ନୂଆ ସାଂସଦଙ୍କୁ କିପରି କରାଯିବ ସ୍ୱାଗତ, ଲୋକସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ ।

Lok Sabha Secretariat Ready to Welcome MPs

ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ, ସାଂସଦମାନଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ରହିଛି ଲୋକସଭା । ୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ । ଜୁନ୍ ୪ ତାରିଖ ଦିନ ୨ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ଏବଂ ଜୁନ୍ ୫ରୁ ୧୪ ପର୍ଯ୍ୟନ୍ତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ । ଶନିବାର ଓ ରବିବାର ବି ପଞ୍ଜୀକରଣ ପ୍ରକ୍ରିୟା ଚାଲିବ । କାଗଜପତ୍ର କାମ ହ୍ରାସ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରାଯିବ ।

ସଦସ୍ୟମାନଙ୍କୁ ବିଭିନ୍ନ ଶାଖାରେ ବାରମ୍ବାର କାଗଜରେ ଦସ୍ତଖତ କରିବାକୁ ପଡ଼ିବ ନାହିଁ । ପାର୍ଲାମେଣ୍ଟ ହାଉସ ଆନେକ୍ସରେ ପଞ୍ଜୀକରଣ ପାଇଁ ୨୦ଟି ଡିଜିଟାଲ୍ ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ଏକାସାଙ୍ଗରେ ବ୍ୟାଙ୍କ ଆକାଉଣ୍ଟ, ସ୍ଥାୟୀ ପରିଚୟ ପତ୍ର ଏବଂ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା ବା CGHS କାର୍ଡ ଆଦି ସେଠାରେ ହିଁ ଇସ୍ୟୁ କରାଯିବ । ସ୍ୱାଗତ ବେଳେ ସେକ୍ରେଟାରିଆଟ୍ ପକ୍ଷରୁ ପ୍ରତ୍ୟେକ ସାଂସଦଙ୍କୁ ଭାରତର ସମ୍ବିଧାନ, ନିୟମ, ନିର୍ଦ୍ଦେଶାବଳୀ ସଂପର୍କିତ କିଛି ପୁସ୍ତକ ଏବଂ ଆଉ କିଛି ସଫ୍ଟକପି ଦିଆଯିବ ।

ରେଜିଷ୍ଟ୍ରେସନ ସ୍ଥଳରେ ସଂସଦ ଭବନ ଶିଳାନ୍ୟାସ ଓ ଲୋକାର୍ପଣର ଭିଡିଓ ପ୍ରଦର୍ଶିତ ହେବ । ଦିଲ୍ଲୀରେ ସରକାରୀ ବାସଭବନ ପାଇନଥିବା ନବନିର୍ବାଚିତ ସାଂସଦଙ୍କୁ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ ବା ହଷ୍ଟେଲ୍ କିମ୍ବା ବିଭିନ୍ନ ରାଜ୍ୟ ଭବନ ବା ଗେଷ୍ଟ ହାଉସରେ ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସଂସଦ ଭବନରେ ୨୪ ଘଣ୍ଟିଆ ଡେସ୍କ ଓ କଂପ୍ୟୁଟର ସଫ୍ଟୱେର ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀ ବିମାନବନ୍ଦରର ସମସ୍ତ ୩ଟି ଡୋମେଷ୍ଟିକ ଟର୍ମିନାଲ ସହିତ ଦିଲ୍ଲୀ, ନୂଆଦିଲ୍ଲୀ, ନିଜାମୁଦ୍ଦିନ ଓ ଆନନ୍ଦ ବିହାର ରେଳ ଷ୍ଟେସନରେ ସଦସ୍ୟଙ୍କୁ ଆବଶ୍ୟକ ସହାୟତା ଓ ସେବା ଯୋଗାଇବାକୁ ଗାଇଡ ପୋଷ୍ଟ ଖୋଲାଯିବ । ୨୪ ଘଣ୍ଟିଆ CGHS ମେଡିକାଲ ପୋଷ୍ଟ ନର୍ଥ ଓ ସାଉଥ ଆଭେନ୍ୟୁ ଏବଂ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ ବା ହଷ୍ଟେଲରେ ଖୋଲାଯିବ ବୋଲି ସୂଚନା ମିଳିଛି ।