• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୌସେନା ଓ NCBର ବଡ଼ ଚଢାଉ । ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ । ଏଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ- ପ୍ରିଣ୍ଟ । କିନ୍ତୁ ମାଡ଼ି ବସିଲେ ନୌସେନା ଟିମ୍‌ ଓ NCB ଅଧିକାରୀ । ଗୁଜରାଟ ଉପକୂଳରେ ଜାହାଜ ଲାଗିଥିବା ବେଳେ ସେଥିରୁ ବାହାରିଛି ପୁଳା ପୁଳା ନିଶାଦ୍ରବ୍ୟ । ଜବତ ନିଶାଦ୍ରବ୍ୟର ପରିମାଣ ୩,୩୦୦ କେଜି ହୋଇଥିବା ବେଳେ ଏହାର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସମଗ୍ର ଭାରତରେ ଏକକାଳୀନ ଏତେ ପରିମାଣର ନିଶାଦ୍ରବ୍ୟ ମିଳିବାର ଏହା ପ୍ରଥମ ଘଟଣା ବୋଲି ଜଣାଯାଇଛି । ଏହି ଘଟଣାରେ ୪ ଜଣଙ୍କୁ ଇରାନୀ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ NCB ଅଧିକାରୀ, ଭାରତୀୟ ନୌସେନା ଟିମ୍‌ ଓ ଗୁଜରାଟ୍‌ର ଆଣ୍ଟି-ଟେରରିଜିମ ସ୍କ୍ୱାର୍ଡ ଗୁଜରାଟ ଉପକୂଳରେ ଦୁଇ ଦିନ ହେବ ଡେରା ପକାଇଥିଲେ। ସେମାନେ ତନ ତନ କରି କୂଳରେ ଲାଗୁଥିବା ସମସ୍ତ ଜାହାଜକୁ ଯାଞ୍ଚ କରୁଥିଲେ । ଏହାପରେ ପାକିସ୍ତାନରୁ ଆସିଥିବା ବୋଟ୍‌ଟି ଗୁଜରାଟ ଉପକୂଳରେ ପହଞ୍ଚିବା ପରେ ତାହାକୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା । ଏହାପରେ ଜାହାଜରୁ ଯାହା ବାହାରିଲା ତାକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା । 

ଉକ୍ତ ଜାହାଜରୁ ଗଞ୍ଜେଇ ସମେତ ଆହୁରି ବହୁ ଭିନ୍ନ ଭିନ୍ନ ନିଶାଦ୍ରବ୍ୟ ବହୁ ପରିମାଣରେ ଜବତ ହୋଇଛି । ଜାହାଜରୁ ଜବତ ହୋଇଥିବା ନିଶାଦ୍ରବ୍ୟ ମଧ୍ୟରେ ୩୦୮୯ କିଲୋଗ୍ରାମର ଚରସ, ୧୫୮ କେଜିର ମିଥାମଫେଟାଇମନ ଓ ୨୫ କିଲୋଗ୍ରାମର ମର୍ଫିନ ରହିଛି ।  ଏହି ସବୁ ନିଶାଦ୍ରବ୍ୟ ପ୍ୟାକେଟ ଉପରେ "Produce of Pakistan” ବୋଲି ଲେଖାଯାଇଛି । ସଙ୍ଗେସଙ୍ଗେ ତଦନ୍ତକାରୀ ଟିମ୍‌ ବୋଟ୍‌କୁ ସିଜ୍‌ କରିବା ସହ କ୍ରିଉ ସଦସ୍ୟଙ୍କ ସହ ଗୁଜରାଟର ପୋରବନ୍ଦରକୁ ନେଇ ଯାଇଥିବା ଜଣାଯାଇଛି । ସେଠାରେ ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଜଣାଯାଇଛି ।

ଆଜି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର (NCB ) ସାମ୍ବାଦିକ ସମ୍ମିଳନୀ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ । ସୂଚନାଯୋଗ୍ୟ ଯେ, ତିନି ଦିନ ପୂର୍ବେ ଭେରାଭାଲ ବନ୍ଦରରୁ ଏକ ମତ୍ସ୍ୟଜୀବୀ ଡଙ୍ଗାରୁ ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା । ଏହାରି ଭିତରେ ମଙ୍ଗଳବାର ପୁଣି ଏତେ ପରିମାଣର ନିଶାଦ୍ରବ୍ୟ ଜବତ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।