• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବୀର ଯବାନଙ୍କୁ ଶତ ସଲାମ। ସୀମାରେ ଦିନ, ରାତି ଏକ କରି ଜୀବନକୁ ବାଜି ଲଗାଇ ଦେଶମାତୃକାର ସେବା କରୁଥିବା ଏଇ ଯବାନଙ୍କ ବୀରତ୍ୱର ଗାଥା ଯେତେ କହିଲେ ବି ଶେଷ ହେବନି। ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ । ସେ ଏମିତି ଜଣେ ସୈନିକ ଯାହାଙ୍କ ନାଁରେ ତିଆରି ହୋଇଛି ମନ୍ଦିର। ଖାଲି ଭାରତୀୟ ନୁହେଁ, ଚୀନ ସେନା ବି ତାଙ୍କୁ  ସମ୍ମାନ ଦିଅନ୍ତି, ଏହି ମନ୍ଦିରକୁ ଆସି ପୂଜା କରନ୍ତି। ଏହି ଅମର ଯବାନ ଜଣକ ହେଉଛନ୍ତି ବାବା ହରଭଜନ ସିଂ।

baba harbhajanbaba harbhajan

ହରଭଜନ ଭାରତୀୟ ସେନାରେ ସିପାହୀ ଭାବେ କାମ କରୁଥିଲେ। ସିକ୍କିମ ସୀମାରେ ମୁତୟନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ କାହାଣୀ ଶୁଣିଲେ ଲାଗିବ ଯେମିତି, ଆଜି ବି ହରଭଜନ ସୀମାରେ ଅନ୍ୟ ଯବାନଙ୍କ ସହ ଯେମିତି ମୁତୟନ ଅଛନ୍ତି ଆଉ ସୀମାକୁ ଜଗିଛନ୍ତି। ସୀମାରେ ମୁତୟନ ଥିବା ସମସ୍ତ ଯବାନ ହରଭଜନ ସିଂଙ୍କ କଥା ମନେ ପକାନ୍ତି। ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି। ସେଥିପାଇଁ ତ ତାଙ୍କ ସ୍ମୃତିରେ ତିଆରି ହୋଇଛି ମନ୍ଦିର। ଏହି ମନ୍ଦିର ଦେଖାଶୁଣା, ପୂଜାପାଠ ସ୍ଥାନୀୟ ଲୋକ ବା ଦେବତ୍ତୋର ବିଭଗ କରେନି ବରଂ କରେ ଭାରତୀୟ ସେନା ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏମିତି କ’ଣ କରିଛନ୍ତି ହରଭଜନ ସିଂହ ଯେଉଁଥିପାଇଁ ତାଙ୍କୁ ଏତେ ସମ୍ମାନ ମିଳୁଛି ? ହରଭଜନ ପଞ୍ଜାବ ରେଜିମେଣ୍ଟର ସୈନିକ ଥିଲେ। ୧୯୪୬ ଅଗଷ୍ଟ ୩୦ ତାରିଖରେ ସେ ପାକିସ୍ତାନର ଗୁଜରାବାଲରେ ଜନ୍ମଗ୍ରହଣ କରିଥିଲେ। ୧୯୬୬ରେ ସେ ପଞ୍ଜାବ ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ। ଏହା ପରେ ତାଙ୍କର ସିକ୍କିମକୁ ତାଙ୍କର ଟ୍ରାନ୍ସଫର ହୋଇଥିଲା। ତେବେ ସେଠାରେ ସେ ମାତ୍ର ୨ ବର୍ଷ ଦେଶସେବା କରିପାରିଥିଲେ।

baba harbhajan templebaba harbhajan temple

୧୯୬୮ରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁହାଯାଏ, ସେ ଦିନେ ଏକ ଖଚ୍ଚର ଉପରେ ବସି ନଦୀ ପାର ହେଉଥିବାବେଳେ ଖଚ୍ଚର ସହ ଭାସି ଯାଇଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କର ଶବ ମିଳି ନ ଥିଲା। ହେଲେ ତାଙ୍କର ଜଣେ ସାଥୀ ଯବାନଙ୍କୁ ସ୍ୱପ୍ନରେ କେଉଁଠି ତାଙ୍କ ଶବ ଲାଗିଛି ତାହାର ଠିକଣା ନିଜେ ହରଭଜନ ଦେଇ ଯାଇଥିଲେ। ପର ଦିନ ତାଙ୍କ ସାଥୀମାନେ ଯାଇଥିଲେ ସେଇ ନିର୍ଦ୍ଦିଷ୍ଟ ଜାଗାକୁ । ଠିକ ଯେମିତି ସ୍ୱପ୍ନରେ ନିର୍ଦ୍ଦେଶ ଥିଲା ସେମିତି ଅବସ୍ଥାରେ ପାଇଥିଲେ ହରଭଜନଙ୍କ ଶବକୁ। ପରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ହରଭଜନଙ୍କ ଜୀବନ ତ ଏଇଠି ଶେଷ ହୋଇଗଲା କିନ୍ତୁ ତାଙ୍କ କାହାଣୀ ଏଇଠୁ ଆରମ୍ଭ ହୋଇଥିଲା। କୁହାଯାଏ, ସୀମାନ୍ତରେ କୌଣସି ସୈନିକ ଯଦି ଅସମୟରେ ଶୋଇଯାଆନ୍ତି କିମ୍ବା ଗସ୍ତ ବେଳେ କ୍ୟାମ୍ପରେ ଶୋଇଥିବାବେଳେ ତାଙ୍କର ନିଦ ଭାଙ୍ଗେନି ତେବେ ତାଙ୍କ ଉପରେ ଏକ ଅଦୃଶ୍ୟ ଚଟକଣା ପଡେ। ଏହି ଚଟକଣା ନିଦରୁ ଉଠାଇ ଦିଏ, ନିଜ ଅବହେଳା ସମ୍ପର୍କରେ ସଚେତନ କରାଇଦିଏ। ଏହି ଚଟକଣା କୁଆଡେ ହରଭଜନ ସିଂଙ୍କର ବୋଲି କୁହାଯାଏ।

ହରଭଜନଙ୍କ ସାଥୀ ଯବାନମାନେ ଉକ୍ତ ବଙ୍କରକୁ ମନ୍ଦିର ରୂପ ଦେଇଥିଲେ। ଏହି ମନ୍ଦିରରେ ନିଜେ ସୈନିକମାନେ ପୂଜାପାଠ କରନ୍ତି। ପରେ ଏହି ଗୁମ୍ଫା ଭବ୍ୟ ମନ୍ଦିରର ରୂପ ନେଇଥିଲା। ଏଇ ମନ୍ଦିର ଗଙ୍ଗଟୋକର ଜେଲେପ୍ଲା ଏବଂ ନାଥୁଲା ମଧ୍ୟରେ ରହିଛି। ନୂଆ ମନ୍ଦିର ୧୩ ହଜାର ଫୁଟ ଉଚ୍ଚରେ ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ରାଜକୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରିବା ପରେ ଏହି ଯବାନଙ୍କୁ ପୂର୍ଣ୍ଣକାଳୀନ ଜଣେ ସୈନିକର ମାନ୍ୟତା ଦିଆଯାଉଥିଲା । ତାଙ୍କୁ ଯେମିତି ଏବେ ବି ସେନାର ଜଣେ କର୍ମଚାରୀ ସେହିପରି ତାଙ୍କୁ ବ୍ୟବହାର କରାଯାଏ। ତାଙ୍କର ଦରମା ଘର ଲୋକଙ୍କ ପାଖକୁ ନିୟମିତ ଯାଉଥିଲା । ତାଙ୍କୁ ନିର୍ଦ୍ଧାରିତ ବ୍ୟବଧାନରେ ଛୁଟି ଦିଆଯାଉଥିଲା । ତାଙ୍କ ପାଇଁ ଟ୍ରେନ ରିଜର୍ଭେସନ ବି କରାଯାଉଥିଲା । ସେତିକି ନୁହେଁ, ୨ ଜଣ ସେନା ତାଙ୍କ ଜିନିଷପତ୍ର ନେଇ ତାଙ୍କ ଘରକୁ ଛାଡିବାକୁ ଯାଆନ୍ତି ଏବଂ ଛୁଟି ଶେଷ ହେବା ପରେ ତାଙ୍କୁ ପୁଣି ସାଥୀରେ ଧରି କର୍ମସ୍ଥଳକୁ ଆସିଥାନ୍ତି।

ଯେତେବେଳେ ସିକ୍କିମ ସିମାରେ ଦୁଇ ଦେଶ ଭାରତ-ଚୀନ ମଧ୍ୟରେ ଫ୍ଲାଗ ବାର୍ତ୍ତା ହୁଏ ସେତେବେଳେ ଚୀନ ପକ୍ଷରୁ ଏକ ଚେୟାର ବାବା ହରଭଜନଙ୍କ ପାଇଁ ଖାଲି ରଖାଯାଏ। ତାଙ୍କର ପ୍ରମୋସନ ବି କରାଯାଇଲା। ତେବେ ଏବେ ଆଉ ତାଙ୍କୁ ଛୁଟିରେ ଘରକୁ ପଠାଯାଉନି। କାରଣ ସେ ଏବେ ଅବସର ନେଇ ଗଲେଣି। ତେବେ ଅବସର ପରେ ବି ତାଙ୍କ ଡ୍ୟୁଟି ସରିନି। ଏବେ ବି ତାଙ୍କ କୋଠରୀ ଏବଂ ପୋଷାକ ନିୟମିତ ସଫା କରାଯାଉଛି। ଏପରିକି ରାତିରେ ତାଙ୍କ ଯୋତାରେ ପଙ୍କକାଦୁଅ ଲାଗିଥିବା ଦେଖିବାକୁ ମିଳେ ବୋଲି କୁହନ୍ତି ସେନା କର୍ମଚାରୀ।