• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋତେ ଯେତେ ମାଠିବୁ ମାଠ୍, ମୁଁ ସେଇ ଦରପୋଡ଼ା କାଠ୍ । ବାରମ୍ବାର ତାଗିଦ୍ ସତ୍ତ୍ୱେ ସୁଧୁରୁନି ପାକିସ୍ତାନ । ଭାରତ ସହ ଅଯଥାରେ ଶତ୍ରୁତା କରିବା ତଥା ଷଡ଼ଯନ୍ତ୍ର ରଚିବା ଯେପରି ଅଭ୍ୟାସରେ ପରିଣତ ହୋଇଗଲାଣି । ଏହି କ୍ରମରେ ଇଣ୍ଡିଆନ୍ କୋଷ୍ଟଗାର୍ଡ ରବିବାର ଦିନ ଅର୍ଥାତ୍ ଆଜି ପୋରବନ୍ଦରରେ ଦଶ ଜଣ ପାକିସ୍ତାନୀଙ୍କୁ ଭାରତୀୟ ଜଳସୀମାରେ ଧରିଛନ୍ତି । ଶନିବାର ରାତିରେ ଆରବ ସାଗରରେ ଅପରେସନ୍‌ ସମୟରେ ପାକିସ୍ତାନୀ ଡଙ୍ଗା 'ୟାସିନ୍'କୁ ଜବତ କରାଯାଇଛି । ଏହି ଡଙ୍ଗାରେ ଥିବା ଚାଳକ ଦଳ ସହ ପାକିସ୍ତାନୀମାନେ ସବାର ଥିଲେ ।

ରାତିର ଘନ ଅନ୍ଧକାରର ସୁଯୋଗ ନେଇ ପାକିସ୍ତାନୀ ଡଙ୍ଗା ଭାରତୀୟ ଜଳ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ହେଲେ ଅନୁପ୍ରବେଶ ପୂର୍ବରୁ ତଟରକ୍ଷୀ ସେମାନଙ୍କୁ ଧରି ନେଇଥିଲେ । ତେବେ ବର୍ତ୍ତମାନ ସେମାନଙ୍କୁ ପଚରାଉଚରା ପାଇଁ ପୋରବନ୍ଦରକୁ ଅଣାଯାଉଥିବା କହିଛନ୍ତି ଭାରତୀୟ ତଟରକ୍ଷୀ ବାହିନୀ ଅଧିକାରୀ । ପାକିସ୍ତାନୀ ଡଙ୍ଗାଟି ଭାରତୀୟ ଜଳ ସୀମାର ଛଅରୁ ସାତ କିଲୋମିଟର ଭିତରକୁ ପଶି ଆସିଥିଲା । ଇଣ୍ଡିଆନ୍ କୋଷ୍ଟଗାର୍ଡ ପାକିସ୍ତାନୀ ଡଙ୍ଗା ଦେଖିବା ମାତ୍ରେ ତାଙ୍କର ପିଛା କରିଥିଲେ । କିଛି ବାଟ ଗଲା ପରେ ଭାରତୀୟ ତଟରକ୍ଷୀ ସେମାନଙ୍କୁ ଧରିପକାଇଥିଲେ ବୋଲି କହିଛନ୍ତି ।

ଏହାପୂର୍ବରୁ ଶୁକ୍ରବାର ଦିନ ପଞ୍ଜାବର ଫିରୋଜପୁର ସୀମାରେ ବିଏସଏଫ ଦ୍ୱାରା ପାକିସ୍ତାନର ଏକ ଡଙ୍ଗା ଧରାପଡିଥିଲା । ପାଟ୍ରୋଲିଂ ବେଳେ ଡଙ୍ଗାଟି ଅନ୍ତର୍ଜାତୀୟ ସୀମାରେ ଧରାପଡିଥିବା ବିଏସଏଫର ଜଣେ ଅଧିକାରୀ କହିଛନ୍ତି । ଏହିପରି ଡଙ୍ଗାକୁ ଡ୍ରଗ୍ସ ପରିବହନ ପାଇଁ ବ୍ୟବହାର କରାଥାଏ । ଶୀତ ସମୟରେ ପାକିସ୍ତାନୀମାନେ ଘନ କୁହୁଡ଼ିର ଫାଇଦା ନେଇ ଭାରତ ଭିତରକୁ ଡ୍ରଗ୍ସ ପରିବହନ କରାଇବାକୁ ଚେଷ୍ଟା ଚଳାଇ ଥାଆନ୍ତି ।