/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745484802.jpg)
Impact of India's Action Against Pakistan
ପହଲଗାମରେ ବର୍ବର ଆତଙ୍କୀ ଆକ୍ରମଣ ପରେ ବହୁ କଡ଼ା ପଦକ୍ଷେପ ନେଇଛି ଭାରତ। ତା’ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସିନ୍ଧୁ ଜଳ ଚୁକ୍ତି ବାତିଲ। ତେବେ ଆସନ୍ତୁ ଜଣିବା କ’ଣ ଏହି ସିନ୍ଧୁ ଚୁକ୍ତି? କେବେ ହୋଇଥିଲା ସିନ୍ଧୁ ଚୁକ୍ତି। କାହା କାହା ମଧ୍ୟରେ ହୋଇଥିଲା ଏହି ଚୁକ୍ତି? ଚୁକ୍ତିରେ କ’ଣ ରହିଛି ସର୍ତ୍ତ? ଏହି ଚୁକ୍ତି ବାତିଲ ହେବାଦ୍ୱାରା ପାକିସ୍ତାନ ଉପରେ କ’ଣ ପଡ଼ିବ ପ୍ରଭାବ? ଚୁକ୍ତି ବାତିଲ ହେବା ଦ୍ୱାରା କିପରି ସିନ୍ଧୁ ଅବବାହିକାରେ ବସବାସ କରୁଥିବା ପାକିସ୍ତାନର କୋଟି କୋଟି ଲୋକ ପାଣି ବିନା ହା ହା କାରରେ ମରିଯିବେ? ପାକିସ୍ତାନରେ କିପରି ଭୁଶୁଡ଼ି ପଡ଼ିବ କୃଷି ଓ ଖାଦ୍ୟ ଉତ୍ପାଦନ? ଆସସ୍ତୁ ସେ ବିଷୟରେ ଜାଣିବା। ପ୍ରଥମତଃ ଆମେ ଜାଣିବା କ’ଣ ଏହି ସିନ୍ଧୁ ଚୁକ୍ତି?
କ’ଣ ଏହି ସିନ୍ଧୁ ଚୁକ୍ତି?
ସିନ୍ଧୁ ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥଲା ଏହି ଐତିହାସିକ ଚୁକ୍ତି। ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା। ୧୯୬୦ ମହିସା ସେପ୍ଟେମ୍ବର ୧୯ରେ ପାକିସ୍ତାନର କରାଚୀରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ପୂର୍ବ ପଟର ୩ଟି ନଦୀ ବିସ୍, ରାବୀ ଓ ସତଲେଜ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା। ପଶ୍ଚିମ ପଟର ୩ଟି ନଦୀ ସିନ୍ଧୁ, ଚେନାବ ଓ ଝେଲମ ଉପରେ ରହିଲା ପାକିସ୍ତାନର ନିୟନ୍ତ୍ରଣ। ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ ଓ ମତ୍ସ୍ୟ ପାଳନ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଥିଲା।
ଯାହାଫଳରେ ପୂରା ଇଣ୍ଡସ୍ ସିଷ୍ଟମରେ ପ୍ରବାହିତ ମୋଟ ଜଳର ପ୍ରାୟ ୩୦ ପ୍ରତିଶତ ଭାରତ ପାଉଥିଲା ଏବଂ ୭୦ ପ୍ରତିଶତ ପାକିସ୍ତାନକୁ ଯାଉଥିଲା। ହେଲେ ଏହି ଚୁକ୍ତି ବାତିଲ ହେବା ଫଳରେ ଇଣ୍ଡସ୍, ଝେଲମ ଓ ଚେନାବରୁ ପାକିସ୍ତାନକୁ ପ୍ରବାହିତ ଜଳ ବହୁମାତ୍ରାରେ ରୋକିଦେଇପାରିବ ଭାରତ। ଯାହାଦ୍ୱାରା ପାକିସ୍ତାନ କେବଳ ସମସ୍ୟା ଭୋଗିବନି, ବରଂ ପାକିସ୍ତାନ ସତ୍ତା ହରାଇବା ସ୍ଥିତିକୁ ଯାଇପାରେ ବୋଲି କୁହାଯାଉଛି।.
ତେବେ ସିନ୍ଧୁ ଚୁକ୍ତି ସମୟରେ ସ୍ଥାୟୀ ସିନ୍ଧୁ ଆୟୋଗ ବା ପିଆଇସି ପ୍ରତିଷ୍ଠା ହୋଇଥିଲା। ଯେଉଁଥିରେ ଭଭୟ ଦେଶ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି ବା କମିଶନର ରହିଛନ୍ତି। ଭବିଷ୍ୟତରେ ଜଳ ଆବଣ୍ଟନ ନେଇ କୌଣସି ବିବାଦ ବା ମତଭେଦ ହେଲେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାର କରିଏହାର ସମାଧାନ କରିବା ଏହି ଆୟୋଗର ଲକ୍ଷ୍ୟ। ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ ୧୯୬୫, ୧୯୭୧ ଓ ୧୯୯୯ରେ ହୋଇଥିଲେ ବି ଆୟୋଗ ତିଷ୍ଠି ରହିଛି ଓ ପୂର୍ବଭଳି ବିବାଦର ସମାଧାନ କରିବାର କାର୍ଯ୍ୟ କରୁଛି।
ସିନ୍ଧୁ ଚୁକ୍ତି ନେଇ କ’ଣ କହେ ଇତିହାସ?
ଯଦି ଆମେ ସିନ୍ଧୁ ଜଳ ଚୁକ୍ତିର ଇତିହାସ ଦେଖିବା ତେବେ ଦେଶ ସ୍ୱାଧୀନ ପାଇବା ପରେ ଦୁଇଭାଗରେ ବିଭକ୍ତ ହୋଇଥିଲା । କେବଳ ଦେଶ ବିଭାଜନ ହୋଇନଥିଲା ପଞ୍ଜାବ ପ୍ରାନ୍ତକୁ ବି ଦୁଇଭାଗରେ ବିଭକ୍ତ କରାଯାଇଥିଲା । ଏହି କ୍ରମରେ ପଞ୍ଜାବ ପ୍ରାନ୍ତ ଦେଇ ପ୍ରବାହିତ ହେଉଥିବା ନଦୀର ଜଳକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏସବୁ ନଦୀର ଜଳକୁ ଭାଗ କରିବା ସେତେବେଳେ ଉଭୟ ଭାରତ ଓ ପାକିସ୍ତାନ ସରକାର ପାଇଁ ଜଟିଳ ଥିଲା । ଏନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଥିଲା । ଏହି ନଦୀଗୁଡିକ ତିବ୍ୱଲ ଅଂଚଳରୁ ବାହାରି ଭାରତ ଦେଇ ପାକିସ୍ତାନରେ ପ୍ରବେଶ କରିଛି । ପାକିସ୍ତାନ ଭାଗରେ ନଦୀର ତଳସ୍ତର ପହଂଚୁଥିବାରୁ ପାକିସ୍ତାନର ଚାଷୀ ଏହି ନଦୀମାନଙ୍କର ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ହେଲେ ଏହି ଚୁକ୍ତି ବାତିଲ ହେବା ଫଳରେ ଇଣ୍ଡସ୍, ଝେଲମ ଓ ଚେନାବରୁ ପାକିସ୍ତାନକୁ ପ୍ରବାହିତ ଜଳ ବହୁମାତ୍ରାରେ ରୋକିଦେଇପାରିବ ଭାରତ। ଯାହାଦ୍ବାରା ପାକିସ୍ତାନ କେବଳ ସମସ୍ୟା ଭୋଗିବନି, ବରଂ ପାକିସ୍ତାନ ସତ୍ତା ହରାଇବା ସ୍ଥିତିକୁ ଯାଇପାରେ ବୋଲି କୁହାଯାଉଛି।
ସିନ୍ଧୁ ଚୁକ୍ତି ବାତିଲ ପରେ କିପରି ପଡ଼ିବ ପାକିସ୍ତାନ ଉପରେ ପ୍ରଭାବ-
ସିନ୍ଧୁ ଅବବାହିକା ପାକିସ୍ତାନର କୋଟି କୋଟି ଲୋକଙ୍କ ଲାଇଫଲାଇନ୍ ।
ସିନ୍ଧୁ ସିଷ୍ଟମରୁ ମିଳୁଥିବା ଜଳ ଉପରେ ପାକିସ୍ତାନର ୮୦ ପ୍ରତିଶତ କୃଷି ନିର୍ଭରଶୀଳ।
- ୧ କୋଟି ୬୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପ୍ରଭାବିତ ହେବ ଓ ମରୁଡ଼ି ପଡ଼ିବ ।
- ଗହମ, ଧାନ, ଆଖୁ ଓ ତୁଳା ଆଦି କୃଷି ଓ ଖାଦ୍ୟ ଉତ୍ପାଦନ ଭୁଶୁଡ଼ି ପଡ଼ିବ।
- ସିନ୍ଧୁ ଜଳ ଉପରେ ପାକିସ୍ତାନର ୨୫ ପ୍ରତିଶତ ଜିଡିପି ନିର୍ଭର କରିଥାଏ ।
- ସିନ୍ଧୁ ଅବବାହିକା ଉପରେ ନିର୍ଭରଶୀଳ ୨୩ କୋଟି ଜନସଂଖ୍ୟାର ୬୧ ପ୍ରତିଶତ ହେଉଛନ୍ତି ପାକିସ୍ତାନୀ ।
- କରାଚୀ, ଲାହୋର ଓ ମୁଲତାନ୍ ଆଦି ପ୍ରମୁଖ ସହରରେ ଶୋଷ ମେଣ୍ଟାଇବାକୁ ପାଣି ମିଳିବନି।
- ତାରବେଲା ଓ ମଙ୍ଗଲା ହାଇଡ୍ରୋପାୱାର ପ୍ଲାଣ୍ଟ୍ ଅଚଳ ହୋଇ ଘୋର ବିଦ୍ୟୁତ ସଂକଟ ସୃଷ୍ଟି ହେବ ।
- କଳ କାରଖାନା ଓ ଜନବସତି ପାଇଁ ପର୍ଯ୍ୟାପ୍ତ ବିଦ୍ୟୁତ ମିଳିବ ନାହିଁ ।
- ଲୋକଙ୍କ ମଧ୍ୟରେ ହାହାକାର ପଡ଼ିଯିବ ଏବଂ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେବ।
- ଗ୍ରାମାଞ୍ଚଳ ଅର୍ଥନୀତି ଦୋହଲିଯିବ ଏବଂ ବେକାରୀ ଓ ପଳାୟନ ଆଦି ବୃଦ୍ଧି ପାଇବ।
- ଆର୍ଥିକ ସଂକଟ ସହ ଯୁଝୁଥିବା ପାକିସ୍ତାନରେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)