• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱ ବଜାରରେ ବଢୁଥିବା ଗହମ ଦରକୁ ନଜରରେ ରଖି ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି ଭାରତ ସରକାର । ତେବେ ଭାରତର ଏ ନିଷ୍ପତ୍ତିକୁ ପଶ୍ଚିମ ଦେଶଗୁଡ଼ିକ ବିରୋଧ କରିବା ସହ ବିଭିନ୍ନ ସମାଲୋଚନା କରୁଛନ୍ତି । ଏବେ ଭାରତ ଏ ନେଇ ଜବାବ ରଖିଛି ନ୍ୟୁୟର୍କରେ ଆୟୋଜିତ ଗ୍ଲୋବାଲ୍ ଫୁଡ୍ ସିକ୍ୟୁରିଟି କଲ୍ ଟୁ ଅଆକ୍ସନ ବୈଠକରେ । ପଶ୍ଚିମ ଦେଶକୁ ଚେତାଇ ଦେବା ସହ, ଭାରତ ନିଜ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ।

ଟିକା ଅଯଥା ଗଚ୍ଛିତ ରଖିବା ଯୋଗୁଁ ଯେଭଳି ଭାବେ ଗରିବ ଦେଶଗୁଡ଼ିକ କୋଭିଡ୍ ଭ୍ୟାକ୍ସିନରୁ ବଞ୍ଚିତ ରହିଲେ, ସେଭଳି ସ୍ଥିତି ଗହମ କ୍ଷେତ୍ରରେ ନହେଉ । ନ୍ୟୁୟର୍କରେ ଆୟୋଜିତ ଗ୍ଲୋବାଲ୍ ଫୁଡ୍ ସିକ୍ୟୁରିଟି କଲ୍ ଟୁ ଆକ୍ସନ ବୈଠକରେ ଏହା କହିଛି ଭାରତ । କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲିଧରନ କହିଛନ୍ତି, କୋଭିଡ୍ ଭ୍ୟାକ୍ସିନ୍ ଭଳି ଗହମର ଯେପରି ଅଭାବ ନହେଉ । ଏଭଳି ହେଲେ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସହ କଳାବଜାରୀ ମଧ୍ୟ ବଢ଼ିବ ।

ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ, ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଖାଦ୍ୟ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଅନେକ ଗରିବ ଦେଶ ଏବେ ଖାଦ୍ୟ ସମସ୍ୟା ସହ ଯୁଝୁଛନ୍ତି । ଏପରିକି ଭାରତ ଭଳି ଦେଶ, ଯାହା ପାଖରେ ପର୍ଯ୍ୟାପ୍ତ ଗହମ ଷ୍ଟକ୍ ରହିଛି, ସେଠି ମଧ୍ୟ ଖାଦ୍ୟ ସାମଗ୍ରୀର ଦର ବଢୁଥିବା ଦେଖିବାକୁ ମିଳିଛି । କଳାବଜାରୀ ଯୋଗୁଁ ଏଭଳି ହେଉଥିବା ସ୍ପଷ୍ଟ ହେଉଛି ।

ତେବେ ଯେପରି କୋଭିଡ୍ ବେଳେ ଅନେକ ଗରିବ ଦେଶକୁ ଭ୍ୟାକ୍ସିନ୍ ପହଞ୍ଚି ପାରିଲା ନାହିଁ, ସେମିତି ଅଯଥା ଗଚ୍ଛିତ ରଖିବା କାରଣରୁ ଖାଦ୍ୟ ସାମଗ୍ରୀର ଅଭାବ ସହ ଲଢୁଥିବା ଦେଶ ଯେପରି ଗହମ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ଦେଖିବାକୁ ପଡ଼ିବ ବୋଲି କହି ଭାରତ ନିଜ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ଦର୍ଶାଇଛି ।

ଗତ ମେ ୧୩ ତାରିଖରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଏହି ରୋକ୍ ଲଗାଯାଇଛି । କିଛି ପଡ଼ୋଶୀ ଓ ଜରୁରୀ ଆବଶ୍ୟକତା ଥିବାରୁ ଦେଶ ପାଇଁ ଏହି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । କେବଳ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ରପ୍ତାନି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପରେ ଜାତିସଂଘର ଉଚ୍ଚସ୍ତରୀୟ ବୈଠକରେ ଭାରତ ଏହି ଘଟଣା ଉପରେ ମୁହଁ ଖୋଲିଛି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲିଧରନ ।

ସେ କହିଛନ୍ତି, ବିଶ୍ୱରେ ଗହମ ଦରରେ ଅଚାନକ ବୃଦ୍ଧି ଯୋଗୁଁ ଭାରତ ଏବଂ ଅନ୍ୟ ପଡ଼ୋଶୀ ଦେଶରେ ଖାଦ୍ୟ ସୁରକ୍ଷା ନେଇ ବିପଦ ସୃଷ୍ଟି କରିଛି । ତେବେ ଖାଦ୍ୟ ସୁରକ୍ଷା ନେଇ ଏଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଖାଦ୍ୟ ସୁରକ୍ଷା ଦିଗରେ ଆମେ ଆମ ଦେଶ, ପଡ଼ୋଶୀ ଦେଶ ଏବଂ କିଛି ଗରିବ ବିକାଶଶୀଳ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗହମ ରପ୍ତାନୀ ଉପରେ ଏଭଳି ନିଷ୍ପତ୍ତି ନେଇଛୁ ।