Advertisment

ମହାଦେବ ବେଟିଂ ଆପ୍‌ ମାମଲା, ଜୁସ୍‌-ଟାୟାର ଦୋକାନୀ ରାତାରାତି କୋଟିପତି ! ବଲିଉଡ୍‌କୁ ଘାଣ୍ଟୁଛି ED

ଛତିଶଗଡ଼ ଭିଲାଇର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲଙ୍କ ଏହି କମ୍ପାନି ଜରିଆରେ କୋଟି କୋଟି ଟଙ୍କା ହୱାଲା ମାଧ୍ୟମରେ ଏହି ଷ୍ଟାର୍ ମାନଙ୍କୁ ଦିଆଯାଇଥିବା ଅଭିଯୋଗ ରହିଛି ।

ଅଦ୍ୟତନ ହୋଇଛି
Mahadev Online Betting App

Mahadev Online Betting App

Advertisment

ମହାଦେବ ଆପ୍ ମାମଲାରେ ଇଡି ପାଖରେ ଲମ୍ବିବାରେ ଲାଗିଛି ବଲିଉଡ୍ ଷ୍ଟାରଙ୍କ ଲିଷ୍ଟ । ରଣବୀର କପୁର, କପିଲ୍ ଶର୍ମା, ହୁମା କୁରେସୀ, ହିନା ଖାନ୍‌ଙ୍କ ପରେ ଏବେ ତାଲିକାରେ ଚଢ଼ିଛି ଶ୍ରଦ୍ଧା କପୁରଙ୍କ ନାଁ । କୁହାଯାଉଛି UAE ଇଭେଣ୍ଟରେ ଶ୍ରଦ୍ଧା ବି ସାମିଲ ଥିଲେ । ବିଭିନ୍ନ ସମୟରେ ଶ୍ରଦ୍ଧା, ମହାଦେବ ଆପ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ବି ଦେଇଥିବା କୁହାଯାଉଛି । ସେଠୁ କେତେ ଟଙ୍କା ନେଇଛନ୍ତି ? କେଉଁ ଭଳି ଉପାୟରେ ନେଇଛନ୍ତି ସେ ସବୁ ଦିଗକୁ ନେଇ ଏବେ ତଦନ୍ତ କରିବ ଇଡି । ସେପଟେ ଆଜି ରଣବୀର କପୁରଙ୍କୁ ହାଜର ହେବାକୁ ସମନ୍  କରିଥିଲା ତଦନ୍ତକାରୀ ସଂସ୍ଥା । ହେଲେ ଆଉ ଦୁଇ ସପ୍ତାହ ପାଇଁ ସମୟ ମାଗିଛନ୍ତି ରଣବୀର ।

Advertisment

ମହାଦେବ ଆପ୍ ଲିଙ୍କରେ ଏବେ ଫସିଛନ୍ତି ବଲିଉଡ୍‌ର ଆଗ ଧାଡ଼ିର ଅନେକ ସେଲିବ୍ରିଟି । ଛତିଶଗଡ଼ ଭିଲାଇର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲଙ୍କ ଏହି କମ୍ପାନି ଜରିଆରେ କୋଟି କୋଟି ଟଙ୍କା ହୱାଲା ମାଧ୍ୟମରେ ଏହି ଷ୍ଟାର୍ ମାନଙ୍କୁ ଦିଆଯାଇଥିବା ଅଭିଯୋଗ ରହିଛି ।

ତେବେ ଏହି ଅନଲାଇନ ଜୁଆ ଆପ୍ ପଛର କାହାଣୀ ଅତି ରୋଚକ । ଜଣେ ଜୁସ୍ ଦୋକାନୀ ଓ ଜଣେ ଟାୟାର ଦୋକାନୀ ରାତାରାତି କେମିତି ୫ ହଜାର କୋଟି ଟଙ୍କା କଳା ସାମ୍ରାଜ୍ୟର ବାଦଶାହ ବନିଗଲେ ଏବଂ ଗୋଟିଏ ବିଳାସମୟ ବିବାହ ଭୋଜି ପାଇଁ କିପରି ଇଡି ସ୍କାନରକୁ ଆସିଲେ ତାକୁ ନେଇ ସବୁଠି ଚର୍ଚ୍ଚା ।

Advertisment

ୟୁନାଇଟେଡ୍ ଆରବ ଏମିରେଟ୍ସ ବା UAE। ସେଠି ଦୁବାଇ ନିକଟରେ ରହିଛି ଆଉ ଏକ ଆଲିଶାନ ସହର ରସ୍-ଅଲ୍-ଖାଇମା ବା RAK । ଯେଉଁଠି ଗତ ଫେବୃଆରୀରେ ହୋଇଥିଲା ଏକ ବିଳାସମୟ ବିବାହ ଉତ୍ସବ । ପ୍ରାଇଭେଟ୍ ଜେଟରେ ଯାଇଥିଲେ ବରଯାତ୍ରୀ । ପରଫର୍ମ କରିଥିଲେ ୧୪ ଜଣ ବଲିଉଡ୍ ସେଲିବ୍ରିଟି । ଏକଦା ଫଳ ଜୁସ୍ ବିକି ପେଟ ପୋଷୁଥିବା ସୌରଭ ଚନ୍ଦ୍ରକର ନିଜ ବାହାଘର ପାଇଁ ଖର୍ଚ୍ଚ କରିଥିଲେ ୨ଶହ କୋଟି ଟଙ୍କା ।

ଆଉ ଯେତେବେଳେ ଜଣାପଡ଼ିଲା ଯେ, ସବୁଯାକ କାରବାର ନଗଦ ଟଙ୍କାରେ ହୋଇଛି, ସେତେବେଳେ ଏହା ଆସିଯାଇଥିଲା ସିଧାସଳଖ ଇଡି ସ୍କାନରରେ ।

Advertisment

ଛତିଶଗଡ଼ ଭିଲାଇର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲ । ସୌରଭ ଜୁସ୍ ବିକୁଥିଲେ, ଆଉ ରବିଙ୍କର ଥିଲା ଟାୟାର ଦୋକାନ । ରାତାରାତି କୁବେର ବନିବାର ସ୍ୱପ୍ନ ସେମାନଙ୍କୁ ଶାନ୍ତିରେ ଶୁଆଇ ଦେଉନଥିଲା । ବେପାରରୁ ମିଳିଥିବା ସବୁଯାକ ସଂଚୟ ଖର୍ଚ୍ଚ କରି ଦିନେ ୟୁଏଇ ଉଡ଼ିଗଲେ ଉଭୟ । ସେଠାରେ ଜଣେ ଦୁବାଇ ଶେଖ୍ ଓ ଜଣେ ପାକିସ୍ତାନୀଙ୍କୁ ଭେଟିଲେ । ସେଇଠି ପୋତାହେଲା ଅନଲାଇନ ଜୁଆ ରାକେଟ୍‌ର ମଞ୍ଜି ।

ମହାଦେବ ଅନଲାଇନ ବୁକ୍ ଆପ୍ ଅଧୀନରେ ୪-୫ଟି ବେଆଇନ ବେଟିଂ ୱେବସାଇଟ ଚାଲୁଥିଲା । ବେଆଇନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମନି ଲଣ୍ଡ୍ରିଂ ହେଉଥିଲା । ହାୱାଲା ଜରିଆରେ କଳାଟଙ୍କା ଧଳା ବନୁଥିଲା । ୟୁଏଇରେ ହେଡକ୍ୱାର୍ଟର; ଭାରତ, ଶ୍ରୀଲଙ୍କା, ନେପାଳ ଓ ପାକିସ୍ତାନରେ ବ୍ରାଞ୍ଚ ଅଫିସ୍ । ଭାରତରେ ଦିନକୁ ୨ଶହ ଲୋକଙ୍କୁ ଜୁଆ ଜାଲରେ ଫସାଉଥିଲେ ୪ ହଜାର ପ୍ୟାନେଲ ଅପରେଟର । ଆଉ ୨ ମାଷ୍ଟରମାଇଣ୍ଡଙ୍କର ଦିନକୁ ରୋଜଗାର ୨ଶହ କୋଟି ଟଙ୍କା ।

ସୌରଭ କିଛିଦିନ ଭିତରେ କୋଟିପତି ତ ବନିଗଲେ, ହେଲେ ସମ୍ଭାଳି ପାରିଲେନି । ମହଙ୍ଗା ପଡ଼ିଲା ଦେଖେଇ ହେବାର ଲୋଭ। ବିଳାସମୟ ବିବାହ ଉତ୍ସବର ଆୟୋଜନ କରି ଇଡି ସ୍କାନରକୁ ଆସିବା ପରେ, ଆରମ୍ଭ ହୋଇଗଲା ରେଡ୍ । ଗତମାସ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ମୋଟି ୪୧୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି ଇଡି।

ଏହି ମହାଦେବ ବେଟିଂ ଆପ୍‌ରୁ ଉପାର୍ଜିତ ଅର୍ଥର ଏକ ବଡ଼ ଅଂଶ ଏହାର ବିଜ୍ଞାପନ ବାବଦରେ ଖର୍ଚ୍ଚ ହେଉଥିଲା ଏବଂ ରଣବୀର କପୁରଙ୍କ ସମେତ ବହୁ ବଲିଉଡ୍ ସେଲିବ୍ରିଟି ଏହି ବିଜ୍ଞାପନରେ ନଜର ଆସିଥିଲେ । ତେଣୁ ରଣବୀର କପୁରଙ୍କୁ ସମନ କରିଛି ଇଡି । ଏଥିସହ ଦୁବାଇର ବିବାହ ଉତ୍ସବରେ ଯୋଗ ଦେଇଥିବା କପିଲ ଶର୍ମା, ହୁମା କୁରେସୀ ଓ ହିନା ଖାନ୍‌ଙ୍କୁ ବି ସମନ୍ କରିଥିବା ସୂଚନା ମିଳିଛି ।

ତେବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଆଗକୁ ଏ ତାଲିକା ଆହୁରି ଲମ୍ବିପାରେ । ଟାଇଗର ଶ୍ରଫ୍, ସନି ଲିଓନି, ଭାରତୀ ସିଂ, ନେହା କକ୍କର, ଆତିଫ ଅସଲମ, ରାହତ ଫତେ ଅଲି ଖାନ୍, ଅଲି ଅସଗର ଓ ବିଶାଲ ଦଦଲାନୀ ଆଦିଙ୍କର ମଧ୍ୟ ପାଳି ପଡ଼ିପାରେ ଇଡିରେ ହାଜିରା ପାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ