛି
ମହାରାଷ୍ଟ୍ର-ଝାଡ଼ଖଣ୍ଡରେ କିଏ ମାରିବ ବାଜି ?

ମହାରାଷ୍ଟ୍ର-ଝାଡ଼ଖଣ୍ଡରେ କିଏ ମାରିବ ବାଜି ?

Advertisment

ନିର୍ବାଚନକୁ ଆଉ ଅଳ୍ପ କେଇ ଦିନ ବାକି। ପ୍ରଚାରରେ କମ୍ପୁଛି ମୈଦାନ। ନିର୍ବାଚନ ପୂର୍ବରୁ ସବୁ ଦଳ ଭୋଟରଙ୍କୁ ନିଜ ନିଜ ଢ଼ଙ୍ଗରେ ମନାଇବାରେ ବ୍ୟସ୍ତ। ନେତାଙ୍କ ଛାତି ଧଡ଼ଧଡ଼। କିଏ ଜିତିବ, କିଏ ହାରିବ ତାକୁ ନେଇ ସହରର ସବୁ ଗଳିରେ ଆଲୋଚନା, ତର୍ଜମା ଆଉ ବିତର୍କ ଚାଲିଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ୨୦ ନଭେମ୍ବରରେ ଭୋଟ୍‌ ହେବ। ନଭେମ୍ବର ୨୩ରେ ଫଳାଫଳ ଘୋଷଣା କରାଯିବ। ଏଥର ବିଜେପିର ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ଏବଂ ତା’ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା ଅଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ଚତୁର୍ଥ ସ୍ଥାନରେ ଏବଂ ଶେଷରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନ୍‌ସିପି ପାର୍ଟି ଷଷ୍ଠ ସ୍ଥାନରେ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅନେକ ଆସନରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ପୁରା ଦମ୍‌ରେ ଲାଗିଛି। ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳୀୟ ଟିକଟ୍‌ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ନିର୍ବାଚନରେ ଶାସକ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଘାଡ଼ି ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆକଳନ କରାଯାଉଛି।

Advertisment

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡ଼ିଶା ନେତାଙ୍କ ଲଢ଼େଇ, କେମିତି ଜିଣିବେ ଓଡ଼ିଆ ଭୋଟରଙ୍କ ମନ

ପ୍ରଚାର ମୈଦାନରେ ମୋଦି, ଶାହ

ନିର୍ବାଚନ ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ୍‌ ଶାହ। ରୋଟି, ବେଟି, ମାଟିକି ପୁକାର....ଝାଡଖଣ୍ଡରେ ଏନଡିଏ ସରକାର। ଦେଶରେ ହେଉଥିବା ଭଲ କାମ ବା ହେବାକୁ ଥିବା କାମ ମୋ ଭାଗ୍ୟରେ ଅଛି। ଝାଡଖଣ୍ଡରେ ଡବଲ ଇଞ୍ଜିନ ସରକାର ହେବ। ଝାଡଖଣ୍ଡବାସୀଙ୍କ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଜେଏମଏମ ଝାଡଖଣ୍ଡ ବିକାଶରେ ବାଧା ସୃଷ୍ଟି କରିଛି। ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଜନସଭାକୁ ସମ୍ବୋଦନ କରି ଏମିତି ବର୍ଷିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ୨୫ ବର୍ଷ ଦେଶ ଓ ଝାଡଖଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ । ଝାଡଖଣ୍ଡର ସମସ୍ତ ବିକାଶ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଝାଡଖଣ୍ଡ ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତାର ଅଭାବ ନାହିଁ । ହେଲେ ଏଠାକାର ସରକାର ଯୁବବର୍ଗଙ୍କ ପାଇଁ କେବଳ ପ୍ରତିଶ୍ରୁତି ଦେଇ ମିଛ କହି ଭୋଟ ହାତେଇଛି। ତାଙ୍କୁ ଦଣ୍ଡ ମିଳିବା ନିହାତି ଦରକାର। ସାଧାରଣ ଲୋକଙ୍କୁ ଠକି କେହି ବର୍ତ୍ତି ପାରିବେ ନାହିଁ ବୋଲି ମୋଦୀ ଭାଷଣରେ ଗର୍ଜିଛନ୍ତି।

Advertisment

ସେହିପରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତୀବ୍ର ସମାଲୋଚନା କରି ଅମିତ ଶାହ କହିଛନ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ସରକାରରେ ମହିଳା ଓ ଆଦିବାସୀ ସୁରକ୍ଷିତ ନୁହନ୍ତି। ରାଜ୍ୟର ପରିଚୟ ରକ୍ଷା କରିବାରେ ସୋରେନ ସରକାର ସଂପୂର୍ଣ୍ଣ ବିଫଳ ହେବା ସହିତ ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ସରକାର ବିଫଳ ହୋଇଛି। ବିଜେପି ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବ ଏବଂ ଅନୁପ୍ରବେଶକାରୀଙ୍କୁ ବାହାର କରିବ । ରାଜ୍ୟର ଭବିଷ୍ୟତ ପାଇଁ ସେମାନେ କେଉଁ ପ୍ରକାର ନେତୃତ୍ୱ ଚାହୁଛନ୍ତି ତାହା ବିଚାର କରିବାକୁ ମତଦାତାଙ୍କୁ ଅନୁରୋଧ କରିଛନ୍ତି ଶାହ।

ପ୍ରଶାନ୍ତ କିଶୋର ଚର୍ଚ୍ଚାରେ

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ଏବେ ଚର୍ଚ୍ଚାରେ। ଗତକିଛି ବର୍ଷ ହେବ ଭାରତୀୟ ରାଜନୀତିରେ ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ପ୍ରଶାନ୍ତ କିଶୋର ଏବେ ନିଜ ରାଜନୈତିକ ପାର୍ଟି ‘ଜନ ସ୍ୱରାଜ’ର ନିର୍ବାଚନ ରଣନୀତି ପ୍ରସ୍ତୁତରେ ଲାଗିଛନ୍ତି। ସବୁବେଳେ ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନ ସ୍ୱରାଜ ଦଳ ଏଥର ସାମ୍‌ନା ସାମ୍‌ନୀ ଲଢ଼େଇ କରୁଛନ୍ତି । ରାଜନୀତିର ପାରଦ ମାପୁଥିବା ପ୍ରଶାନ୍ତ କିଶୋର ଏଥର ନିଜେ ନିର୍ବାଚନ ତାତିରେ ସିଝିବେ। ସମୟ ହିଁ କହିବ, ପ୍ରଶାନ୍ତ କିଶୋର କେତେ ସଫଳ ହେବେ ରାଜନୀତିରେ। ପ୍ରଶାନ୍ତ କିଶୋର କହିଛନ୍ତି, ମୋ’ ରଣନୀତି ଯୋଗୁ ୧୦ଟି ରାଜ୍ୟରେ ବିଭିନ୍ନ ଦଳ ଏବେ କ୍ଷମତାରେ ବସିଛନ୍ତି। ସେମାନେ ଶାସନ କଳ ସମ୍ଭାଳୁଛନ୍ତି। ତେଣୁ ମୋ’ ନିଜ ଦଳର ପରିଚାଳନା ନିମନ୍ତେ ମୁଁ ରଣନୀତି ପ୍ରସ୍ତୁତ କରି ନ ଥିବି ବୋଲି ଭାବିବା ବୋକାମୀ। ମୁଁ ମୋ ରାଜନୈତିକ ଦଳ ପାଇଁ ଭଲ ଭାବେ ପ୍ରସ୍ତୁତ ଅଛି। ସୂଚନାଯୋଗ୍ୟ ଚଳିତ ମାସ ୧୩ ତାରିଖରେ ବିହାରର ୪ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ‘ଜନ ସ୍ୱରାଜ’ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛି। କାରଣ ‘ଜନ ସ୍ୱରାଜ’ ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଦେଇଛି। ବେଲାଗଞ୍ଜରୁ ମହମ୍ମଦ ଅମଜାଦ, ଇମାମଗଞ୍ଜରୁ ଜିତେନ୍ଦ୍ର ପାସୱାନ, ରାମଗଡରୁ ସୁଶୀଲ କୁମାର ସିଂ କୁଶୱା ଏବଂ ତରାରୀରୁ କିରଣ ସିଂ ଦଳର ପ୍ରାର୍ଥୀ ହୋଇଛନ୍ତି। ଉପ-ନିର୍ବାଚନ ୧୩ ନଭେମ୍ବରରେ ହେବାକୁ ଥିବା ବେଳେ ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ।

Advertisment

ଝାଡ଼ଖଣ୍ଡରେ ମେଣ୍ଟ ସଫଳ ହେବ ତ !

-ନିର୍ବାଚନ ପାଇଁ ଇସ୍ତାହାରେ ବିଜେପିର ପ୍ରତିଶ୍ରୁତି ପାହାଡ଼

-ରାଜ୍ୟ ଗଠନର ୨୫ବର୍ଷ ପୂର୍ତ୍ତି ଅବସରରେ ୨୫ ସଂକଳ୍ପ

ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପିକୁ ଚେକ୍‌ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ ବୁଝାମଣା । ଝାଡ଼ଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଦୁଇ ଦଳ ଆସନ୍ତା ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢ଼ିବେ। ବାକି ୧୧ଟି ଆସନ ଦୁଇ ଦଳ ସହଯୋଗୀ ଆରଜେଡି ଓ ବାମ ଦଳ ପାଇଁ ଛାଡ଼ିଛନ୍ତି। ସୂଚନାଯୋଗ୍ୟ ଆଦିବାସୀ ଅଧ୍ୟୁଷିତ ଝାଡଖଣ୍ଡରେ ମୁଖ୍ୟତଃ ବିଜେପି ଓ ଜେଏମଏମ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ଜେଏମମ, କଂଗ୍ରେସ ଓ ଆରଜେଡି ମେଣ୍ଟ ୮୧ ଆସନରୁ ୪୭ ଆସନ ଲାଭ କରିଥିଲେ । ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ରେ ଦଳ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ଟି ସଂକଳ୍ପ ଉପସ୍ଥାପନ କରିଛି। ସେଥିମଧ୍ୟରୁ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟରେ ବେକାରୀ ମୁକାବିଲା ପାଇଁ ବିଜେପି ୨,୮୭,୦୦୦ ସରକାରୀ ଚାକିରି ସୃଷ୍ଟି କରିବା ସହ ୫,୦୦,୦୦୦ ସ୍ୱରୋଜଗାର ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

ବିଜେପି ସରକାର ଗଠିତ ହେବା ପରେ ଅନୁପ୍ରବେଶ ରୋକିବା ଏବଂ ଅଧିକୃତ ଜମି ପୁନରୁଦ୍ଧାର ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ମଧ୍ୟ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି। ବିଜେପି ୬୮ଟି ଆସନରେ ଲଢ଼ିବ ଏବଂ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ, ଏଜେଏସୟୁ ପାର୍ଟିକୁ ୧୦ଟି ଆସନ ଲଢ଼ିବାକୁ ଛଡ଼ା ଯାଇଛି ରାଞ୍ଚିରେ ଝାଡ଼ଖଣ୍ଡ ନିର୍ବାଚନ ସହ ପ୍ରଭାରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ନଭେମ୍ବର ୧୩ ତାରିଖରେ ଏହି ପର୍ଯ୍ୟାୟରେ ୪୩ଟି ଆସନରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୦ ତାରିଖରେ ୩୮ଟି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ନଭେମ୍ବର ୨୩ରେ ଭୋଟ ଗଣତି ସହ ସହିତ ସେହିଦିନ ହିଁ ଫଳାଫଳ ଘୋଷଣା ହେବ। ଫଳାଫଳ ଆସିବା ପରେ ରାଜନୀତିର ରଙ୍ଗ ପୁଣି ବଦଳି ପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି। ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି। ରାଜନୀତିରେ କିଏ ଶତ୍ରୁ କିଏ ମିତ୍ର ତାହା ମଧ୍ୟ ଆକଳନ କରିବା କଷ୍ଟକର। ତେବେ ସମୟ ହିଁ କହିବ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ। ଆଉ ଅଳ୍ପ ଦିନର ଅପେକ୍ଷା ପରେ ଏହା ସ୍ପଷ୍ଟ ହୋଇଯିବ।

E-mail id: serveforthenation@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

Maharashtra Jharkhand Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ