• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଲା ଚୋର ସନ୍ଦେହରେ ଚାରି ଜଣ ସାଧୁଙ୍କୁ ନିର୍ଧୁମ ମାଡ଼ । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଲବାନା ଗାଁରେ ଏପରି ଏକ ଘଟଣା ଘଟିଛି । ବୋଲେରୋରେ ଯାଉଥିବା ସାଧୁମାନେ ସ୍ଥାନୀୟ ଲୋକଙ୍କୁ ବାଟ ପଚାରିଥିଲେ । ହେଲେ ସାଧୁଙ୍କୁ ଲୋକମାନେ ପିଲା ଚୋର ବୋଲି ଭାବି ନେଇଥିଲେ । ଆଉ କ୍ଷଣିକ ମଧ୍ୟରେ ଏସମ୍ପର୍କରେ ଆଖପାଖ ଅଞ୍ଚଳରେ ଗୁଜବ ବ୍ୟାପିଗଲା । ଲୋକମାନେ ଘଟଣାସ୍ଥଳରେ ଏକତ୍ରିତ ହୋଇ ଚାରି ଜଣଙ୍କୁ ନିର୍ଘାତ ମାଡ଼ ମାରିବା ସହ ଗାଳିଗୁଲଜ କରିଥିବା ସୂଚନା ମିଳିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ମାମଲାରେ ସାଧୁଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଉଛି ।

ୟୁପିରୁ ଚାରି ଜଣ ସାଧୁ ସାଙ୍ଗଲି ଜିଲ୍ଲାର ଲବାନା ଗାଁ ଦେଇ ପନ୍ଦରପୁର ଅଭିମୁଖେ ବାହାରିଥିଲେ । ହେଲେ ସୋମବାର ରାତିରେ କିଛି ସମୟ ବିଶ୍ରାମ ନେବା ପାଇଁ ଏକ ମନ୍ଦିରରେ ରହିଯାଇଥିଲେ । ମଙ୍ଗଳବାର ଦିନ ଗନ୍ତବ୍ୟ ପଥରେ ବାହାରିବା ପୂର୍ବରୁ ଏକ ଛୋଟ ପିଲାକୁ ରାସ୍ତା ପଚାରିଥିଲେ । ତେବେ କୁନି ପୁଅକୁ ରାସ୍ତା ପଚାରୁଥିବା ଦେଖି ସ୍ଥାନୀୟ ଲୋକ ସାଧୁଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ । ଦେଖୁ ଦେଖୁ ସେଠାରେ ଜନସମାଗମ ହୋଇ ଯାଇଥିଲା । କିଛି ଲୋକ ସାଧୁମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

ତେବେ ଏସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଛାନଭିନ ପରେ ଜଣାପଡ଼ିଲା ଚାରି ଜଣ ସାଧୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଚାରି ଜଣ ସାଧୁ ମଥୁରାର ପଞ୍ଚଦଶନାମ ଜୁନା ଆଖଡ଼ାର ସାଧୁ ବୋଲି ଜଣା ପଡ଼ିଥିଲା । ସାଙ୍ଗଲି ଏସପି କହିଛନ୍ତି, ଗାଁ ଲୋକଙ୍କ ଦ୍ୱାରା ସାଧୁଙ୍କୁ ମାଡ଼ ମାରିବା ମାମଲା ସାମ୍ନାକୁ ଆସିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧୁଙ୍କୁ ମାଡ଼ ମାରିବା ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ । କିନ୍ତୁ ଭାଇରାଲ ଭିଡିଓ ଫୁଟେଜ୍‌ ଆଧାରରେ ଅନୁସନ୍ଧାନ ଜାରି ରହିଛି । ଏ ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି ।