ଦିଲ୍ଲୀର ନିଗମ ବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ମରଶରୀର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । କଂଗ୍ରେସର ବହୁ ବରିଷ୍ଠ ନେତା, ବହୁ ପୂର୍ବତନ ପ୍ରଶାସନ ଓ ସମାଜର ବିଭିନ୍ନ ବର୍ଗର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦୁଃଖ ପ୍ରକାଶ କରିଛନ୍ତି । ମନମୋହନ ସିଂହଙ୍କ ବିୟୋଗରେ ହ୍ୱାଇଟ୍ ହାଉସରୁ ଶୋକବାର୍ତ୍ତା ଜାରି କରାଯାଇଛି । ଭାରତୀୟଙ୍କ ସହ ଆମେ ବି ଦୁଃଖୀ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।
ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୯୨ ବର୍ଷ ବୟସରେ ଆଖି ବୁଜିଥିଲେ ମନମୋହନ ସିଂ । ଦିଲ୍ଲୀ ସ୍ଥିତ ବାସଭବନକୁ ମର ଶରୀର ଅଣାଯିବା ପରେ ତାଙ୍କର ଶେଷ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ମନମୋହନଙ୍କ ବିୟୋଗରେ ଭାରତରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି ।
ଅଧିକ ପଢନ୍ତୁ:ଆଜି ମନମୋହନଙ୍କ ଶେଷକୃତ୍ୟ, ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର
ଏପଟେ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଙ୍ଗା ଆଳତି କରାଯାଇଛି । ବାରାଣସୀ ଦଶାଶ୍ୱମେଧ ଘାଟରେ ଦୈନିକ ଗଙ୍ଗା ଆଳତି ପୂର୍ବରୁ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ହଜାର ହଜାର ଲୋକେ ଦଶାଶ୍ୱମେଧ ଘାଟରେ ଏକାଠି ହୋଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ ଗଙ୍ଗା ସେବା ନିଧି ତରଫରୁ ୧ ହଜାର ୧ ଦୀପ ଦାନ କରାଯାଇଛି । ଲୋକମାନେ ଦୀପରେ ଶ୍ରଦ୍ଧାଞ୍ଜଳି ଲେଖିବା ସହ ମନମୋହନ ସିଂଙ୍କ ଫଟୋ ଚିତ୍ର ଧରି ତାଙ୍କ ସ୍ମୃତିଚାରଣ କରିଛନ୍ତି । ଗତ ୨୦୦୮ ମସିହାରେ ଏଠାରେ ଗଙ୍ଗା ଆଳତିରେ ସାମିଲ ହୋଇଥିଲେ ମନମୋହନ ସିଂ ।
ଶିକ୍ଷକତାରୁ ସିଭିଲ୍ ସର୍ଭିସ୍... ପ୍ରଧ୍ୟାପନାରୁ ପ୍ରଶାସକ। ଅଚାନକ ଅର୍ଥମନ୍ତ୍ରୀରୁ ୨ଥର ପ୍ରଧାନମନ୍ତ୍ରୀ । ୧୯୭୨ରୁ ୧୯୯୧ ମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର, ୟୁଜିସି ଚେୟାରମ୍ୟାନ ବନିଥିଲେ ପଦ୍ମବିଭୂଷଣ ମନମୋହନ ।
ତେବେ ୧୯୯୧ରେ ଦେଶ ଯେତେବେଳେ ଦେବାଳିଆ ହେବାକୁ ବସିଥିଲା, ବୈଦେଶିକ ମୁଦ୍ରା ଭଣ୍ଡାର ଆଉ ମାତ୍ର ୨-୩ ସପ୍ତାହ ପାଇଁ ବଳିଥିଲା, ସେତେବେଳେ ବିଳମ୍ବିତ ରାତିରେ ମନମୋହନଙ୍କୁ ଆସିଥିଲା ଗୋଟିଏ ଫୋନ୍ କଲ୍ । ଯାହାକି କେବଳ ତାଙ୍କ କ୍ୟାରିୟରକୁ ନୁହେଁ, ଦେଶର ଅର୍ଥନୀତିକୁ ନୂଆ ଦିଶା ଦେଇଥିଲା ।
ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିହ୍ମା ରାଓ । ଅର୍ଥନୈତିକ ଉଦାରୀକରଣ ମାଧ୍ୟମରେ ଦେଶକୁ ଦେବାଳିଆ ସ୍ଥିତିରୁ ରକ୍ଷା କରି ମନମୋହନ ସିଂ ସାଜିଥିଲେ ଆଧୁନିକ ଅର୍ଥନୀତିର ମଙ୍ଗୁଆଳ । ଆଉ ୨୦୦୪ରେ ସେମିତି ସମସ୍ତଙ୍କୁ ଚକିତ କରି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା ଉପା ସରକାର । ୨୦୦୮ରେ ବିଶ୍ୱ ଅର୍ଥନୀତିକୁ ବିରାଟ ମାନ୍ଦାବସ୍ଥା କବଳିତ କରିଥିବା ବେଳେ, ମନମୋହନଙ୍କ ଅର୍ଥନୈତିକ ସଂସ୍କାର ବଳରେ ଭାରତ ବିଶେଷ ପ୍ରଭାବିତ ହୋଇନଥିଲା ।
୨୦୦୪ରୁ ୨୦୧୪ । କ୍ରମାଗତ ଦୁଇଥର ପ୍ରଧାନମନ୍ତ୍ରୀତ୍ୱ ଭିତରେ କାର୍ଯ୍ୟକାରୀ ହୋଇଥିଲା ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଆଇନ, ମନରେଗା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଦି ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା । ଫୋକସରେ ଥିଲେ ଗ୍ରାମୀଣ ଓ ମଧ୍ୟବିତ୍ତ । ତାଙ୍କରି ସମୟରେ ହିଁ ହୋଇଥିଲା ଆଧାର କାର୍ଡର ସୂତ୍ରପାତ । ଦେଶ ହରାଇଲା ତା'ର ଜଣେ ବରପୁତ୍ରଙ୍କୁ ।