ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପୂଜା ପାଇବେ ବାଳକ ‘ରାମଲାଲା’ । ଓଟିଭିକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ୫ ବର୍ଷ ବୟସରେ ଭଗବାନ ଶ୍ରୀରାମ ଯେମିତି ଦିଶୁଥିଲେ ସେଭଳି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ । ମୂର୍ତ୍ତି ନିର୍ମାଣ କାମ ୯୦ ପ୍ରତିଶତ ଶେଷ ହେଲାଣି ।
ଚମ୍ପତ ରାୟ ସୂଚନା ଦେଇଛନ୍ତି, ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ରାମଲାଲାଙ୍କ ପ୍ରତିମା ତିଆରି କରୁଛନ୍ତି । ତିନି ମୂର୍ତ୍ତିକାର ୫ ବର୍ଷ ବୟସର ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି । ୫ ବର୍ଷ ବାଳକର ମୁଖ ମଣ୍ଡଳ, ବଡି ଲାଙ୍ଗୁଏଜ ଅବିକଳ ଉତାରିବା ଜରୁରୀ । ୩ଟି ପଥରରୁ ୨ଟି କର୍ଣ୍ଣାଟକ, ଗୋଟିଏ ମକ୍ରାନାରୁ ଆସିଛି ।
ଅଯୋଧ୍ୟାରେ ଶ୍ରୀରାମ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଦିନ ଭକ୍ତଙ୍କୁ ସଂକୀର୍ତ୍ତନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ନିବେଦନ କରିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ । ଏଥିପାଇଁ ସେହି ଦିନ ୧୧ଟାରୁ ୧ଟା ମଧ୍ୟରେ ନିଜ ସାହି ବା ପଡା,ଗାଁ, କଲୋନୀରେ ଥିବା କୌଣସି ମନ୍ଦିର ଗୁଡ଼ିକରେ ଆଖ ପାଖର ରାମ ଭକ୍ତଙ୍କୁ ଏକାଠି କରି ଭଜନ କୀର୍ତ୍ତନ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅନୁରୋଧ କରିଛି ।