କାଲିଠୁ ହଟିବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ; ଲାଗୁ ହେବ ୩ ନୂଆ ଆଇନ  

କାଲିଠୁ ଇତିହାସ ପାଲଟିବ IPC, CrPC ଓ ଏଭିଡେନ୍ସ ଆକ୍ଟ । ବ୍ରିଟିଶ ଅମଳର ଫୌଜଦାରୀ ଆଇନ ହଟି, ଲାଗୁ ହେବ ୩ ନୂଆ ଆଇନ । 

Justice Reform

ଆସନ୍ତାକାଲିଠୁ ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହେବ ନୂଆ ଯୁଗ। ୧୬୦ ବର୍ଷ ପୁରୁଣା ଇଂରେଜ ଅମଳର ଫୌଜଦାରୀ ଆଇନ ହଟିବ, ଲାଗୁ ହେବ ୩ ନୂଆ ଆଇନ-ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ। ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ଆସିବ ବ୍ୟାପକ ସଂସ୍କାର। ଏଥିରେ ପୀଡ଼ିତଙ୍କୁ ସର୍ବାଧିକ ୩ ବର୍ଷ ଭିତରେ ନ୍ୟାୟ ମିଳିବା ବ୍ୟବସ୍ଥା ଥିବା ବେଳେ, ବହୁ ଅନାବଶ୍ୟକ ଧାରା ହଟାଇ ଏହାର ସଂଖ୍ୟା ହ୍ରାସ କରାଯାଇଛି ଏବଂ କିଛି ଗୁରୁତ୍ବ  ନୂଆ ଧାରା ଯୋଡ଼ାଯାଇଛି ।

କାଲିଠୁ ଇତିହାସ ପାଲଟିବ IPC, CrPC ଓ ଏଭିଡେନ୍ସ ଆକ୍ଟ । ବ୍ରିଟିଶ ଅମଳର ଫୌଜଦାରୀ ଆଇନ ହଟି, ଲାଗୁ ହେବ ୩ ନୂଆ ଆଇନ । ଭାରତୀୟ ନ୍ୟାୟ ସଂହିତା (BNS) । ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) । 

କେବଳ ନାଁ ନୁହେଁ, ୩ ନୂଆ ଅପରାଧିକ ଆଇନରେ ବଦଳିଛି ଧାରା ଓ ଦଣ୍ଡବିଧାନ ବ୍ୟବସ୍ଥା। ନୂଆ ଆଇନରେ ହୋଇଥିବା କିଛି ପ୍ରମୁଖ ପରିବର୍ତ୍ତନ ଉପରେ। ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା ମିଳିପାରେ । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି। ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ବି ବଦଳିବ। ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। 

ନୂଆ ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି । କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବ। ଫେରାର୍ ଓ ପଳାତକ ଅଭିଯୁକ୍ତ ବିରୋଧରେ ବି ଆରମ୍ଭ ହୋଇପାରିବ ମୋକଦ୍ଦମା। ଆଇନଗତ ବିକଳ୍ପ ଶେଷ ହେବାର ୩୦ ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଯାଚିକା ଦେବାକୁ ପଡ଼ିବ। 

କେବଳ ଦଣ୍ଡବିଧାନ ବ୍ୟବସ୍ଥା ନୁହେଁ, ଆସନ୍ତାକାଲି ନୂଆ ଆଇନ ଲାଗୁ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ, ପୂରା ବ୍ୟବସ୍ଥାରେ ଆମୂଳଚୂଳ ସଂସ୍କାର ଆସିବାକୁ ଯାଉଛି। ଏଣିକି ପୋଲିସ ସମସ୍ତଙ୍କୁ ଗିରଫ କରିବା ବେଳେ କିମ୍ବା କୋର୍ଟରେ ହାଜିରା ବେଳେ ହାତକଡ଼ି ଲଗାଇପାରିବ ନାହିଁ। BNS ଧାରା ୪୩ (୩) ଅନୁସାରେ, କେବଳ ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ। ଏଥିସହ ହତ୍ୟା, ଦୁଷ୍କର୍ମ, ଏସିଡ୍ ଆଟାକ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ହାତକଡ଼ି ପକାଇହେବ। ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫ୍ଆଇଆର୍ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ।

୧୫ ବର୍ଷରୁ କମ୍ ଶିଶୁ, ୬୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଓ ଗୁରୁତର ଅସୁସ୍ଥଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଘରେ ରହି ପୋଲିସ ସହାୟତା ପାଇପାରିବେ। ଜଣେ ଗିରଫ ହେବା ପରେ ତତ୍କାଳ ଯାହାକୁ ଚାହିଁବେ ଜଣଙ୍କୁ ନିଜ ସ୍ଥିତି ସଂପର୍କରେ ସୂଚନା ଦେଇପାରିବେ। ୯୦ ଦିନ ଭିତରେ ପୋଲିସକୁ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ ଏବଂ କୋର୍ଟ ଚାହିଁଲେ ଏହାକୁ ବଢ଼ାଇପାରିବେ। ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ। ଶୁଣାଣି ସରିବାର ୩୦ଦିନ ଭିତରେ କୋର୍ଟ ରାୟ ଶୁଣାଇବେ ଏବଂ ଆଉ ୭ ଦିନ ଭିତରେ ଦଣ୍ଡାଦେଶ ଦେବେ। ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ। ୩ ମାସ କିମ୍ବା ତାଠୁ କମ୍ ଜେଲ୍ ଦଣ୍ଡାଦେଶ ଏବଂ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାକୁ ଚାଲେଞ୍ଜ କରି ଉପରକୋର୍ଟକୁ ଯାଇହେବ ନାହିଁ ।

୧୮୬୦ ମସିହାରେ IPC, ୧୮୯୮ରେ CRPC ଓ ୧୮୭୨ରେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ପ୍ରଚଳିତ ହୋଇଥିଲା। ବ୍ରିଟିଶ ଅମଳର ଏହି ଫୌଜଦାରୀ ଆଇନ ବଦଳରେ ୩ ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ, ଗତ ଡିସେମ୍ବରରେ ବାଜିଥିଲା ରାଷ୍ଟ୍ରପତିଙ୍କ ମୋହର।