Kashmir's Chenab Bridge: ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ଓଟିଭି, ବ୍ରିଜର ନିର୍ମାଣ ବିସ୍ମୟ କ୍ୟାମେରାରେ କଏଦ୍

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।

Kashmir's Chenab Bridge

ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ, କାଶ୍ମୀରର ଚେନାବ ବ୍ରିଜରେ ଓଟିଭି । ଦୁର୍ଗମ ହିମାଳୟର ଛାତି ଚିରି କେମିତି ନିର୍ମାଣ ହୋଇଛି, ଯାହା କଶ୍ମୀରକୁ ସାରା ଭାରତ ସହ ଯୋଡ଼ିବ । ଯେଉଁ ବ୍ରିଜ୍ ଉପରେ ସାରା ବିଶ୍ୱର ନଜର ରହିଛି, ସେଇଠି ପହଞ୍ଚି ସ୍ଥିତି ପରଖିଛି ଓଟିଭି । ଚେନାବ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ରିଜ୍‌ର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ ।

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି । ଦେଖିଲେ ଆଶ୍ଚର୍ଯ୍ୟଚକିତ ରହିଯିବେ । ହିମାଳୟର ଛାତି ଚିରି ନିର୍ମାଣ ହୋଇଛି ବ୍ରିଜ୍ । ଯାହା ଉପତ୍ୟକାକୁ ସାରା ଭାରତ ସହ ଯୋଡ଼ିବ । ଚେନାବ ବ୍ରିଜ୍ । ଚେନାବ ନଦୀ ବୁକୁରେ ଠିଆ ହୋଇଛି, ଯେଉଁଠି ପହଞ୍ଚିଛି ଓଟିଭି ।

ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ ଚେନାବ୍ ବ୍ରିଜ । ଯେତିକି ବିଶାଳ, ସେତିକି ବାହୁବଳି । ଏହାକୁ ନିର୍ମାଣ କରିବା କାଠିକର ପାଠ ଥିଲା । ଯାହାକୁ ଶବ୍ଦରେ ବଖାଣି ହେବନି, ଜଣେ ଦେଖିଲେ ଅନୁଭବ କରିପାରିବ ଏହାର ନିର୍ମାଣ ଓ ନିର୍ମାତାଙ୍କ ପରାକ୍ରମ ଓ ପରିଶ୍ରମକୁ । ରିଆସି ଜିଲ୍ଲାର ବକାଲ୍ ଓ କଉରି ମଧ୍ୟରେ ଥିବା ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର ।

ଅଧିକ ପଢ଼ନ୍ତୁ: ଆମ୍ବେଦକର ପ୍ରସଙ୍ଗ, ଜୋର ଧରିଲା ରାଜନୀତି; ବିରୋଧୀଙ୍କୁ ଧୋଇଲେ ପ୍ରଧାନମନ୍ତ୍ରୀ

ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ । ଲମ୍ବ ପ୍ରାୟ ୧ହଜାର ୩୧୫ ମିଟର । ଏଥିରୁ ୫୩୦ ମିଟର ମାଟି ଉପରେ ଓ ଶେଷ ୭୮୫ ମିଟର ଚେନାବ ନଦୀ ଉପରେ ନିର୍ମାଣ ହୋଇଛି । ୧୨୦ ବର୍ଷ ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଷ୍ଟିଲ୍ ଓ କଂକ୍ରିଟରେ ନିର୍ମାଣ ହୋଇଛି ଚେନାବ ବ୍ରିଜ୍ । ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ । ଭୂକମ୍ପ ଜୋନ୍-୪ରେ ଚେନାବ ବ୍ରିଜ ଅଞ୍ଚଳ ଆସୁଥିବାରୁ ସେଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ସେହିପରି ପ୍ରଳୟଙ୍କରୀ ପବନ ବହିଲେ ବି ବ୍ରିଜର କୌଣସି କ୍ଷତି ହେବ ନାହିଁ । ଏହି ବ୍ରିଜ୍ ନିର୍ମାଣରେ ଲାଗିଛି ୧୮ ବର୍ଷ ।

ଯେଉଁଥିରେ ଲାଗିଥିଲେ ୩୦୦ ଇଞ୍ଜିନିୟର, ୧୩ଶହରୁ ଅଧିକ କର୍ମଚାରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବ୍ରିଜ୍ ନିର୍ମାଣରେ ଓଡ଼ିଆ ଇଞ୍ଜିନିୟରଙ୍କ ବି ଅବଦାନ ରହିଛି । ଓଟିଭିରେ ନିଜ ଅନୁଭୂତି ବଖାଣିଥିଲେ ଓଡ଼ିଆ ପ୍ରୋଜେକ୍ଟ ଇନଚାର୍ଜ ରଶ୍ମିରଞ୍ଜନ ମଲ୍ଲିକ । ଚେନାବ ଯିବା ପୂର୍ବରୁ ବାଟରେ ପଡ଼ିବ ଅଞ୍ଜି ଖଡ୍ ବ୍ରିଜ୍ । କେବୁଲରେ ଝୁଲି ରହିଥିବା ଦେଶର ପ୍ରଥମ ରେଲୱେ ବ୍ରିଜ୍ ।

କୋଲକାତା ବିଦ୍ୟାସାଗର ବ୍ରିଜ ଭଳି ଝୁଲନ୍ତା ଅବସ୍ଥାରେ ଅଞ୍ଜି ନଦୀ ଉପରେ ନିର୍ମାଣ ହୋଇଛି । କଟରାରୁ ରିଆସିକୁ ଯୋଡୁଥିବା ଏହି କେବୁଲ ଷ୍ଟେ ବ୍ରିଜ୍ ସମ୍ପୂର୍ଣ୍ଣ ତୟାର । ଆସନ୍ତା ମାସରେ ଏହାର ଟ୍ରାଏଲ୍ ହୋଇପାରେ । ପ୍ରତିକୂଳ ପରିସ୍ଥିତିରେ ହିମାଳୟ ପାର୍ବତ୍ୟାଞ୍ଚଳର ଦୁର୍ଗମ ଅଞ୍ଚଳରେ କେବୁଲ ଷ୍ଟେ ବ୍ରିଜ୍ ନିର୍ମାଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଇଞ୍ଜିନିୟର ।

ଏହି ବ୍ରିଜର ଲମ୍ବ ୭୨୫ ମିଟର । ଏଥିରୁ ୪୭୩ ମିଟର କେବଳ କେବୁଲରେ ଝୁଲି ରହିଛି । ଅଞ୍ଜି ନଦୀ ଗର୍ଭରୁ ଟାୱାର ଯାଏ ଉଚ୍ଚତା ୩୩୧ ମିଟର । ୯୬ଟି କେବୁଲରେ ଝୁଲି ରହିଛି ବ୍ରିଜ୍ । ଗୋଟିଏ କେବୁଲରେ ୧୩୦ ଟନ୍ ଲୋଡ୍ ରହିଛି । ଏହା ଭୂକଂପ ନିରୋଧୀ ଓ ଏହି ବ୍ରିଜ୍ ଉପରେ ଶହେ କିଲୋମିଟର ବେଗରେ ଦୌଡ଼ିପାରିବ ଟ୍ରେନ୍ । ଚେନାବ ଓ ଅଞ୍ଜି ବ୍ରିଜକୁ ସେନା ଓ ସାଧାରଣ ଯୋଗାଯୋଗ ପାଇଁ ବ୍ୟବହାର କରାଯାଉଛି । IIT, DRDOର ବୈଜ୍ଞାନିକ ଓ ଦେଶ ବିଦେଶର ବଡ଼ ବଡ଼ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଛି ବ୍ରିଜ ।

ଅଧିକ ପଢ଼ନ୍ତୁ: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ