Elephant
କୁହାଯାଏ ଯେ ବିପଦରେ ଫସିଥିବା ପ୍ରତ୍ୟେକ ଜୀବକୁ ସାହାଯ୍ୟ କରିବା ଉଚିତ। ସେ ଯିଏ ହେଉ ନା କାହିଁକି। କିନ୍ତୁ କେରଳର କୋଚି ସହରରେ ଏପରି ଏକ ଘଟଣା ଘଟିଛି, ଯାହା ଜାଣିବା ପରେ ଆପଣଙ୍କ ମୁଣ୍ଡ ଲଜ୍ଜାରେ ନଇଁ ପାରେ। ସ୍ଥାନୀୟ ବିଧାୟକ ଏବଂ ଗ୍ରାମବାସୀମାନେ ଏକ ହାତୀ ଛୁଆକୁ ୧୪ ଘଣ୍ଟା ଧରି ବନ୍ଦୀ କରି ରଖିଥିଲେ। ପ୍ରଶାସନ ଏବଂ ବନ ବିଭାଗର ବାରମ୍ବାର ଅନୁରୋଧ ସତ୍ତ୍ୱେ ଏମାନଙ୍କର ହୃଦୟ ତରଳି ନଥିଲା। ଏମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ କିଛି ଶୁଣିନଥିଲେ ।
ଘଟଣା କେରଳର କୋଥାମଙ୍ଗଲମର। ସେଠାରେ ଏକ ଜଙ୍ଗଲୀ ହାତୀ ଭୁଲରେ ଜନବସତି ଆଡ଼କୁ ଆସି ଏକ କୂଅରେ ପଡ଼ିଗଲା। ବନ ବିଭାଗକୁ ଖବର ମିଳିବା ପରେ ସେମାନେ ତୁରନ୍ତ ତାକୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ। କିନ୍ତୁ ସିପିଏମ ବିଧାୟକ ଆନ୍ଥୋନୀ ଜନ ଏବଂ ସ୍ଥାନୀୟ ଲୋକମାନେ ବିରୋଧ କରିବା ଆରମ୍ଭ କଲେ ଏବଂ ବନ ବିଭାଗର କର୍ମଚାରୀମାନଙ୍କୁ ହାତୀକୁ ଉଦ୍ଧାର କରିବାରୁ ଅଟକାଇଲେ। ଏହି ସମୟରେ ନିରୀହ ହାତୀ କୂଅରେ ପିଙ୍କାରୁଥାଏ।
ପ୍ରକୃତରେ ଏହି ଅଞ୍ଚଳରେ ଜଙ୍ଗଲୀ ଜନ୍ତୁଙ୍କ ଆଗମନର ବିରୋଧ କରି ସ୍ଥାନୀୟ ଲୋକମାନଙ୍କର ଦାବି ଥିଲା ଯେ ଏହି ଅଞ୍ଚଳରେ ସୋଲାର ଫେନ୍ସିଂ ଲଗାଯାଉ। କିନ୍ତୁ ସେମାନଙ୍କର ଦାବି ଏପର୍ଯ୍ୟନ୍ତ ପୂରଣ ହୋଇ ନାହିଁ । ଏବେ ହାତୀ ଏଠାକୁ ଭୁଲରେ ଆସିପଡ଼ିଥିଲା, ତେଣୁ ସେମାନେ ଏକ ପ୍ରକାରେ ତାକୁ ‘ବନ୍ଦୀ’ କରି ରଖିଥିଲେ। ସ୍ଥାନୀୟ ବିଧାୟକ ମଧ୍ୟ ପହଞ୍ଚି ଲୋକଙ୍କ ସହ ଯୋଗ ଦେଇଥିଲେ ଏବଂ ଉଦ୍ଧାର କାର୍ଯ୍ୟକୁ ଅଟକାଇଥିଲେ। ବିଧାୟକ ଘୋଷଣା କରିଥିଲେ ଯେ ଯେପର୍ଯ୍ୟନ୍ତ ବନ ବିଭାଗ ଜଙ୍ଗଲୀ ହାତୀଙ୍କ ଅନୁପ୍ରବେଶର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ନ ଦିଏ, ସେପର୍ଯ୍ୟନ୍ତ ହାତୀକୁ ଉଦ୍ଧାର କରାଯିବ ନାହିଁ।
ହାତୀ ଯନ୍ତ୍ରଣାରେ ଥାଏ ଏହି ସମୟରେ ହାତୀ କୂଅରେ ଯନ୍ତ୍ରଣାରେ ଜୁଝୁଥାଏ, କିନ୍ତୁ ଏମାନଙ୍କର ହୃଦୟ ଗଳି ନଥିଲା। ମାମଲା ବଢ଼ିବା ଦେଖି ଜିଲ୍ଲା କଲେକ୍ଟର ଜୀ ପ୍ରିୟଙ୍କା ସେଠାରେ ପହଞ୍ଚିଥିଲେ। ସେ ବିଧାୟକ ଏବଂ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ ଏବଂ ସୋଲାର ଫେନ୍ସିଂ ପ୍ରୋଜେକ୍ଟ ଆରମ୍ଭ କରିବାର ଭରସା ଦେଇଥିଲେ। ଏହା ପରେ ସେମାନେ ଉଦ୍ଧାର କାର୍ଯ୍ୟ ଅଟକାଇବା କାର୍ଯ୍ୟରୁ ବିରତ ହୋଇଥିଲେ । ୧୪ ଘଣ୍ଟା ଧରି ଭୋକିଲା ଓ ତୃଷ୍ଣାର୍ତ୍ତ ହାତୀ ଛଝୁଆଟି କୂଅରେ ଫସି ରହିଥିଲା ଏବଂ ମଧ୍ୟାହ୍ନ ସୁଦ୍ଧା ତାକୁ ବାହାର କରାଯାଇ ନଥିଲା।
ଗ୍ରାମର ସରପଞ୍ଚ ମିନି ଗୋପୀ ଏହା ବିଷୟରେ ଯୁକ୍ତି ଦେଇଥିଲେ ଯେ ହାତୀ ରାତିରେ କୂଅରେ ପଡ଼ିଥିଲା ଏବଂ ପ୍ରାୟ ୧୪ ଘଣ୍ଟା ଧରି ଫସି ରହିଥିଲା। ଯଦିଓ ବିରୋଧ ପ୍ରଦର୍ଶନ କିଛି ସମୟ ପାଇଁ ଥିଲା। ସେ କହିଥିଲେ ଯେ ଜଙ୍ଗଲ ସହିତ ଲାଗିଥିବା ୩୦ କିଲୋମିଟର ସୀମା ପାଇଁ ୩.୭୫ କୋଟି ଟଙ୍କାର ସୋଲାର ଫେନ୍ସିଂ ପ୍ରୋଜେକ୍ଟ ପାସ୍ ହୋଇଛି। କାମ ଏପର୍ଯ୍ୟନ୍ତ ଆଗକୁ ବଢ଼ି ପାରି ନାହିଁ।
ଯେତେବେଳେ ସରପଞ୍ଚଙ୍କୁ ପଚରାଯାଇଥିଲା ଯେ ଫେନ୍ସିଂ ଲଗାଇଲେ ହାତୀମାନଙ୍କ ପାଇଁ ପାଣିର ଉତ୍ସରୁ ପାଣି ପିଇବାରେ ସମସ୍ୟା ହେବ, ସେ କହିଥିଲେ ଯେ ସେମାନଙ୍କ ପାଇଁ ଜଙ୍ଗଲରେ ପାଣି ଅଛି, ସେମାନେ ସେଠାରୁ ପିଇବା ଉଚିତ। ଏ ସମ୍ପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Elephant_1756815931.jpg)