ୟୁଟ୍ୟୁବ୍‌ ଦେଖି କରୁଥିଲେ ଦାନ୍ତ ଚିକିତ୍ସା; ଚାଲିଗଲା ଜୀବନ

୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍‌ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

ଜୀବନ ନେଲା ୟୁଟ୍ୟୁବ୍‌ ଚିକିତ୍ସା

କାଳ ହେଲା ୟୁଟ୍ୟୁବ୍‌ । ଚାଲିଗଲା ଯୁବକଙ୍କ ଜୀବନ । ୟୁଟ୍ୟୁବ୍‌ ଦେଖି ଦାନ୍ତ ଚିକିତ୍ସା କରୁଥିବାରୁ ଯୁବକଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାଁ ଅଜୟ ମହତୋ । ଗତ କିଛି ଦିନ ହେବ ତାଙ୍କ ଦାନ୍ତରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଫଳରେ ସେ ତାଙ୍କ ଦାନ୍ତର ଚିକିତ୍ସା କରାଇବାକୁ ଚାହୁଁଥିଲେ । ତେଣୁ ସେ ଡାକ୍ତରଙ୍କ ନିକଟକୁ ଯିବା ପରିବର୍ତ୍ତେ ୟୁଟ୍ୟୁବ୍‌ ଦେଖି ଉପଶମ ପାଇଁ ଚେଷ୍ଟା କରିଥିଲେ ।

ସୂଚନା ମୁତାବକ ୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍‌ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଯୁବକଙ୍କ ଚିକିତ୍ସା କରିବା ସହ ପରିବାର ଲୋକଙ୍କୁ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ।

ଡାକ୍ତର କହିଥିଲେ କି, ଯୁବକ ଜଣକ ଅତ୍ୟଧିକ କନିଅର ମଞ୍ଜି ଖାଇ ଦେଇଛନ୍ତି । ଫଳରେ ତାଙ୍କର ଏପରି ଅବସ୍ଥା ହୋଇଛି । ହେଲେ ମାତ୍ର କିଛି ସମୟର ଚିକିତ୍ସାପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଘଟଣା ଝାଡ଼ଖଣ୍ଡରୁ ସାମ୍‌ନାକୁ ଆସିଛି । ଗତ ଶନିବାର ଦିନ ବୋକାରୋ ଜିଲ୍ଲାର ହଜାରିବାଗ ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ସମ୍ପୂର୍ଣ୍ଣ ଘଟଣାକୁ ନେଇ ହଜାରିବାଗ ସିଭିଲ ସର୍ଜନ ଏସ ପି ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କନିଅର ମଞ୍ଜି ଅତ୍ୟନ୍ତ ବିପଜ୍ଜନକ । ତେଣୁ ଡାକ୍ତରଖାନା ଯିବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଛି ।