Astrospeak
  • Live TV
  • Read In English

Kunal Kamra Controversy: ମହାରାଷ୍ଟ୍ ରାଜନୀତିରେ କୁନାଲ କାମ୍ରା ଝଡ଼, ଷ୍ଟୁଡିଓ ଭଙ୍ଗାରୁଜା କଲେ ଶିବସେନା ସିନ୍ଦେ ଗୋଷ୍ଠୀ

ଶିବସେନା ସିନ୍ଦେ ଯୁବ ସେନା ସାଧାରଣ ସଂପାଦକ ରାହୁଲ କାନାଲ୍ ଚେତାବନୀ ଦେଇଛନ୍ତି- ଏହା କେବଳ ଟ୍ରେଲର୍, ପିକଚର୍ ଆଗକୁ ବାକି ଅଛି ।

ମହାରାଷ୍ଟ୍ର ରାଜନୀତିରେ କୁନାଲ ଝଡ଼
ମହାରାଷ୍ଟ୍ର ରାଜନୀତିରେ କୁନାଲ ଝଡ଼

ମହାରାଷ୍ଟ୍ର ରାଜନୀତିରେ ଏବେ କୁନାଲ କାମ୍ରା ଝଡ଼ । ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମ୍ରା ସୋସିଆଲ ମିଡିଆରେ ମହାରାଷ୍ଟ୍ର ପଲିଟିକ୍ସକୁ ନେଇ ଏକ ଭିଡିଓ ଅପଲୋଡ୍ କରିବା ପରେ, ଏହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡିଓରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାଁ ନେଇ ନଥିଲେ ମଧ୍ୟ, ସେ ଭିଡିଓ ଯିଏ ବି ଶୁଣିବ ଏକପ୍ରକାର ସ୍ପଷ୍ଟ ହୋଇଯିବ ଯେ, ସେଥିରେ ସେ କାହାକୁ ଆକ୍ଷେପ କରୁଛନ୍ତି । ପଲିଟିକାଲ୍ ଜୋକ୍ କରିବାକୁ ଯାଇ, ଏକନାଥ ସିନ୍ଦେଙ୍କୁ ସେ ଗଦ୍ଦାର ବା ବିଶ୍ବାସଘାତକ ବୋଲି କହିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା...

ବଲିଉଡ୍ ଫିଲ୍ମ 'ଦିଲ୍ ତୋ ପାଗଲ୍ ହୈ'ର ଏକ ଗୀତ ସ୍ବରରେ, ୨୦୨୦ରେ ଶିବସେନା ଭିତରେ ହୋଇଥିବା ବିଦ୍ରୋହକୁ ସେ ବର୍ଣ୍ଣନା କରିଥିବା କୁହାଯାଉଛି । ଏକନାଥ ସିନ୍ଦେ ଏହି ବିଦ୍ରୋହର ନେତୃତ୍ବ ନେଇଥିବା ବେଳେ, ତାଙ୍କ ପ୍ରତି କାମ୍ରା ଭିଡିଓରେ ଗଦ୍ଦାର ଓ ବାପ ଚୋରି କରିଥିବା ଭଳି ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ତାତିଛି ଶିବସେନାର ସିନ୍ଦୋ ଗୋଷ୍ଠୀ । କିଛି ନେତା ଓ ସମର୍ଥକ କାମ୍ରାଙ୍କ ଏହି ଭିଡିଓ ସୁଟ୍ ହୋଇଥିବା ମୁମ୍ବାଇ ଖାର୍ ସ୍ଥିତ ୟୁନିକଣ୍ଟିନେଣ୍ଟାଲ ଷ୍ଟୁଡିଓ ଏବଂ ତା ଭିତରେ ଥିବା ହାବିଟାଟ୍ କମେଡି କ୍ଲବରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । କ୍ୟାମେରା, ଲାଇଟ୍ ସହ ଭାଙ୍ଗିଛନ୍ତି ଷ୍ଟୁଡିଓର ଆସବାବପତ୍ର ।

ଶିବସେନା ସିନ୍ଦେ ଯୁବ ସେନା ସାଧାରଣ ସଂପାଦକ ରାହୁଲ କାନାଲ୍ ଚେତାବନୀ ଦେଇଛନ୍ତି- ଏହା କେବଳ ଟ୍ରେଲର୍, ପିକଚର୍ ଆଗକୁ ବାକି ଅଛି । ମୁମ୍ବାଇ ଆସିଲେ କାମ୍ରାଙ୍କୁ ଶିବସେନା ଷ୍ଟାଇଲରେ ତାଙ୍କୁ ଉଚିତ ଶିକ୍ଷା ମିଳିବ ବୋଲି ମଧ୍ୟ ସେ କହିଛନ୍ତି ସେ । ଏହି ଘଟଣା ପରେ ରାହୁଲଙ୍କ ସମେତ ୧୧ ଶିବସେନା କର୍ମୀଙ୍କୁ ଗିରଫ କରିଛି ପୋଲିସ । ତେବେ ସେମାନଙ୍କୁ ଜାମିନ ମିଳିସାରିଛି । ସେପଟେ ଏହି ଘଟଣା ପରେ କିଛି ଦିନ ପାଇଁ ଭେନ୍ୟୁ ବନ୍ଦ ରହିବ ବୋଲି ହାବିଟାଟ୍ ଷ୍ଟୁଡିଓ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ବିବାଦ ଘେରକୁ ଆସିଥିବା କମେଡି ସୋ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ମଧ୍ୟ ଏହି ଷ୍ଟୁଡିଓରେ ସୁଟ୍ ହୋଇଥିଲା ।

ଶିବସେନା ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁନାଲ କାମ୍ରାଙ୍କ ବିରୋଧରେ ମଧ୍ୟ ଏତଲା ଦାୟର ହୋଇଛି। ଶିବସେନା ବିଧାୟକ ମୁର୍ଜି ପଟେଲ୍ ଥାନାରେ ଅଭିଯୋଗ କରିଥିବା ବେଳେ ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୩୫୩(୧-ବି), ୩୫୩(୨) ଏବଂ ମାନହାନୀ ପାଇଁ ୩୫୬(୨) ଧାରାରେ ମାମଲା ରୁଜୁ ହୋଇଛି । କାମ୍ରାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଓ କଲ୍ ରେକର୍ଡର ବି ଖୋଳତାଡ଼ ହେବ ବୋଲି ସୂଚନା ସାମ୍ନାକୁ ଆସୁଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ରାଜନୈତିକ ଝଡ଼ । କୁନାଲ କାମ୍ରାଙ୍କ ମନ୍ତବ୍ୟର କଡ଼ା ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ଲୋକଙ୍କୁ ବ୍ୟଙ୍ଗ ଓ ହାସ୍ୟରସ କରିବାର ସ୍ୱାଧୀନତା ଅଛି। କିନ୍ତୁ ଜାଣିଶୁଣି ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା ଅନୁଚିତ । କାମ୍ରା ସମ୍ବିଧାନର ଲାଲ ପୁସ୍ତକ ଦେଖାଇଲେ ଯାହା ରାହୁଲ ଗାନ୍ଧି ଧରନ୍ତି। ଏହାକୁ ଦେଖାଇ କାମ୍ରା ତାଙ୍କ କାର୍ଯ୍ୟକୁ ଯଥାର୍ଥ କରିପାରିବେ ନାହିଁ କି କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରିବେ ନାହିଁ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କାମ୍ରାଙ୍କ ସପକ୍ଷରେ ବାହାରି ଉଦ୍ଧବ ଠାକରେ କହିଛନ୍ତି, ଗଦ୍ଦାରକୁ ଗଦ୍ଦାର କହିବା କାହା ଉପରେ ଆକ୍ରମଣ ନୁହେଁ । ତେବେ ଏକନାଥ ସିନ୍ଦେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ, କୁନାଲ କାମ୍ରା ସୋସିଆଲ ମିଡିଆ ଏକ୍ସରେ ହାତରେ ସମ୍ବିଧାନର ଏକ କପି ଧରି ଫଟୋ ଛାଡ଼ିଛନ୍ତି । ଲେଖିଛନ୍ତି ଏହା ହିଁ ଆଗକୁ ଏକମାତ୍ର ବାଟ । ସେପଟେ ପୋଲିସକୁ ତାମିଲନାଡ଼ୁରୁ ପ୍ରତିକ୍ରିୟା ଦେଇ, ମୁଁ ଅନୁତପ୍ତ ନୁହେଁ ଏବଂ କେବଳ କୋର୍ଟ ନିର୍ଦ୍ଦେଶରେ କ୍ଷମା ମାଗିବି ବୋଲି କହିଥିବା ସୂଚନା ମିଳିଛି ।

ଅନ୍ୟପଟେ କୁନାଲ କାମ୍ରାଙ୍କ ମନ୍ତବ୍ୟକୁ ନେଇ ବିବାଦ ଭିତରେ, ଆକ୍ସନ ମୋଡ୍‌କୁ ଆସିଛି ମୁମ୍ବାଇ ମହାନଗର ନିଗମ । ବିଏମସି ଅଧିକାରୀ ହାତରେ ହାତୁଡ଼ି ଧରି ଆଜି ମୁମ୍ବାଇର ହାବିଟାଟ ଷ୍ଟୁଡିଓରେ ପହଞ୍ଚିଥିଲେ । ଏହାପରେ ଷ୍ଟୁଡିଓର ଗୋଟିଏ ଅଂଶକୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଷ୍ଟୁଡିଓରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କୁନାଲ କାମ୍ରା । ବାହାରେ ମହାରାଷ୍ଟ୍ର ପୋଲିସର କଡ଼ା ସୁରକ୍ଷା ଦେଖିବାକୁ ମିଳିଛି । ପୂର୍ବରୁ ଏହି ଷ୍ଟୁଡିଓରେ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୁଟ୍ ହୋଇଥିଲା ।

ଅଧିକ ପଢ଼ନ୍ତୁ: ନୀଳମାଧବଙ୍କ ଦର୍ଶନ କଲେ ମହାମହିମ, ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ‌ଉପସ୍ଥିତ