ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ଟଳିଛି ଟପ୍ ଆତଙ୍କୀ କମାଣ୍ଡର । ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି ନିହତ ହୋଇଛି । ସେହିପରି ଏନକାଉଣ୍ଟରରେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡିତ ସନ୍ଦିଗ୍ଧ ଲସ୍କର ଆତଙ୍କବାଦୀଙ୍କ ଧରିବାକୁ ମିଳିତ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର ହୋଇଛି ।
ଆଜି ସକାଳୁ ବନ୍ଦିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ଜମ୍ମୁ-କାଶ୍ମୀର ପୋଲିସ ଓ ଭାରତୀୟ ସେନା ଆତଙ୍କବାଦଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ କିଛି ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷାବଳ ଉପରକୁ ଗୁଳିମାଡ଼ କରିଥିଲେ । ଯାହାପରେ ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ବଦଳି ଯାଇଥିଲା ।
ଅଧିକ ପଢ଼ନ୍ତୁ: ପ୍ରସ୍ତୁତି ସାରୁଛି ଭାରତ, ହେବ କି ପାକିସ୍ତାନ ସହ ଯୁଦ୍ଧ ?
ଏହାରି ମଧ୍ୟରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶ୍ରୀନଗରରେ ପହଞ୍ଚିଛନ୍ତି । ତାଙ୍କୁ ବନ୍ଦିପୋରାରେ ଚାଲିଥିବା ଅପରେସନ ସମ୍ପର୍କରେ ସୂଚନା ଦିଆଯାଇଛି । ସେନା ମୁଖ୍ୟ ଆଜି ଶ୍ରୀନଗରରେ ବ୍ୟାପକ ସୁରକ୍ଷା ସ୍ଥିତି ଏବଂ ପହଲଗାମ୍ ଆତଙ୍କୀ ହମ୍ଲା ପଛରେ ଥିବା ସନ୍ଦିଗ୍ଧ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଥିବା ଅପରେସନର ଅଗ୍ରଗତି ସମୀକ୍ଷା କରିବେ ।
ଅନ୍ୟପଟେ ପହଲଗାମ୍ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କ ଘରକୁ ଜମ୍ମୁ-କାଶ୍ମୀର ପ୍ରଶାସନ ଓ ସୁରକ୍ଷାକର୍ମୀ ମାଟିରେ ମିଶାଇ ଦେଇଛନ୍ତି । ଲସ୍କର ଆତଙ୍କବାଦୀ ଆଦିଲ୍ ଥୋକର ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ବେଳେ ଆଉ ଜଣେ ଆତଙ୍କୀ ଆସିଫ୍ ଶେଖ୍ ଘରକୁ ବୋମାରେ ଉଡାଇ ଦିଆଯାଇଛି । ପହଲଗାମ୍ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛି ଭାରତ ।