Advertisment

୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ, ୭ଟି ପର୍ଯ୍ୟାୟରେ ହେବ ମତଦାନ

ପ୍ରତୀକ୍ଷାର ଅନ୍ତ। ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ତାରିଖ। ଏପ୍ରିଲ୍ ୧୯ରୁ ଜୁନ୍ ୧ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।

author-image
Santosh Kumar Sahoo
undefined

Lok Sabha Election

ବାଜିଲା ନିର୍ବାଚନୀ ବିଗୁଲ୍। ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରକ୍ରିୟା। ୨୪ ସାଧାରଣ ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍। ଭୋଟ୍ ଗ୍ରହଣ ପ୍ରକ୍ରିୟା ମୋଟ୍ ୭ଟି ପର୍ଯ୍ୟାୟରେ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ। ଜୁନ୍ ୪ ତାରିଖରେ ହେବ ଭୋଟ୍ ଗଣତି। ଓଡ଼ିଶାରେ ମେ ୧୩ରୁ ଜୁନ୍ ୧ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।

Advertisment

ଏବେ ନଜର ପକାନ୍ତୁ କେଉଁ ପର୍ଯ୍ୟାୟରେ କେତୋଟି ଲୋକସଭା ଆସନରେ ହେବ ଭୋଟ୍। ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ୧୦୨ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୬ରେ ୮୯, ତୃତୀୟ ପର୍ଯ୍ୟାୟ ମେ ୭ରେ ୯୪, ଚତୁର୍ଥ ପର୍ଯ୍ୟାୟ ମେ ୧୩ରେ ୯୬, ପଞ୍ଚମ ପର୍ଯ୍ୟାୟ ମେ ୨୦ରେ ୪୯, ଷଷ୍ଠ ପର୍ଯ୍ୟାୟ ମେ ୨୫ରେ ୫୭ ଓ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ଜୁନ୍ ୧ ତାରିଖରେ ୫୭ଟି ଆସନରେ ଭୋଟ୍ ନିଆଯିବ।

୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗୋଟିଏ ଫେଜରେ ନିର୍ବାଚନ ହେବାକୁ ଥିବା ବେଳେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ ସମସ୍ତ ୭ଟି ଯାକ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ସେହିପରି ମହାରାଷ୍ଟ୍ର ଓ ଜାମ୍ମୁକାଶ୍ମୀରରେ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏଥିସହିତ ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି।

Advertisment

ଲୋକସଭା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ଏକା ସାଙ୍ଗରେ ବିଧାନସଭା ନିର୍ବାଚନ ହେଉଛି। ପଡ଼ୋଶୀ ଆନ୍ଧ୍ରପ୍ରଦେରେ ମେ ୧୩, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଏପ୍ରିଲ୍ ୧୯ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଦଳଙ୍କ ପାଇଁ କଡ଼ା ପରାମର୍ଶବଳୀ ଜାରି କରିଛନ୍ତି ନିର୍ବାଚନ କମିଶନର। ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ମତଦାତାଙ୍କ ଅବଗତି ନିମନ୍ତେ ବିଜ୍ଞାପନ ଜରିଆରେ ତିନିଥର ନିଜ ଅପରାଧ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଭଳି ପ୍ରାର୍ଥୀଙ୍କୁ କାହିଁକି ଟିକେଟ୍ ଦିଆଗଲା, ରାଜନୈତିକ ଦଳମାନେ ମଧ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି। ପ୍ରଚାର ସମୟରେ ଘୃଣା ସୃଷ୍ଟିକାରୀ ଭାଷଣ, ବ୍ୟକ୍ତିଗତ ସ୍ତରରେ ଆକ୍ଷେପ ପ୍ରତି ଆକ୍ଷେପକୁ ବାରଣ କରାଯାଇଛି। ସେହିପରି ରାଜନୈତିକ ଦଳମାନେ କେବଳ ପ୍ରସଙ୍ଗ ଆଧାରିତ ପ୍ରଚାର ବ୍ୟତୀତ ଜାତି ଓ ଧର୍ମ ନାଁରେ ଭୋଟ୍ ମାଗି ପାରିବେନି ବୋଲି ସତର୍କ କରାଇ ଦିଆଯାଇଛି। ନିର୍ବାଚନୀ ମୈଦାନରେ ଶତୃତା ଏବେ ସାଧାରଣ କଥା ହୋଇଯାଇଥିଲା ବେଳେ ସବୁ କିଛି ସୀମା ଭିତରେ ରହିବା ଉଚିତ୍ ବୋଲି ମର୍ମରେ ସାଏରୀ ଶୁଣାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

୨୦୧୯ରେ ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସେଇ ସମାନ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଚଳିତଥର ପ୍ରାୟ ୯୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ସେ ଭିତରୁ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ହେଉଛନ୍ତି ମହିଳା ଭୋଟର। ଏମାନଙ୍କ ମଧ୍ୟରେ ପ୍ରାୟ ୧ କୋଟି ୮୨ ଲକ୍ଷ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଯାଉଥିଲା ବେଳେ ୧୮ରୁ ୨୯ ବର୍ଷ ବୟସ ବର୍ଗର ଭୋଟରଙ୍କ ସଂଖ୍ୟା ହେଉଛି ୨୧ କୋଟି। ବଡ଼ କଥା ହେଉଛି, ଏଥର ୮୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଘରେ ରହି ଭୋଟ୍ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଭୋଟ୍ ଗ୍ରହଣ ଲାଗି ସାରା ଦେଶରେ ୧୦ ଲକ୍ଷ ୫୦ ହଜାର ପୋଲିଂ ବୁଥ୍ କରାଯାଇଥିଲା ବେଳେ ଏଥିପାଇଁ ୫୫ ଲକ୍ଷ ଇଭିଏମ୍ ଓ ଦେଢ଼ କୋଟି ପୋଲିଂ ଅଫିସରଙ୍କୁ ପ୍ରସ୍ତୁତ ରଖାଯାଇଛି।

Election Commission Of India General Elections 2024 Lok Sabha Election
Advertisment
Advertisment