ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ CJI; ନିଯୁକ୍ତ କଲେ ରାଷ୍ଟ୍ରପତି 

ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Justice Sanjiv Khanna

ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବା ପରେ ଜଷ୍ଟିସ ଖାନ୍ନା ହେବେ ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି । 

ତେବେ ତାଙ୍କ କାର୍ଯ୍ୟକାଳ ରହିବ ୬ ମାସ । ଆସନ୍ତା ନଭେମ୍ବର ୧୦ରେ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଅବସର ନେବେ । ନଭେମ୍ବର ୧୧ରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ । ତେବେ ଆସନ୍ତା ବର୍ଷ ମେ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ । ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼।

୧୯୮୩ରେ ଦିଲ୍ଲୀ ବାର କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା । ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଏହାପରେ ହାଇକୋର୍ଟରେ ଓକିଲାତି କରିଥିଲେ। ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଟିଂ କାଉନସେଲ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । 

ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ।