Advertisment

କାନପୁର ହିଂସା : ପୋଲିସକୁ ବଡ଼ ସଫଳତା, ମୁଖ୍ୟ ଅଭିଯୁକ୍ତ ଗିରଫ

କାନପୁର ସାମ୍ପ୍ରଦାୟିକ ହିଂସା, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

author-image
Prangyan Parimita
ଅଦ୍ୟତନ ହୋଇଛି
Kanpur

Kanpur

କାନପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ହାୟାତ୍ ଜାଫର ହାସମୀଙ୍କୁ ଲକ୍ଷ୍ନୌର ହଜରତଗଞ୍ଜରୁ ପୋଲିସ ଗିରଫ କରିଛି । ଉତ୍ତର ପ୍ରଦେଶର କାନପୁରରେ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୩୬ଜଣଙ୍କୁ ଗିରଫ କରାଯାଇଛି । ଶାନ୍ତିଶୃଙ୍ଖଳ ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ହିଂସାକାଣ୍ଡରେ ଜଡ଼ିତ ଥିବା ଅଜ୍ଞାତ ବ୍ୟକ୍ତିମାନଙ୍କ ନାମରେ ୩ଟି ଏଫ୍ଆଇଆର୍ ଦାଏର ହୋଇଥିବା ପୋଲିସ କହିଛି । ଭିଡିଓ କ୍ଲିପକୁ ଆଧାର କରି ଆହୁରି ଅଧିକ ଲୋକଙ୍କୁ ଚିହ୍ନଟ କରାଯାଉଥିବା ପୋଲିସ କମିସନର୍ ବିଜୟ ସିଂହ ମୀନା କହିଛନ୍ତି । ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ସହିତ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ନିରାପତ୍ତା ବ୍ୟବସ୍ଥା ବ୍ୟାପକ କରାଯାଇଛି । ତେବେ ଅଭିଯୁକ୍ତମାନେ ସହର ଛାଡୁଛନ୍ତି ବୋଲି ହ୍ୟୁମାନ ଇଣ୍ଟେଲିଜେନ୍ସରୁ ଜଣାପଡ଼ିଥିଲା ।

Advertisment

ବିଜେପିର ଜଣେ ମୁଖପାତ୍ର ମହାପୁରୁଷ ମହମଦଙ୍କ ବିଷୟରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଏହି ହିଂସାକାଣ୍ଡ ହୋଇଥିଲା । ନିକଟରେ ଜ୍ଞାନବାପି ମସଜିଦ ମାମଲାରେ ଏକ ଟେଲିଭିଜନ୍ ଚାନେଲ ବିତର୍କରେ ବିଜେପି ମୁଖପାତ୍ରୀ ନୂପୁର ଶର୍ମା ମହମ୍ମଦଙ୍କ ସଂମ୍ପର୍କରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଆଉ ଏନେଇ ହାୟତ ଜାଫର ହାସମି ବଜାର ବନ୍ଦ କରିବାକୁ ଚେତାବନୀ ଦେବା ସହ ହିଂସାତ୍ମକ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନ ଉଗ୍ରରୂପ ନେବା ସହ ସାମ୍ପ୍ରଦାୟିକ ଗଣ୍ଡଗୋଳର ରୂପ ନେଇଥିଲା।

ହାୟତ ଜାଫର ହାସମୀଙ୍କ ନେତୃତ୍ୱରେ ଢେଲା ପଥର ମାଡ଼ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ତୀବ୍ର ହୋଇଥିଲା। ଏଥିରେ ୩୨ ଜଣ ଲୋକେ ଆହତ ହେବା ସହ ୧୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ପୁଲିସ ଏବେ ହାୟତ ଜାଫର ହାସମୀଙ୍କକୁ ଅଟକ ରଖି ଘଟଣା ସମ୍ପର୍କରେ ଜେରା କରୁଛି । ପୂର୍ବରୁ ମଧ୍ୟ ଅନେକ ହିଂସାତ୍ମକ ଆନ୍ଦୋଳନରେ ହାସମୀଙ୍କ ସମ୍ପୃକ୍ତି ‌ଥିବା ପୋଲିସ କହିଛି।

Advertisment

ଏହାପୂର୍ବରୁ CAA-NRC ବିରୋଧରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ ତାଙ୍କ ନାମ ଥିବା ଖବର ଆସିଥିଲା । ହୟାତ୍ ଜାଫର ହାସମୀ ମୌଲାନା ମହମ୍ମଦ ଜାହୁର ଅଲି ଫ୍ୟାନ୍ସ ଆସୋସିଏସନର ଅପରେଟର । କାନପୁରରେ ହୋଇଥିବା ଦଙ୍ଗାରେ ତାଙ୍କର ହାତ ଥିବା ପୂର୍ବରୁ କୁହାଯାଇଥିଲା । ତେବେ ବର୍ତ୍ତମାନ CAA-NRC ବିରୋଧରେ ହୋଇଥିବା ପ୍ରଦର୍ଶନରେ ହୟାତ୍ ଜାଫର ହାସମୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି । ଏହି ପରିପ୍ରେକ୍ଷୀରେ କାନପୁରର କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ହୟାତ୍ ଜାଫର ହାଶମୀଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ଦାଏର ହୋଇଥିଲା ।

Kanpur Violence Hayat Zafar Hashmi
Advertisment
Advertisment