lok sabha
ଲୋକସଭାରେ ସାଂସଦମାନଙ୍କ ଉପସ୍ଥିତି ପଞ୍ଜୀକରଣ ପାଇଁ ଏକ ନୂଆ ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଅଧିବେଶନରୁ ଇଲେକ୍ଟ୍ରୋନିକ ଟାବଲେଟ ଓ ଡିଜିଟାଲ ପେନ ମାଧ୍ୟମରେ ଅନଲାଇନ ଆଟେଣ୍ଡାନ୍ସ ଦେବେ ସାଂସଦ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉଦ୍ୟମରେ ‘ପେପରଲେସ ପାର୍ଲାମେଣ୍ଟ’ ପଦକ୍ଷେପର ଅଂଶ ବିଶେଷ ଭାବେ ଏହା କରାଯାଉଛି । ଏହି ପଦକ୍ଷେପ ପାର୍ଲାମେଣ୍ଟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି କରିବ।
ଲୋକସଭା ଲବିରେ ୪ଟି କାଉଣ୍ଟରରେ ଇଲେକ୍ଟ୍ରୋନିକ ଟାବଲେଟ ରହିବ । ସେଥିରେ ସାଂସଦମାନେ ନିଜର ନାମ ଡ୍ରପ-ଡାଉନ ମେନୁରୁ ବାଛି ଡିଜିଟାଲ ପେନ ଦ୍ୱାରା ସ୍ୱାକ୍ଷର କରି ନିଜର ଉପସ୍ଥିତି ପଞ୍ଜୀକରଣ କରିବେ। ଏହା ପରେ ‘ସବମିଟ’ ବଟନ ଦବାଇ ଉପସ୍ଥିତ ଥିବାର ଜଣାଇବେ । ଆଟେଣ୍ଡାନ୍ସ ପାଇଁ ସାଂସଦମାନେ ଚାହିଁଲେ ଡିଜିଟାଲ କାର୍ଡ ବ୍ୟବହାର କରିପାରିବେ , ଟିପ ଚିହ୍ନ ଦେଇପାରିବେ ଓ ପିନ୍ ମଧ୍ୟ ଲେଖିପାରିବେ ।
ନିର୍ଦ୍ଧାରିତ ସିଟରେ ବସି ସାଂସଦମାନେ ମଲଟିମିଡିଆ ଡିଭାଇସ୍ ବା MMD ମାଧ୍ୟମରେ ଉପସ୍ଥିତି ଜଣାଇପାରିବେ । ଏହା ପୂର୍ବରୁ ସାଂସଦମାନେ ରେଜିଷ୍ଟରରେ ଦସ୍ତଖତ କରି ଉପସ୍ଥାନ ଦେଉଥିଲେ । ଏଥପାଇଁ ସେମାନଙ୍କୁ ଧାଡିରେ ଛିଡା ହେବାକୁ ପଡୁଥିଲା । କିନ୍ତୁ ଏହି ଡିଜିଟାଲ୍ ଆଟେଣ୍ଡାନ୍ସରେ ଆଉ ସେମାନଙ୍କୁ ଧାଡିରେ ଛିଡା ହେବାକୁ ପଡିବନି । ଅନାୟସରେ ସେମାନେ ଆଟେଣ୍ଡାନ୍ସ ଦେଇପାରିବେ । ଏହାଦ୍ୱାରା ସେମାନଙ୍କ ସମୟ ମଧ୍ୟ ବଞ୍ଚିବ ।
ସଂସଦକୁ ପେପରଲେସ୍ କରିବାକୁ ବାଚସ୍ପତି ଓମ୍ ବିର୍ଲା ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ସାଂସଦମାନଙ୍କ ସିଟରେ ଲାଗିଥିବା ଟାବଲେଟରେ ସଂସଦର ଡକ୍ୟୁମେଣ୍ଟ ଓ ଦିନର ଏଜେଣ୍ଡା ଉପଲବ୍ଧ ହେଉଥିଲା । ଏବେ ଏଥିରେ ଆଟେଣ୍ଡାନ୍ସ ମଧ୍ୟ ଦେଇହେବ । ଗୋଟିଏ ଟାବଲେଟରେ ଦୁଇ ପ୍ରକାର କାମ ହୋଇପାରିବ ।
ଆଟେଣ୍ଡାନ୍ସ ଦେବାରେ ସାଂସଦମାନଙ୍କୁ ସହାୟତା କରିବାକୁ ସବୁ କାଉଣ୍ଟରରେ ନ୍ୟାସନାଲ୍ ଇନଫର୍ମାଟିକ୍ସ ସେଣ୍ଟରର ଇଞ୍ଜିନିୟରମାନଙ୍କୁ ନିୟୋଜିତ କରାଯିବ । ସାଂସଦମାନଙ୍କ ଆଟେଣ୍ଡାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ଏହି ଆଟେଣ୍ଡାନ୍ସ ଆଧାରରେ ସେମାନଙ୍କୁ ଅଧିବେଶନ ସମୟରେ ଦୈନିକ ଆଲାଉନ୍ସ ମିଳିବ । ବର୍ଷକୁ ପ୍ରାୟ ୭୦ ଦିନ ଅଧିବେଶନ ବସେ । ଦିନକୁ ସାଂସଦମାନେ ପ୍ରାୟ ଦୁଇ ତିନି ମିନିଟ୍ ଆଟେଣ୍ଡାନ୍ସ ପାଇଁ ଧାଡିରେ ଛିଡା ହେଉଥିଲେ । ଏବେ ଏହା ଆଉ ହେବନି । ସେମାନେ ପ୍ରାୟ ସାଢ଼େ ତିନି ଘଣ୍ଟା ଅଧିକ ସମୟ ପାଇବେ । ଏହି ଅଧିକ ସମୟ ସେମାନେ ସଂସଦରେ ଭାଗ ନେଇପାରିବେ ।
ଡିଜିଟାଲ ଇଣ୍ଡିଆ ଓ ଗଭର୍ଣ୍ଣାନାନ୍ସ ଆଧୁନିକୀକରଣର ଏହା ଅଂଶ ବିଶେଷ । ଏହାଦ୍ୱାରା ସଂସଦ ଓ ସାଂସଦମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lok_sabha_1752500782.jpg)