• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଇସ୍ତଫା ଦେବେ କର୍ଣ୍ଣାଟକ ସରକାରଙ୍କ ଜଣେ ମନ୍ତ୍ରୀ । କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍‌ ଇଶ୍ୱରପ୍ପା ଆଜି ଇସ୍ତଫା ଦେବା ନେଇ ଗତକାଲି ଏକ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ତେଣୁ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ଦେବେ ।

କର୍ଣ୍ଣାଟକର ଉଡୁପିର ସନ୍ତୋଷ ପାରିଲ ନାମକ ଜଣେ ଠିକାଦାରଙ୍କ ମୃତ୍ୟୁ ଘଟଣାରେ କେ. ଏସ୍‌ ଇଶ୍ୱରପ୍ପାଙ୍କ ହାତ ଥିବା ଜଣାପଡିଥିଲା । ମନ୍ତ୍ରୀ ଯୁବକଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବାର ଅଭିଯୋଗ ହୋଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତ ସୋମବାର ଦିନ କର୍ଣ୍ଣାଟକ ଉଡୁପି ଜିଲ୍ଲାରୁ ସନ୍ତୋଷ ପାଟିଲ ନାମକ ଜଣେ ଠିକାଦାରଙ୍କ ମୃତଦେହ ମିଳିଥିଲା । ଠିକାଦାରଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ତାଙ୍କର ଜଣେ ସାଙ୍ଗଙ୍କୁ ମ୍ୟାସେଜ କରିଥିଲେ । ଉକ୍ତ ମ୍ୟାସେଜରେ ସନ୍ତୋଷ ନିଜ ମୃତ୍ୟୁ ପାଇଁ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ ।

ମୃତ୍ୟୁର ମାତ୍ର କିଛି ଦିନ ପୂର୍ବରୁ ସନ୍ତୋଷ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ । ଏକ ନିର୍ମାଣ କାମ ପାଇଁ ମନ୍ତ୍ରୀ ଇଶ୍ୱରପ୍ପା ଠିକାଦାରଙ୍କଠାରୁ ୪୦ ପ୍ରତିଶତ କମିଶନ ଦାବି କରୁଛନ୍ତି ବୋଲି ଅଭିଯୋଗ ଆଣି ସେ ଏହି ଚିଠିରେ ଉଲ୍ଲେଖ କରିଥିଲେ ।

ଘଟଣାରେ ମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିବା ପରେ ବିରୋଧି ଦଳ ଲଗାତାର ଭାବେ ତାଙ୍କୁ କଡା ଜବାବ୍ ମାଗିଥିଲେ । ହେଲେ ସନ୍ତୋଷ ପାଟିଲଙ୍କ ଏହି ଅଭିଯୋଗକୁ ମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ବି ବିରୋଧି ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଥିଲେ । ଏମିତି କି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ବିଧାନସଭାରେ ପ୍ରତିବାଦ ମଧ୍ୟ କରାଯାଇଥିଲା । ଧିରେ ଧିରେ ଏହି ଘଟଣାକୁ ନେଇ ଉତ୍ତେଜନ ବଢ଼ିବାରେ ଲାଗିଥିଲା । ଶେଷରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଇଶ୍ୱରପ୍ପା ତାଙ୍କ ଇସ୍ତଫା ଘୋଷଣା କରିଥିଲେ।