/odishatv-khabar/media/post_attachments/uploadimage/library/16_9/16_9_0/Marriage_1727442270.jpg)
Marriage
ବିବାହ ଏକ ସାମାଜିକ ପ୍ରଥା । ଭାରତରେ ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହୁଏ । ଏଠାରେ ଭାଷା ଯେପରି ଅନେକ, ବିବାହ ମଧ୍ୟ ଅନେକ ପ୍ରକାର । ସାମାଜିକ ପଦ୍ଧତିରେ ମଧ୍ୟ ବିବାହ ଅନେକ ପ୍ରକାର ଥାଏ । ତେବେ ମେଘାଳୟରେ ଯେଉଁ ପ୍ରକାର ବିବାହ କରାଯାଏ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ମେଘାଳୟରେ ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି ।
ଯେଉଁଥିରେ ବିବାହ ପରେ କନ୍ୟା ନୁହେଁ ବରଂ ବର ଶାଶୁ ଘରକୁ ଯାଏ । ଆମର ସାମାଜିକ ଚଳଣିରେ ବିବାହ ପରେ କନ୍ୟା ଶାଶୁଘରକୁ ଯିବାର ପ୍ରଥା ରହିଆସିଛି । ଏଥିପାଇଁ ଭାରତୀୟ ସମାଜରେ ବିବାହକୁ କନ୍ୟାଦାନ ମଧ୍ୟ କୁହାଯାଏ । ତେବେ ମେଘାଳୟରେ କନ୍ୟା ନୁହେଁ ବର ହିଁ ଶାଶୁଘରକୁ ଯିବାର ପ୍ରଥା ଚାଲିଆସିଛି ।
ସେଠାରେ ରହୁଥିବା ଖାସି ଜନଜାତିଙ୍କ ମଧ୍ୟରେ ପୁଅଙ୍କ ଅପେକ୍ଷା ଝିଅମାନଙ୍କୁ ଅଧିକ ସ୍ୱତନ୍ତ୍ରତା ଦିଆଯାଉଥିବାର ଲକ୍ଷ୍ୟ କରାଯାଏ । ପୂର୍ବ ମେଘାଳୟରେ ରହୁଥିବା ଖାସି ଜନଜାତି ମାଟ୍ରିଲାଇନ୍ ସିଷ୍ଟମ୍ ଅଧୀନରେ କାମ କରନ୍ତି । ଅର୍ଥାତ୍, ମାଆଙ୍କର ସମ୍ପତ୍ତି ପୁଅ ପରିବର୍ତ୍ତେ ତାଙ୍କ ଝିଅକୁ ହସ୍ତାନ୍ତର କରାଯାଏ । ଖାସି ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅଧିକାର ଉପଭୋଗ କରନ୍ତି ।
ସମ୍ପ୍ରଦାୟ ମଧ୍ୟରେ, ପିଲାମାନେ ସେମାନଙ୍କର ମାତାଙ୍କ ଉପନାମ ଗ୍ରହଣ କରନ୍ତି ଏବଂ ବିବାହ ପରେ ବରମାନେ ନିଜ ଶାଶୁଘରକୁ ଆସନ୍ତି । ଅନେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖାସି ଝିଅମାନେ ନିଜ ଜୀବନ ସାଥୀ ବାଛିବା ପାଇଁ ସ୍ୱାଧିନତା ପାଇଥାଆନ୍ତି । କୌତୁହଳର ବିଷୟ ଯେ, ସେଠାରେ ଝିଅ ମାନେ ବିବାହ ପାଇଁ ପୁଅଙ୍କୁ ପ୍ରସ୍ତାବ ଦେଉଥିବାର ମଧ୍ୟ ଲକ୍ଷ୍ୟ କରାଯାଏ ।
ସେହିପରି ମେଘାଳୟର ଖାସି ଜନଜାତିଙ୍କ ମଧ୍ୟରେ ଯୌତୁକ ବ୍ୟବସ୍ଥାର ମଧ୍ୟ କୌଣସି ଅସ୍ତିତ୍ୱ ନାହିଁ । ମହିଳାମାନେ ସମସ୍ତ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ ହୁଅନ୍ତି । ସେମାନଙ୍କ ପ୍ରତି ସମାଜ ଅତ୍ୟଧିକ ସମ୍ମାନ ଓ ପ୍ରେମ ପ୍ରଦର୍ଶନ କରଥାଏ । ସୂଚନାଯୋଗ୍ୟ, ଭାରତରେ ଖାସି ଜନଜାତିର ମୋଟ ଜନସଂଖ୍ୟା ୧୪ ଲକ୍ଷ ୨୭ ହଜାର ୭୧୧ ରେ ପହଞ୍ଚିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)