• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର । ଯବାନଙ୍କଠୁ କିଷାନ୍ ଯାଏଁ..ପାଣିପାଗ ସୂଚନା ଜରିଆରେ ପ୍ରତିଟି ଜୀବନକୁ ସୁରକ୍ଷିତ ଓ ସମୃଦ୍ଧ କରିଥିବା ଭାରତୀୟ ପାଣିପାଗ ବିଭାଗ ବା IMD, ଆଜି ପଦାର୍ପଣ କରିଛି ୧୫୦ ବର୍ଷରେ ।

ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୌସମ୍ ଆପ୍ ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ । ଏହି ଆପ୍‌ରେ ଥିବା ପଞ୍ଚାୟତ ମୌସମ୍ ସେବା ଏବଂ ମୌସମ ଗ୍ରାମ୍ ଫିଚର୍ ଦେଶବାସୀଙ୍କୁ ଅଭୂତପୂର୍ବ ଉପକାର ଦେବ ବୋଲି କହିଛନ୍ତି ଆଇଏମ୍‌ଇ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଆ ସମେତ ୧୨ଟି ଭାଷାରେ ଉପଲବ୍ଧ ଏହି ମୋବାଇଲ ଆପ୍ଲିକେସନ ଜରିଆରେ ସମସ୍ତେ ନିଜ ପଞ୍ଚାୟତର ପ୍ରତି ଘଣ୍ଟାର ପାଣିପାଗ ସୂଚନା ପାଇପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଦେଶରେ ୩୯ଟି ଡପଲର୍ ରାଡାର୍ ଥିବା ବେଳେ, ୫ ବର୍ଷ ଭିତରେ ଏହା ୮୬କୁ ବଢ଼ିବ । ଓଡ଼ିଶାରେ ଆଉ ୩ଟି ଡପଲର୍ ଲାଗିବ । ବାଦଲଫଟା ବର୍ଷା ଓ ବଜ୍ରପାତର ସଠିକ୍ ଆକଳନ ଏବେ ଆଇଏମଡି ପାଇଁ ଚାଲେଞ୍ଜ ରହିଛି । ଏବେ ୧୨ କିଲୋମିଟର ପରିସୀମାରେ ପାଣିପାଗ ଆକଳନ କରାଯାଉଥିବା ବେଳେ, ଆଗକୁ ଏହା ୫ କିଲୋମିଟରକୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ।

୧୮୬୪ ମସିହା । କୋଲକାତାରେ ଘୂର୍ଣ୍ଣିବାତ୍ୟା ନେଇଥିଲା ୮୦ ହଜାର ଜୀବନ । ପରେ ପରେ ଆସିଥିଲା ୧୮୬୬ ନଅଙ୍କ ଦୁର୍ଭିକ୍ଷ । ଭୋକ ଉପାସରେ ଛଟପଟ ହୋଇ ପ୍ରାଣ ହରାଇଥିଲେ ୬୦ହଜାର ଲୋକ । ଏଭଳି ମହାବିପର୍ଯ୍ୟୟ ପରେ ପାଣିପାଗ ଆକଳନର ଆବଶ୍ୟକତା ଅନୁଭବ କରି, ତତ୍କାଳୀନ ବ୍ରିଟିଶ ସରକାର ପ୍ରଥମେ କୋଲକାତାରେ ପ୍ରତିଷ୍ଠା କରିଥିଲେ ମେଟେରୋଲୋଜିକାଲ୍ ରିପୋର୍ଟର । ସେଇଠୁ ପରବର୍ତ୍ତୀ ସମୟରେ ଜନ୍ମ ନେଇଥିଲା ଭାରତୀୟ ପାଣିପାଗ ବିଭାଗ । ସଠିକ୍ ପାଣିପାଗ ପୂର୍ବାନୁମାନ ପାଇଁ ଏବେ ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିବା ଏହି ସଂସ୍ଥା  ୧୫୦ ବର୍ଷରେ ପଦାର୍ପଣ କରିଥିବା ବେଳେ, ଏପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

କେବଳ ଖରା, ବର୍ଷା ଓ ଶୀତ ନୁହେଁ, ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଆଗୁଆ ଆକଳନ କରି ଅନେକ ଧନଜୀବନ ରକ୍ଷା କରିପାରିଛି ଭାରତୀୟ ପାଣିପାଗ ବିଭାଗ । ଖାସ୍ କରି, ଦୁର୍ବିପାକ ପ୍ରବଣ ଓଡ଼ିଶା ପାଇଁ IMD କୌଣସି ଆଶୀର୍ବାଦ ଠୁ କମ୍ ନୁହେଁ । ରାଜ୍ୟ ପାଇଁ ଆଉ ଏକ ଗର୍ବର କଥା ହେଉଛି, ଭାରତୀୟ ପାଣିପାଗ ବିଭାଗର ବର୍ତ୍ତମାନର ମହାନିର୍ଦ୍ଦେଶକ ଅଛନ୍ତି ଓଡ଼ିଆ ପୁଅ ତଥା ସାଇକ୍ଲୋନ୍ ମ୍ୟାନ୍ ଭାବେ ପରିଚିତ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଘୂର୍ଣ୍ଣିଝଡ଼ର ପ୍ରତିଟି ଗତିବିଧିକୁ ନିଖୁଣ ଭାବେ ଆଗୁଆ ଆକଳନ କରିପାରୁଥିବା ଏହି ବିଚକ୍ଷଣ ପାଣିପାଗ ବିଜ୍ଞାନୀ ଏବେ ବିଶ୍ୱ ପାଣିପାଗ ସଂଗଠନ- WMOର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି ।

  • Reported by:
  • SIBANANDA ROUT , ATULYA BOUT