• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁହଁରେ ମାସ୍କ, ଆଖିରେ କଳାଚଷମା । କଥାବାର୍ତ୍ତା ଅତି ସାଧାରଣ । ଜଣେ ଗୃହିଣୀ ପରି ବ୍ୟବହାର । ତାଙ୍କୁ ଦେଖିଲେ ଆପଣ ବି ହୁଏତ ଧୋକା ଖାଇଯିବେ । କେହି ଜାଣିପାରିବେନି ଯେ ଜଣେ ଆଇପିଏସ୍‌ ଅଫସର୍‌ । ଆପଣ ବି ବୋଧହୁଏ ବିଶ୍ୱାସ କରିବେ ନାହିଁ । କାରଣ ଜଣେ ସାଧାରଣ ମଣିଷ ପରି ରାସ୍ତାରେ କାହିଁକି ଏଣେତେଣେ ବୁଲୁଛନ୍ତି, ସମସ୍ତଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କି ମାରିବ । ହେଲେ ପ୍ରକୃତ କାହାଣୀ ଅଲଗା ।

ମହିଳା ଅଫସର୍‌ ଜଣକ ସକାଳ ହେଲେ ବେଶ ବଦଳାଇ ବାହାରି ଯାଆନ୍ତି । ଆଉ ବିଭିନ୍ନ ଥାନାକୁ ଫୋନ୍‌ କରି ପୋଲିସ୍‌ କର୍ମଚାରୀଙ୍କ କର୍ମ ତତ୍ପରତା ପରଖନ୍ତି । ଯିଏ ତାଙ୍କ ଫୋନ୍‌ ଶୁଣି ଘଟଣାସ୍ଥଳରେ ପହଞ୍ଚିଯାଏ ଭଲ କଥା, ନହେଲେ ଏହି ଲେଡି ଅଫିସର୍‌ ସେମାନଙ୍କ ପାଇଁ ପାଲଟି ଯାଆନ୍ତି ଶନିଦେବ । ଫୋନ୍‌ ଶୁଣି ଗାଲେଇ ଦେଲେ ସଙ୍ଗେ ସଙ୍ଗେ ଚାକିରିରୁ ତଡ଼ା ଖାଇବା ଥୟ ।

ଗୁରୁବାର ଦିନ ଆଇପିଏସ୍‌ ଅଫିସର୍‌ ତଥା ଔରେୟାର ଏସପି ଚାରୁ ନିଗମ କିଛି ଏପରି ଢ଼ଙ୍ଗରେ ଜଣେ ପୋଲିସ୍‌ କର୍ମଚାରୀକୁ ଫୋନ୍‌ କରିଥିଲେ । ପୁରା ଫିଲ୍ମି ଷ୍ଟାଇଲରେ ଯେପରି ସ୍କ୍ରିପ୍ଟିଂ ହୋଇଥିଲା ଦୃଶ୍ୟ । ଗୁରୁବାର ଦିନ କାକୋର ମୁଖ୍ୟାଳୟ ନିକଟ ପ୍ଲାଷ୍ଟିକ୍ ସିଟି ନିକଟରୁ ସେ ଲୁଟ୍‌ ହୋଇଥିବା କହି ଥାନାକୁ ଫୋନ୍‌ କରନ୍ତି । ବାଇକରେ ବସିଥିବା ବେଳେ କେହି ତାଙ୍କ ଟଙ୍କା ,ସୁନା ଓ ଗହଣା ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରନ୍ତି । ଆଉ ବ୍ୟସ୍ତ ହୋଇ ପଡ଼ନ୍ତି । ତାଙ୍କ ଆକ୍ଟିଂ ବି ଖୁବ୍‌ ଦମଦାର । କେହି ସନ୍ଦେହ ମଧ୍ୟ କରିପାରିବେ ନାହିଁ ।

ସେପଟେ ଫୋନ୍‌ ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପୋଲିସ୍‌ ଅଧିକାରୀ ଦଳବଳ ଧରି ପହଞ୍ଚି ଯାଆନ୍ତି । ଆଉ ଚିରାଚରିତ ଢ଼ଙ୍ଗରେ ଆରମ୍ଭ ହୋଇଯାଏ ଛାନଭିନ୍ । ମହିଳା ଆଇପିଏସ୍‌ଙ୍କୁ ପୀଡ଼ିତା ଭାବି ପଚରାଉଚରା କରନ୍ତି । ଆଉ ଆଇପିଏସ୍‌ ମ୍ୟାଡମ୍‌ ମଧ୍ୟ ଲୁଟର ଶିକାର ହୋଇଥିବା ପରି ବ୍ୟତିବ୍ୟସ୍ତ ହୋଇପଡ଼ିବା ସହ ତୁରନ୍ତ ଟଙ୍କା ପଇସା ଫେରାଇବା ପାଇଁ ନେହୁରା ହୁଅନ୍ତି ।

ଲୁଟ୍‌ ଘଟଣା ଯାହା ବି ହେଉ ଆଇପିଏସ୍‌ ମ୍ୟାଡମ୍ କିନ୍ତୁ ପୋଲସ୍‌ କର୍ମୀଙ୍କ ତତ୍ପରତା ଦେଖି ଖୁସି ହୋଇଯାଆନ୍ତି । ଗୋଟିଏ ଫୋନ୍‌ କଲରେ ଦୌଡ଼ି ଆସିଥିବା ଥାନା ବାବୁଙ୍କ ଉପରେ ଖୁସି ହୋଇଯାଆନ୍ତି । ହେଲେ ଏସବୁ ଭିତରେ ପୋଲିସ୍‌ ଅଧିକାରୀ କିନ୍ତୁ ଆଇପିଏସ୍‌ ମ୍ୟାଡାମଙ୍କୁ ଜାଣିପାରନ୍ତି ନାହିଁ । ପରେ ନିଜ ଆଡ଼ୁ ଚିହ୍ନା ଦେବା ପରେ ଥାନା ବାବୁ ଜାଣି ପାରନ୍ତି, ମହିଳା ଜଣକ ଆଉ କେହି ନୁହଁନ୍ତି ଆଇପିଏସ୍‌ ମ୍ୟାଡମ୍‌ ।