• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେସିବିରେ ବୁହାହେଲେ ରୋଗୀ । ଆମ୍ବୁଲାନ୍ସ ନଆସିବାରୁ ଆହତ ଯୁବକଙ୍କୁ ହସ୍ପିଟାଲ ନେବାପାଇଁ ବୁଲଡୋଜର୍‌ ଡକାଇବାକୁ ପଡ଼ିଲା । ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ସରକାରଙ୍କ ପାରିବା ପଣିଆକୁ ଦର୍ଶାଉଛି । କଟନୀ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଯୁବକ ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲେ ସୁଦ୍ଧା ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ଏଭଳି ସ୍ଥିତିରେ ଉପସ୍ଥିତ ଲୋକମାନେ ଆହତ ବ୍ୟକ୍ତିଙ୍କୁ ରାସ୍ତାରେ ଯନ୍ତ୍ରଣା ଭୋଗୁଥିବା ଦେଖି ତୁରନ୍ତ ଜେସିବିରେ ହସ୍ପିଟାଲ ନେଇଯାଇଥିଲେ ।

ମଧ୍ୟପ୍ରଦେଶର କଟନି ଜିଲ୍ଲାର ବରହି ଥାନା ଅନ୍ତର୍ଗତ ଖିତୌଲି ରାସ୍ତାରେ ମୋଟରସାଇକେଲରେ ଯାଉଥିବା ଯୁବକଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିଲା । ଗାଡ଼ି ଧକ୍କା ପରେ ଯୁବକ ଜଣକ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ରୁଣ୍ଡ ହୋଇଯିବା ସହ ଫୋନ୍‌ କରି ଆମ୍ବୁଲାନ୍ସ ଡକାଇଥିଲେ । ହେଲେ ଘଟଣାସ୍ଥଳରେ ପହଞ୍ଚି ପାରୁନଥିଲା ଆମ୍ବୁଲାନ୍ସ । ଏପଟେ ଯୁବକ ଜଣକ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ି ରହିଥିଲେ ଆଉ ହସ୍ପିଟାଲ ନେବାକୁ ଅନୁରୋଧ କରୁଥିଲେ । ଶେଷରେ ଆହତ ଯୁବକଙ୍କ କଷ୍ଟ ସହିନପାରି ସ୍ଥାନୀୟ ଲୋକମାନେ ଜେସିବିରେ ଶୁଆଇ ହସ୍ପିଟାଲ ନେଇଯାଇଥିଲେ । ବର୍ତ୍ତମାନ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ସରକାରୀ ବ୍ୟବସ୍ଥାକୁ ନିନ୍ଦା କରାଯାଉଥିବା ବେଳେ ସାଧାରଣ ଲୋକଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଉଛି ।

ଆହତ ଯୁବକଙ୍କୁ ଠିକ୍ ସମୟରେ ହସ୍ପିଟାଲ ପହଞ୍ଚାଇବା ପରେ ତାଙ୍କ ଜୀବନ ବଞ୍ଚିଯାଇଛି । ପ୍ରଥମେ ଆହତ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ଏବେ ତାଙ୍କର ସ୍ଥିତିରେ ସୁଧାର ଆସିଛି । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଛି । ଏହା ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦୁର୍ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଛି । ଏଫଆଇଆର୍‌ ଦେବା ପରେ ଅଜଣା ଗାଡିକୁ ଖୋଜୁଛି ପୋଲିସ୍‌ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ମୁଧିଆ କହିଛନ୍ତି, ଦୁର୍ଘଟଣାଗସ୍ଥଳରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ସେବା ଯୋଗାଉଥିବା ସଂପୃକ୍ତ ଏଜେନ୍ସି ବଦଳି ଯାଇଥିବାରୁ ସେହି ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା । ନିକଟସ୍ଥ ସହରକୁ ଫୋନ୍ କରାଯାଇ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ସେତେବେଳକୁ ରୋଗୀଙ୍କୁ ଧରି ପହଞ୍ଚି ସାରିଥିଲେ ସ୍ଥାନୀୟ ଲୋକ ।