କୋଲକାତା ଲଜ୍ଜା: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌, କାଲି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ

ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ ।

Doctor Protest

କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଇଛନ୍ତି । ସିବିଆଇ ପକ୍ଷରୁ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣିରେ ଏଫଆଇଆରରେ ବିଳମ୍ବ ଓ ପୋଷ୍ଟମର୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିନା ଆନୁଷ୍ଠାନିକ ଅନୁରୋଧରେ ଶବ ବ୍ୟବଚ୍ଛେଦ କିପରି କରାଗଲା ? ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ପଚାରିଥିଲେ, ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ତାନ୍ତର କରିବା ସମୟର ଚାଲାଣ ଗଲା କୁଆଡ଼େ ? ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଚାଲାଣ ସେମାନଙ୍କର ରେକର୍ଡର ଅଂଶ ନୁହେଁ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ମୃତଦେହ ସହିତ ଆଉ କିଛି ସାମଗ୍ରୀ ପଠାଯାଇଥିଲା କି ନାହିଁ ରେକର୍ଡଭୁକ୍ତ ହୋଇଥାଏ । ବିନା ଚାଲାଣରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ମୃତଦେହକୁ ଗ୍ରହଣ କରିପାରିବେ ନାହିଁ। ଏହାପରେ ଚିଫ୍‌ ଜଷ୍ଟିସ କହିଥିଲେ ବିନା ଆନୁଷ୍ଠାନିକ ଅନୁରୋଧରେ କିଭଳି ଶବ ବ୍ୟବଚ୍ଛେଦ କରାଗଲା ? ସେହିପରି ଏଫଆଇଆର ଦାଖଲରେ ବିଳମ୍ବକୁ ନେଇ ବି ପ୍ରଶ୍ନ କରିଛନ୍ତି ତିନି ଜଣିଆ ଖଣ୍ଡପୀଠ । ତେବେ ଏହି ମାମଲାରେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ସେହିପରି ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ । ସେମାନଙ୍କ ବିରୋଧରେ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କିନ୍ତୁ ଚେତେଇ ଦେଇଛନ୍ତି, ଲଗାତାର କାର୍ଯ୍ୟରୁ ଦୂରେଇ ରହିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସଂଘ ପକ୍ଷରୁ ହାଜର ହୋଇଥିବା ଓକିଲଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ।

ବାସ୍ତବରେ ପଶ୍ଚିମବଙ୍ଗ ସରକାରଙ୍କ ରିପୋର୍ଟ ପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଏକ ରିପୋର୍ଟରେ କହିଛନ୍ତି ଯେ ଡାକ୍ତରମାନେ କାମକୁ ନ ଆସିବାରୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ରିପୋର୍ଟ ପରେ ସୁପ୍ରିମକୋର୍ଟ ଆନ୍ଦୋଳନରତ ଡାକ୍ତରଙ୍କୁ ଡେଡ୍‌ଲାଇନ ଦେଇଛନ୍ତି ।