• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ କୃଷକଙ୍କ ଜନଧନ ଆକାଉଣ୍ଟକୁ ଆସିଲା ୧୫ ଲକ୍ଷ ଟଙ୍କା । ମୋଦି ଟଙ୍କା ପଠାଇଥିବା ଭାବି ସେ ଖୁସି ହୋଇଯାଇଥିଲେ । ନରେନ୍ଦ୍ର ମୋଦି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତ ପୂରଣ କରିଥିବା କଥା କହିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ । ଆଉ ସେହି ଟଙ୍କାରେ ନିଜ ପରିବାର ପାଇଁ ଘର ଟିଏ ତୋଳିଥିଲେ । ହେଲେ ଘର ତୋଳିବାର ୬ ମାସ ପରେ ତାଙ୍କ ସ୍ୱପ୍ନର ଘର ଏବେ ତାଙ୍କ ପାଇଁ କାଳ ସାଜିବା ଉପରେ । ତାଙ୍କ ଖାତାକୁ ଆସିଥିବା ଟଙ୍କା ଭୁଲରେ ଆସିଥିବା ବେଳେ ଏକ ନୋଟିସ୍ ଆସିଛି । ତୁରନ୍ତ ଟଙ୍କା ଫେରାଇବା ପାଇଁ କହିଛନ୍ତି ବ୍ୟାଙ୍କ କର୍ମଚାରୀ । ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି କୃଷକ । ମହାରାଷ୍ଟ୍ରରେ ଏପରି ଏକ ଘଟଣା ଘଟିଛି ।

ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଓଟେ । ବ୍ୟାଙ୍କ୍ ଅଫ୍ ବରୋଦାରେ ତାଙ୍କର ଜନଧନ ଖାତା ରହିଛି । ୨୦୨୧ ଅଗଷ୍ଟ ୧୭ ତାରିଖରେ ତାଙ୍କ ଜନଧନ ଆକାଉଣ୍ଟ କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା । ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ । ହେଲେ ଟଙ୍କା ପାଇ ତୁରନ୍ତ ଟଙ୍କା ଉଠାଇ ନଥିଲେ ଜ୍ଞାନେଶ୍ୱର । କିଛି ମାସ ଅପେକ୍ଷା କରିବା ପରେ ଟଙ୍କା ତାଙ୍କ ଆକାଉଣ୍ଟରୁ ଫେରସ୍ତ ନିଆଗଲା । କିମ୍ବା ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଗଲା ନାହିଁ ।

ଜ୍ଞାନେଶ୍ୱରଙ୍କ ଆକାଣ୍ଟରେ ଦୀର୍ଘ ମାସ ଧରି ଟଙ୍କା ପଡ଼ି ରହିବା ପରେ ୨୦୧୪ରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଥିବା କଥା ସେ ଭାବିଥିଲେ । ଆଉ ସେହି ଟଙ୍କାରେ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇଥିଲେ । ଆଉ ମନଲାଖି ଘରଟିଏ ତୋଳିଦେଲେ । ହେଲେ ଘର ତୋଳିବାର ୬ମାସ ପରେ ଏବେ ବ୍ୟାଙ୍କ୍ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।

ତେବେ ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ନୋଟିସ୍‌ ଦେଖି ଜ୍ଞାନେଶ୍ୱରଙ୍କ ହୋସ ଉଡ଼ିଯାଇଛି । ଘର ତୋଳିବାରେ ତ ସେ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, ଏବେ କରିବେ କ’ଣ । ହେଲେ ତାଙ୍କ ଆକାଉଣ୍ଟରେ ବାକି ଥିବା ୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ ଏବେ ଫେରାଇ ନେଇଛି । ଅନ୍ୟପଟେ ୯ ଲକ୍ଷ ଟଙ୍କା ଫେରାଇ ଦେବାକୁ କହିଛନ୍ତି ବ୍ୟାଙ୍କ୍ କର୍ମଚାରୀ ।

ଗ୍ରାମ ପଞ୍ଚାୟତ ପାଇଁ ଆସିଥିବା ଟଙ୍କା ଭୁଲବଶତଃ ଜ୍ଞାନେଶ୍ୱରଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା ବୋଲି କହିଛନ୍ତି ବ୍ୟାଙ୍କ୍ କର୍ମଚାରୀ । କିଛି ମାସ ପରେ ତଦନ୍ତରୁ ସତକଥା ଜଣାପଡ଼ିଥିଲା ।