• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

ଦେଶରେ ଏଭଳି ସ୍ଥିତି ନେଇ ଭାରତୀୟ ମାନବ ସମ୍ବଳ ଏବଂ ଦକ୍ଷତା ବିକାଶ ଦିଗରେ କାମ କରୁଥିବା ପ୍ରମୁଖ ସଂସ୍ଥା ଓ ବ୍ୟକ୍ତି ବିଶେଷ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଦେଶରେ ସୃଷ୍ଟି ହେଉଥିବା ନିଯୁକ୍ତି ପାଇଁ ଦକ୍ଷ ଶ୍ରମିକଙ୍କ ଅଭାବକୁ କିଭଳି ଦୂର କରିହେବ ସେ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ପରସ୍ପର ସହଯୋଗିତାରେ ଭାରତରେ ଦକ୍ଷ ଶ୍ରମିକ ତିଆରି କରି ବିଶ୍ବ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବା ଦିଗରେ କାମ କରିବାକୁ ସଂସ୍ଥାମାନଙ୍କ ମଧ୍ୟରେ ବୈଠକ ହୋଇଛି। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସଡିସି) ସୋସାଇଟି ଫର ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ (ଏସଏଚ୍‌ଆରଏମ୍‌) ଭାରତ ସହିତ ମିଳିତ ହୋଇ ଏ ଦିଗରେ କାମ କରିବାକୁ ସହମତି ହୋଇଛି।

୨୦୨୫ ଶେଷ ସୁଦ୍ଧା ଭାରତକୁ ୫ ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବାକୁ ହେଲେ ଆମକୁ ଦକ୍ଷତା ବିକାଶର ଗତିକୁ ବଢ଼ାଇବାକୁ ପଡ଼ିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତରେ କୁଶଳୀ ଶ୍ରମିକଙ୍କ ଅଭାବ ରହିଛି। ଭାରତୀୟ ଅର୍ଥନୀତିର ପରିବର୍ତ୍ତିତ ରୂପ ପାଇଁ ଦକ୍ଷ ଶ୍ରମିକର ଅଭାବ ଦେଖାଦେଇଛି। ବିଭିନ୍ନ ହାଇଟେକ୍‌ କାର୍ଯ୍ୟ ପାଇଁ ଯେତିକି କୁଶଳୀ ଶ୍ରମିକ ଆବଶ୍ୟକ ସେତିକି ମିଳୁ ନାହାନ୍ତି।

ଦେଶରେ କୁଶଳୀ ଶ୍ରମିକଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି ବୋଲି ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ କରାଯାଇଥିବା ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ବର୍ତ୍ତମାନ କୁଶଳୀ ଶ୍ରମିକଙ୍କ ଚାହିଦା ୧୦୩ ମିଲିୟନ ରହିଥିବାବେଳେ ଯୋଗାଣ ମାତ୍ର ୭୪ ମିଲିୟନ ରହିଛି। ତେଣୁ ଏଥିରୁ ସ୍ପଷ୍ଟ ଯେ ଦେଶରେ ବିଭିନ୍ନ କ୍ଷେତ୍ରରେ ଶ୍ରମିକଙ୍କୁ ପ୍ରଶିକ୍ଷଣ ଦେଇ ଦକ୍ଷ କରାଇବାର ଘୋର ଆବଶ୍ୟକତା ରହିଛି। ଏ ଦିଗରେ ସରକାର ବିଶେଷ ଭାବେ ଗୁରୁତ୍ବ ଦେବାର ସମୟ ଆସିଛି।

ଯୁଦ୍ଧ ଓ ମାନ୍ଦାବସ୍ଥା ସତ୍ତ୍ବେ ଭାରତର ଅଭିବୃଦ୍ଧି ବଢ଼ୁଛି

ମାନ୍ଦାବସ୍ଥା ଓ ରୁଷ୍- ୟୁକ୍ରେନ୍‌ ଯୁଦ୍ଧ ସତ୍ତ୍ବେ ଚଳିତ ଆର୍ଥିକବର୍ଷ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୮% ବଢ଼ିବ ବୋଲି ଏସ ଆଣ୍ଡ ପି ଗ୍ଲୋବାଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଭାରତର ଉନ୍ନତ ଅଭିବୃଦ୍ଧି ଯୋଗୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାସ୍ଫୀତିକୁ ଏହାର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ପାଇଁ ଫୋକସ କରିପାରିବ। ୨୦୨୫- ୨୬ ପାଇଁ ମଧ୍ୟ ଭାରତର ଅଭିବୃଦ୍ଧି ୬.୯% ପ୍ରତିଶତ ହେବ ବୋଲି ଏସ ଆଣ୍ଡ ପି ଗ୍ଳୋବାଲ ଏଜେନ୍ସି ପକ୍ଷରୁ ଆକଳନ କରାଯାଇଛି। ସେହିପରି ୨୦୨୫- ୨୬ ବର୍ଷ ଚୀନ୍‌ର ଅଭିବୃଦ୍ଧି ୪.୩% ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି। ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିଲାଣି।

ପୋଷାକ ଏବଂ ବୁଣା କପଡ଼ା କ୍ଷେତ୍ର (ନେଟେଡ୍‌ ଫେବ୍ରିକ ସେକ୍ଟର) ଅନିଶ୍ଚିତତା ଦେଖାଦେଇଛି ବୋଲି ଖୋଦ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେବେ ଏହାର ବ୍ୟାପକ ପ୍ରଭାବ ବିଷୟରେ ବର୍ତ୍ତମାନ ହଠାତ୍ କହି ହେବନି। ଆମେ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ପାଇଁ ଆମର କର୍ତ୍ତବ୍ୟ ଏବଂ କୋଟା ଉପରେ ଉଦାରବାଦୀ ନୀତି ଆପଣାଉ। ତେବେ ତେବେ ସାଧାରଣ ନିର୍ବାଚନ ସମୟରେ ସରକାରୀ ଖର୍ଚ୍ଚରେ ହ୍ରାସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କମ୍ ରହିବା ଫଳରେ ଜିଡିପି ଅଭିବୃଦ୍ଧିରେ ହ୍ରାସ ହୋଇଥିଲା ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି।

ସୂଚନାଥାଉକି, ପୂର୍ବରୁ ଆରବିଆଇ ଜୁନ୍ ତ୍ରୟୋମାସିକ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରହିବା ନେଇ ଆକଳନ କରିଥିଲା। ଏହା ପୂର୍ବରୁ ମାର୍ଚ୍ଚ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା। ସେହିଭଳି ଗତ ତିନି ବର୍ଷର ଜିଡିପି ଅଭିବୃଦ୍ଧି ତଥ୍ୟ ଦେଖିଲେ, ଆର୍ଥିକ ବର୍ଷ ୨୦୨୩- ୨୪ରେ ୮.୨ ପ୍ରତିଶତ, ୨୦୨୨- ୨୩ରେ ୭.୨ ପ୍ରତିଶତ ଏବଂ ୨୧- ୨୨ରେ ୮.୭ ପ୍ରତିଶତ ଜିଡିପି ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଆଠ କୋର୍ ଇନଫ୍ରାଷ୍ଟକଚର- କୋଇଲା, କଞ୍ଚା ତେଲ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ପ୍ରଡକ୍ଟ, ଫର୍ଟିଲାଇଜର, ଷ୍ଟିଲ, ସିମେଣ୍ଟ ଏବଂ ବିଜୁଳି ସେକ୍ଟରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

ଦେଶରେ ବେକାରୀ କମିଛି

ଦେଶରେ ବେରୋଜଗାରୀ ହାରରେ ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ପିରିଅଡିକ ଲେବର୍ଶ ଫୋର୍ସ ସର୍ଭେର ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ଏପ୍ରିଲରୁ ଜୁନ ୨୦୨୪ ପର୍ଯ୍ୟନ୍ତ (( ପ୍ରଥମ କ୍ୱାର୍ଟର)ରେ ୧୫ ବର୍ଷରୁ ଅଧିକ ବୟସର ବେରୋଜଗାରୀ ହାର ୬.୬ ପ୍ରତିଶତ ରହିଛି। ହେଲେ ୨୦୨୪ ଆର୍ଥିକ ବର୍ଷରେ ଏହି ହାର ୬.୭ ପ୍ରତିଶତ ରହିଥିଲା। ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ପୁରୁଷଙ୍କ ପାଇଁ, ବେକାରୀ ହାର ପୂର୍ବ ବର୍ଷର ୫.୯ ପ୍ରତିଶତରୁ ସାମାନ୍ୟ ହ୍ରାସ ପାଇ ୫.୮ ପ୍ରତିଶତକୁ ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ୯.୧ ପ୍ରତିଶତରୁ ୯.୦ ପ୍ରତିଶତକୁ ହ୍ରାସ ପାଇଛି।

ଏହି ସର୍ଭେରୁ ଜଣାପଡ଼ିଛି ଯେ ୧୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସହରାଞ୍ଚଳରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର ଏକ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି। ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟରରେ ଏହା ୪୮.୮ ପ୍ରତିଶତ ଥିଲା। ହେଲେ ଆର୍ଥିକ ବର୍ଷ ୨୦୨୫ରେ ପ୍ରଥମ କ୍ୱାର୍ଟରରେ ଏହା ବଢ଼ି ୫୦.୧ ପ୍ରତିଶତ ହୋଇଛି। ପୁରୁଷଙ୍କ ପାଇଁ ୭୩.୫ ପ୍ରତିଶତରୁ ୭୪.୭ ପ୍ରତିଶତକୁ ଏବଂ ମହିଳାମାନଙ୍କ ପାଇଁ ୨୩.୨ ପ୍ରତିଶତରୁ ୨୫.୨ ପ୍ରତିଶତକୁ ବୃଦ୍ଧି ପାଇ ଲିଙ୍ଗଗତ ବୈଷମ୍ୟ ଦୂର କରିବାରେ ସହାୟକ ହେଉଛି।

ତେବେ ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଯାଇଛି। ଜନସଂଖ୍ୟା ଦୃଷ୍ଟିରୁ ୨୦୩୦ ସୁଦ୍ଧା ଭାରତକୁ ଅତିରିକ୍ତ ୧୪୮ ମିଲିଅନ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ। ଭାରତରେ ମୌଳିକ ସୁଧାରର ଆବଶ୍ୟକତା ରହିଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥିତି ଦେଖିଲେ ଭାରତକୁ ବର୍ତ୍ତମାନ ଠାରୁ ନେଇ ୨୦୩୦ ମଧ୍ୟରେ ୬୦ ମିଲିଅନରୁ ୧୪୮ ମିଲିଅନ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ। ଆମେ ବର୍ତ୍ତମାନ ୨୦୨୫ରେ ପହଞ୍ଚି ସାରିଲେଣି। ତେଣୁ ଆମକୁ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି ଦେଶର ଅଭିବୃଦ୍ଧିରେ ସାମିଲ୍‌ ହେବାକୁ ପଡ଼ିବ। ସେହିପରି ଭାରତରେ ଘରୋଇ ନିବେଶର ଆହୁରି ଆବଶ୍ୟକତା ରହିଛି।

ଜାପାନ ଅର୍ଥନୀତିକୁ ଟପିବ ଭାରତ

୨୦୨୬ରେ ଜାପାନକୁ ଭାରତ ଅତିକ୍ରମ କରିଯିବ ବୋଲି ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବର୍ତ୍ତମାନ ଆମେରିକା ସବୁଠୁ ବଡ଼ ଆର୍ଥିକ ମହାଶକ୍ତି ହୋଇଥିବାବେଳେ ତା’ପଛକୁ ରହିଛନ୍ତି ଚୀନ୍, ଜର୍ମାନୀ ଓ ଜାପାନ। ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବଢ଼ିଥିଲା। ୨୦୨୫ରେ ଏହା ୬.୬ ପ୍ରତିଶତ ହାରରେ ବଢ଼ିବ। ୨୦୨୪ରେ ମୌସୁମୀ ବର୍ଷା ଭଲ ରହିବା କାରଣରୁ ଖରାଦିନେ ହେଥିବା ସମସ୍ତ ଫସଲର ବୁଣାବୁଣି ଭଲ ରହିଛି। ଭାରତ, ଇଣ୍ଡୋନେସିଆ ଏବଂ ଭିଏତନାମ ଆଦିରେ ଘରୋଇ ଏବଂ ବିଦେଶୀ ନିବେଶ ଏହି କ୍ଷେତ୍ରକୁ ଆଗକୁ ନେଇଛି। ଭାରତରେ ସରକାରୀ କ୍ଷେତ୍ରରେ ମେଗା ଭିତ୍ତିଭୂମି ପ୍ରକଳ୍ପରେ ନିବେଶ କରିବା ଅବ୍ୟାହତ ରଖିଛି। ୨୦୨୫ରେ ମଧ୍ୟ ଏହା ଜାରି ରହିବ ବଜାର ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି। ଭାରତର ଅଭିବୃଦ୍ଧି ୨୦୨୪-୨୫ରେ ୬.୮ ପ୍ରତିଶତ ଓ ୨୦୨୫-୨୬ରେ ୭.୭ ପ୍ରତିଶତ ରହିବ ବୋଲି ଶିଳ୍ପ ସଂଘ ପିଏଚ୍‌ଡିସିସିଆଇ ପକ୍ଷରୁ ଆକଳନ କରାଯାଇଛି।

 

 

OTV is now on Whatsapp

Join and get latest news update delivered to you via whatsapp

Join Now