• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

G-20 ସମ୍ମିଳନୀ ଉପଲକ୍ଷେ ରାଷ୍ଟ୍ରପତିଙ୍କ ନୈଶ୍ୟଭୋଜି ଆମନ୍ତ୍ରଣ ପତ୍ରକୁ ନେଇ ରାଜନୈତିକ ବିବାଦ । ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ବିରୋଧୀଙ୍କ ଚକ୍ଷୁଶୂଳ ହୋଇଛି । ଇଣ୍ଡିଆ ମେଣ୍ଟକୁ ଡରି କେନ୍ଦ୍ର ସରକାର ଜାଣିଶୁଣି ଇଣ୍ଡିଆ ଶବ୍ଦକୁ ହଟାଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ । ତେବେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହାକୁ ସ୍ୱାଗତ କରିଛନ୍ତି । ସେପଟେ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ, କେନ୍ଦ୍ର ସରକାର ଦେଶର ନାଁ କେବଳ ଭାରତ ରଖିବାକୁ ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ । G-20 ଉପଲକ୍ଷେ ସେପ୍ଟେମ୍ବର ୯ରେ ନୈଶ୍ୟଭୋଜି ପାଇଁ ଅତିଥିଙ୍କୁ ପଠାଯାଇଥିବା ପ୍ରେସିଡେନ୍ସିଆଲ ଇନଭିଟେସନରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ବୋଲି ଲେଖାଯାଇଛି ।

ଏହି ନିମନ୍ତ୍ରଣ ପତ୍ରକୁ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ସୋସିଆଲ ମିଡିଆରେ ସେୟାର୍ କରିବା ପରେ, ଖାଲି ଚର୍ଚ୍ଚା ନୁହେଁ, ରାଜନୈତିକ ବିବାଦ ଓ ବୟାନବାଜି ବି ଜୋର୍ ଧରିଛି । ବିଜେପି କହିଛି, ଭାରତ ଆମ ପରିଚୟ । ଏହାକୁ ରାଷ୍ଟ୍ରପତି ଗୁରୁତ୍ୱ ଦେବା ଦେଶ ପାଇଁ ଗର୍ବର ବିଷୟ । ସେପଟେ ଆସନ୍ତା ୧୮ରୁ ୨୨ ତାରିଖ ଯାଏଁ ବସିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାଁକୁ କେବଳ ଭାରତ କରିବା ପାଇଁ ଏବଂ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇଦେବା ଲାଗି, କେନ୍ଦ୍ର ସରକାର ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରେରିତ ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ହଟାଇ ଭାରତ ଲେଖାଯିବାକୁ ସହଜରେ ହଜମ କରିପାରିନାହାନ୍ତି ବିରୋଧୀ । ଏହି ପ୍ରସଙ୍ଗ ସହିତ ଇଣ୍ଡିଆ ମେଣ୍ଟର ନାମକରଣକୁ ଯୋଡ଼ି, ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଇଣ୍ଡିଆକୁ ଏତେ ଡର ? ଏହା ବିରୋଧୀଙ୍କ ପ୍ରତି ମୋଦି ସରକାରର ଘୃଣା ନା ଏକ ଭୟଭୀତ ଏକଛତ୍ରବାଦୀର ଉନ୍ମାଦ ବୋଲି ପଚାରିଛି ।

ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କଂଗ୍ରେସକୁ ଦେଶର ସମ୍ମାନ ଓ ଗୌରବ ସହ ଜଡ଼ିତ ପ୍ରତିଟି ବିଷୟରେ ଏତେ ଆପତ୍ତି କାହିଁକି ? ଭାରତ ଯୋଡ଼ୋ ନାଁରେ ରାଜନୈତିକ ଯାତ୍ରା କରିବା ଲୋକଙ୍କୁ 'ଭାରତ ମାତା କୀ ଜୟ' ଉଦଘୋଷ ପ୍ରତି ଘୃଣା କାହିଁକି? ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଲେଖିଛନ୍ତି ଯେ, ଇଣ୍ଡିଆ ହିଁ ଭାରତ । ଏହାକୁ ସମ୍ବିଧାନ ପ୍ରଣେତାମାନେ ସେଥିରେ ଉଲ୍ଲେଖ କରିଛନ୍ତି । ତଥାପି କଂଗ୍ରେସ ଓ ଆପ୍ ରାଷ୍ଟ୍ରପତିଙ୍କ ଜି-ଟ୍ୱେଣ୍ଟି ଆମନ୍ତ୍ରଣକୁ ବିରୋଧ କରୁଛନ୍ତି । ଏପଟେ ବିଜେଡି ଭାରତ ଲେଖାକୁ ସ୍ୱାଗତ କରିଛି ।

କେବଳ ରାଜନେତା ନୁହଁନ୍ତି, ଇଣ୍ଡିଆ ଓ ଭାରତ ବିବାଦକୁ ନେଇ ମତ ରଖିଛନ୍ତି ବିଗ୍ ବି ଓ ବୀରେନ୍ଦ୍ର ସେହୱାଗଙ୍କ ଭଳି କ୍ରୀଡ଼ା ଓ ସିନେ ସେଲିବ୍ରିଟି । ମେଗାଷ୍ଟାର୍ ଅମିତାଭ ବଚ୍ଚନ 'ଭାରତ ମାତା କୀ ଜୟ' ବୋଲି ଆଜି ସୋସିଆଲ୍ ମିଡିଆ X ରେ ଲେଖିଥିବା ବେଳେ, ଟିମ୍ ଇଣ୍ଡିଆ ନୁହେଁ, ଟିମ୍ ଭାରତ ବୋଲି ଲେଖିଛନ୍ତି ସେହୱାଗ୍ । ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମ୍ ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇ ପାରିବ କି ବୋଲି ବିସିସିଆଇ ଅନରାରୀ  ସେକ୍ରେଟାରୀ ଜୟ ଶାହଙ୍କୁ ଅପିଲ୍ କରିଛନ୍ତି ସେହୱାଗ୍ ।

  • Reported by:
  • SIBANANDA ROUT

OTV is now on Whatsapp

Join and get latest news update delivered to you via whatsapp

Join Now