• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ । ୨୪ ଘଣ୍ଟାରେ ଅର୍ଥାତ ଗୁରୁବାର ସକାଳ ୮ଟା ୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ବିଗତ ୮୮ ବର୍ଷରେ ସର୍ବାଧିକ ।

ଏହା ସହ ୧୯୩୬ ମସିହା ପରେ ଏହା ରେକର୍ଡ ମାତ୍ରାରେ ଭାରି ବର୍ଷା ବୋଲି ସୂଚନା ଦେଇଛି ଦିଲ୍ଲୀ ପାଣିପାଗ ବିଭାଗ । ଦିଲ୍ଲୀ-ଏନସିଆରଠାରୁ ଆରମ୍ଭ କରି ନୋଏଡା ସେକ୍ଟର-୬୨, ମିଣ୍ଟୋ ରୋଡ, ତିନ୍ ମୂର୍ତ୍ତି ମାର୍ଗ, ମୋଲଚାନ୍ଦ ଆଦି ଅଞ୍ଚଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି ।

ଏମିତିକି ମିଣ୍ଟୋ ରୋଡରେ ଏକ ଟ୍ରକ୍ ରାସ୍ତାରେ ଅଧା ବୁଡିଯାଇଥିବା ଦେଖିବାକୁ ମିଳିଛି । ଅନେକ ରାସ୍ତାରେ ଗାଡିମୋଟର ଫସି ରହିଛି । କନଟ ପ୍ଲେସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିଛି । ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲି ଚାଲି ଗଲେ ବି ଆଣ୍ଠୁଏ ଉଚ୍ଚର ପାଣି ଦେଇ ଯିବାକୁ ପଡୁଛି ।

ଏମିତିକି ରାସ୍ତାରେ ପଡିଛି ପାଣିର ବଡ଼ ବଡ଼ ସୁଅ । ସମୟ ବିତିବା ସହ ବିଗୁଡ଼ିଛି ସ୍ଥିତି । ରାଜଧାନୀ ଦିଲ୍ଲୀରେ ସମୟ ବଢ଼ିବା ସହ ବିଗିଡ଼ିବାରେ ଲାଗିଛି ବିଭିନ୍ନ ଅଞ୍ଚଳରେ ସ୍ଥିତି । ଲୋଧୀ ରୋଡରୁ ସୁପ୍ରିମକୋର୍ଟ, ଜଙ୍ଗପୁରାରୁ ଏମ୍ସ ଯାଏଁ ସବୁଠି ଖାଲି ପାଣି ଆଉ ପାଣି । ସତେ ଯେମିତି ଦିଲ୍ଲୀ ଏକରକମ ବୁଡ଼ିବାରେ ଲାଗିଛି ।

ମାତ୍ର ଗୋଟିଏ ଦିନର ବର୍ଷାରେ ସ୍ଥିତି ବେହାଲ ହୋଇଯାଇଛି । ଲୋଧୀ ରୋଡ୍‌ର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଜଙ୍ଗପୁରାରେ ଅଣ୍ଟାଏରୁ ଅଧିକ ଉଚ୍ଚର ପାଣି ଚାଲୁଛି । ଏମସ ରୋଡରେ ବହୁ କିଲୋମିଟର୍ ଯାଏଁ ପାଣି ଜମି ରହିଛି । ଆଉ ବର୍ଷା ପରେ ରାସ୍ତାଘାଟରେ ବିତ୍ପାତର ଦୃଶ୍ୟ ଦେଖିବାକୁ ମିଳିଛି ।

କେଉଁଠି ରାସ୍ତା ଦବି ଯାଇଛି, କେଉଁଠି ଗଛ ଉପୁଡ଼ି ପଡ଼ିଛି । ଫଳରେ ଚଳାଚଳରେ ବାଧା ଉପୁଜିଛି । ବସନ୍ତବିହାରରେ ଏକ ନିର୍ମାଣଧୀନ ଗାତରେ କିଛି ଶ୍ରମିକ ପ୍ରବଳ ବର୍ଷା ଯୋଗୁଁ ଗଳି ପଡ଼ିଥିଲେ । ସେମାନଙ୍କୁ ବାହାର କରିବାକୁ ବେଶ୍ କିଛି ସମୟ ଲାଗିଥିଲା । ସେପଟେ ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି ।

ବିଭିନ୍ନ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଏମିତିକି ମୋଟରସାଇକେଲ, କାର ଭଳି ଗାଡି ମଧ୍ୟ ଅଧା ବୁଡିଯାଉଛି । ଗୋଟିଏ କିଲୋମିଟର ରାସ୍ତା ପାରି ହେବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଉଛି । ଗାଡି ଅଧାରାସ୍ତାରେ ପାଣିରେ ଫସିରହିଥିବାରୁ ଟ୍ରାଫିକ ଜାମ ସ୍ଥିତି ଉପୁଜିଛି । ଏଥିପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ମଧ୍ୟ ଆଲର୍ଟ ଜାରି ହୋଇଛି ।

ଦିଲ୍ଲୀ ରିଙ୍ଗରୋଡରେ ବର୍ଷା ପାଣି ଯୋଗୁ ସମସ୍ୟା ଉପୁଜିଛି । ନାରାୟଣାଠାରୁ ମୋତି ବାଗ ଏବଂ ମୋତିବାଗ ଆଡୁ ନାରାୟଣା ଆଡକୁ ଆସୁଥିବା ଗାଡିମୋଟର ଅନ୍ୟ ରାସ୍ତା ଦେଇ ଯିବାକୁ ସୂଚନା ଦେଇଛି ଟ୍ରାଫିକ ପୋଲିସ । ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ।

କେବଳ ଜନତା ନୁହେଁ ଜାତୀୟ ରାଜଧାନୀରେ ରହୁଥିବା ଅନେକ ନେତା ଓ ଅଫିସରଙ୍କ ଘରେ ବର୍ଷା ଜଳ ପ୍ରବେଶ କରିଛି । ଦିଲ୍ଲୀ ସରକାରର ଜଳ ମନ୍ତ୍ରୀ ଥିବା ଆତିଶିଙ୍କ ଘର ବାହାରେ ଓ ଭିତରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଆତିଶି ନିକଟରେ ଦିଲ୍ଲୀରେ ପାନୀୟ ଜଳ ଯୋଗାଣ ଦାବିକୁ ନେଇ ଆମରଣ ଅନଶନରେ ବସିଥିଲେ ।

ତେବେ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଅନଶନରୁ ଓହରିଯାଇଥିଲେ । ସେହିପରି ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବଙ୍କ ଘରେ ଢେଉ ମାରିଛି ବର୍ଷା ଜଳ । ଘର ଭିତରେ ଓ ବାହାରେ ଉଭୟ ସ୍ଥାନରେ ପାଣି ଜମି ରହିଛି । ଏଥିପାଇଁ ତାଙ୍କୁ ପାର୍ଲାମେଣ୍ଟ ଯିବା ଲାଗି ଅସୁବିଧା ହୋଇଥିଲା ।

ତାଙ୍କୁ କିଛି ଲୋକ ଟେକି ଟେକି ଗାଡି ପାଖକୁ ନେଇଥିଲେ । ସମାନ ଅବସ୍ଥା ଦେଖିବାକୁ ମିଳିଥିଲା କଂଗ୍ରେସ ନେତା ତାରିକ୍ ଅନୱରଙ୍କ ଘରେ । ତାରିକଙ୍କ ଘରେ ମଧ୍ୟ ବର୍ଷା ଜଳ ପଶିଯାଇଥିଲା । ସେହିପରି କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କ ଘରେ ପାଣି ପଶି ଯାଇଛି । ପାର୍ଲାମେଣ୍ଟ ଯିବା ସମୟରେ ଅସୁବିଧା ହେଉଥିବା ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ସେପଟେ ଗତ କିଛିଦିନ ତଳେ ଦିଲ୍ଲୀରେ ଜଳସଂକଟ ନେଇ ରାଜନୀତି ଜାରି ରହିଥିବା ବେଳେ, ଏବେ ଜଳବନ୍ଦୀ ସ୍ଥିତି ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି କାଉନସିଲର ରବିନ୍ଦର ସିଂହ ରାଜରାସ୍ତାରେ ଏକ ଡଙ୍ଗା ଧରି ପ୍ରତିବାଦ କରିଛନ୍ତି । କହିଛନ୍ତି ରାଜଧାନୀ ଦିଲ୍ଲୀର ଏଭଳି ଅବସ୍ଥା ପାଇଁ ଆପ୍ ସରକାର ଦାୟୀ ।

ମୌସୁମୀ ପୂର୍ବରୁ ନାଳ ସଫେଇ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ ଏଭଳି ସମସ୍ୟା ହୋଇନଥାନ୍ତା ବୋଲି ରବିନ୍ଦର କହିଛନ୍ତି । ରବୀନ୍ଦରଙ୍କ ଅଭିଯୋଗ ନେଇ ଦିଲ୍ଲୀ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

OTV is now on Whatsapp

Join and get latest news update delivered to you via whatsapp

Join Now